ମରିଗଲା ମାନବିକତା: ମଦୁଆ ପୁଅର କୁରାଢ଼ି ଚୋଟରେ ମା’ ମୃତ

ରାସଗୋବିନ୍ଦପୁର/ମାଣିଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ଖୁଣ୍ଟାପାଳ ପଞ୍ଚାୟତର ଚକୁଳିଆ-ଢେଙ୍କାସାହି ଗ୍ରାମରେ ଅଭାବନୀୟ ଘଟଣା। ଗ୍ରାମର ଲସ ହେମ୍ବ୍ରମ(୨୮) ତାଙ୍କ ମା’ ମାହ୍ଲ(୫୮)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି। ସୂଚନା ଅନୁଯାୟୀ, ମା’ ମାହ୍ଲ ଓ ଜେଜେମା’ଙ୍କ ସହିତ ଗୋଟିଏ ଘରେ ରହୁଥିଲା ଲସ। ତେବେ ସେ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପାଟିତୁଣ୍ଡ କରୁଥିଲା। ମା’ ଯେତେ କହିଲେ ବି ମଦ ଛାଡ଼ୁନଥିଲା। ଗତକାଲି ରାତିରେ ସେ ପ୍ରବଳ ମଦ୍ୟପାନ କରି ଘରକୁ ଫେରି ମା’ ସହ ଝଗଡ଼ା କରିଥିଲା। ଶେଷରେ ଉତ୍ତ୍ୟକ୍ତ ଅବସ୍ଥାରେ ମା’ ମୁଣ୍ଡକୁ ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲା।

ଏହି ସମୟରେ ବୃଦ୍ଧା ଜେଜେମା’ ଉପସ୍ଥିତ ଥିଲେ ବି ରକ୍ତମୁଖା ନାତିକୁ ଅଟକାଇ ପାରିନଥିଲେ। ତେବେ ସେ ଆଜି ସକାଳେ ସାହି ପଡ଼ିଶାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ରାସଗୋବିନ୍ଦପୁର ଥାନା ଏସ୍‌ଆଇ ଅଜୟ କୁମାର ରାଉଳ ଓ ବଡ଼ାମପୁର ଫାଣ୍ଡି ଅଧିକାରୀ ଅବିନାଶ ସାହାଣୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଏ ନେଇ ୮୧/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଅଞ୍ଚଳରେ ମଦର ବନ୍ୟା ଛୁଟୁଥିବାରୁ ଯୁବପିଢ଼ି ପଥଭ୍ରଷ୍ଟ ହୋଇ ଏଭଳି କାଣ୍ଡ କରୁଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଚୋରାମଦ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର