୩ ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମା’, ୨ ପୁଅ ମୃତ ଓ ଝିଅ ଗୁରୁତର

ଭୁବନେଶ୍ବର: ପାରିବାରିକ ଅଶାନ୍ତିର କରୁଣ ଚିତ୍ର । ୩ ଛୁଆଙ୍କୁ ବିଷ ପିଆଇ ମା’ ନିଜେ ବିଷ ପିଇ ଦେଇଛି । ୨ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ଜଣେ ଶିଶୁକନ୍ୟା ମୃତ୍ୟୁ ସହ ସଂଗ୍ରାମ କରୁଛି । ଏଭଳି ଅଭାବନୀୟ ଘଟଣା ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଈ ଗାଁରେ ଘଟିଛି । ନିଜ ସନ୍ତାନଙ୍କୁ ବିଷ ଦେଇଥିବା ବିଧବା ମା’ ହେଉଛନ୍ତି ଜାନକୀ ଗାଗାରେଇ । ସମସ୍ତଙ୍କୁ ଚନ୍ଦକା ଥାନା ପୁଲିସ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ ପଠାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁକନ୍ୟା ଏଠାରେ ଚିକିତ୍ସାଧୀନ ଥିବା ବେଳେ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ପଠାଯାଇଛି । ଶେଷ ଖବର ପର୍ଯ୍ୟନ୍ତ ମା’ ଗୁରୁତର ରହିଛନ୍ତି ।

ଜାନକୀଙ୍କର ସ୍ବାମୀଙ୍କର ମୃତ୍ୟୁ ଘଟିବା ପରେ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇ ପଡ଼ିଥିଲା । ପରିବାର ପୋଷିବା ପାଇଁ ସେ ଚିନ୍ତାରେ ପଡ଼ିଥିଲେ । ତାଙ୍କ ଦିଅର ତାଙ୍କୁ ସହାୟତାରେ ହାତ ବଢ଼ାଇଥିଲେ । ତାଙ୍କ ସହ ରହି ସେ ଜାନକୀଙ୍କ ପରିବାର ଚଳାଉଥିଲେ । ଆଜି ସକାଳେ ଦିଅର କାମ କରିବାକୁ ଚାଲି ଯାଇଥିବା ବେଳେ ଜାନକୀ ଏକ ପୋକ ମରା ବିଷ କିଣିଥିଲେ । ପ୍ରଥମେ ଦୁଇ ପୁଅ ଓ ଝିଅଙ୍କୁ ବିଷ ଦେବା ପରେ ନିଜେ ପିଇ ଦେଇଥିଲେ । ଦୁଇପୁଅ ୪ ବର୍ଷର ରାଜୁ ଓ ୩ ବର୍ଷର ବିଜୁ ସଂଜ୍ଞାହୀନ ହୋଇପଡ଼ିଥିଲେ । ଦେଢ଼ ବର୍ଷର ଶିଶୁକନ୍ୟା ମଧ୍ୟ ବିଷକ୍ରିୟାର କିଛି ସମୟ ପରେ ସଜ୍ଞାହୀନ ହୋଇପଡ଼ିଥିଲା । ଏହା ପରେ ଜାନକୀ ନିଜେ ବିଷ ପିଇ ଚିତ୍କାର କରିଥିଲେ ।

ଚିତ୍କାର ଶୁଣି ପଡ଼ୋଶୀ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେଙ୍କୁ କ୍ୟାପିଟାଲ ହସ୍ଫିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲା । ଜାନକୀଙ୍କ ଦିଅରଙ୍କ ସୂଚନା ମୁତାବକ, ମୂଲ ଲାଗିବା ପାଇଁ ବାହାରକୁ ଯାଇଥିବା ବେଳେ ପଡ଼ୋଶୀଙ୍କ ଠାରୁ ଖବର ମିଳିଥିଲା । ଜାନକୀ କାହିଁକି ଏଭଳି କଲା ତାହା ସେ କହିପାରିବେ ନାହିଁ । ତେବେ କେବଳ ପରିବାର ପ୍ରତିପୋଷଣ ସମସ୍ୟା ହେବାରୁ ଜାନକୀ ଏଭଳି ପଦକ୍ଷେପ ନେଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି। ସେ ନେଇ ଅନୁସନ୍ଧାନ ଜାରି ରହିଥିବା କହିଛି ଚନ୍ଦକା ଥାନା ପୁଲିସ ।

ସମ୍ବନ୍ଧିତ ଖବର