ଦେଢ଼ମାସର ପୁଅକୁ ହତ୍ୟାକଲା ନିଷ୍ଠୁର ମା’

ଅଖାରେ ଗୁଡ଼ାଇ କୂଅରେ ଫିଙ୍ଗିଥିଲା, ଧରାପଡ଼ିଲା

ମାର୍ଶାଘାଇ : ଜଣେ ମା’ ତା’ର ଦେଢ଼ମାସର ଶିଶୁପୁତ୍ରକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି। ମନକୁ ଆନ୍ଦୋଳିତ କଲା ଭଳି ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ମାର୍ଶାଘାଇ ଥାନା କାନପୁର ଗ୍ରାମର ସତ୍ୟରଂଜନ ପରିଡ଼ା ଗତକାଲି ରାତିରେ ନିଜ ପତ୍ନୀ ଲକ୍ଷ୍ମୀପ୍ରିୟା, ମା’, ଆଈ ଓ ଦେଢ ବର୍ଷର ଶିଶୁପୁତ୍ର ଆଦିତ୍ୟ ଓରଫ ଭାବଗ୍ରାହୀ ସହ ଗୋଟିଏ କୋଠରୀରେ ଶୋଇଥିଲେ। ରାତି ସାଢେ଼ ୨ଟା ବେଳେ ସତ୍ୟରଂଜନଙ୍କ ମା’ ଉଠି ଦେଖିବା ବେଳକୁ ମଶାରି ଭିତରେ ଶିଶୁ ପୁତ୍ର ନଥିଲା। ଶିଶୁପୁତ୍ରର ମା’ ଲକ୍ଷ୍ମୀପ୍ରିୟା ଘରକୋଣରେ ବସି ରହିଥିଲା। ପୁଅ କାହିଁ ବୋଲି ପଚାରିବାରୁ ସେ ସ୍ପଷ୍ଟ ଭାବେ ପୁଅ ସଂପର୍କରେ କିଛି ଜାଣି ନ ଥିବା କହିଥିଲା। ପରିବାର ଲୋକେ ପୁଅକୁ ଖୋଜାଖୋଜି କରି ନ ପାଇବାରୁ ସଙ୍ଗେସଙ୍ଗେ ନିଖୋଜ ସଂପର୍କରେ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ। ରାତାରାତି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ସକାଳ ହେବାପରେ ସତ ବାହାରକୁ ଆସିଥିଲା। ପୁଅକୁ ଏକ ଝୋଟ ଅଖାରେ ଗୁଡ଼ାଇ ପଡୋଶୀ ଘରର ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଛି ବୋଲି ଲକ୍ଷ୍ମୀପ୍ରିୟା ପୁଲିସ ଆଗରେ ସ୍ବୀକାର କରିଥିଲା। ପୁଲିସକୁ ସେ ସେହି କୂଅ ପର୍ଯ୍ୟନ୍ତ ନେଇଥିଲା। ଅଗ୍ନିଶମ କର୍ମଚାରୀ ପୁଅକୁ ମୃତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରିଥି‌ଲେ। ଏ ନେଇ ମାର୍ଶାଘାଇ ପୁଲିସ ଏକ ମାମଲା(୩/୨୧) ରୁଜୁ କରି କରି ସତ୍ୟରଂଜନ ଓ ଲକ୍ଷ୍ମୀପ୍ରିୟାଙ୍କୁ ଅଟକ ରଖି ଜେରା ଚଳାଇଛି। ପାରିବାରିକ କଳହରୁ ମା’ ଏପରି କାଣ୍ତ ଘଟାଇଥିବା ପୁଲିସ କହିଛି।

ସତ୍ୟରଂଜନ ୨୦୧୮, ନଭେମ୍ବର ୩ ତାରିଖରେ ଲକ୍ଷ୍ମୀପ୍ରିୟାକୁ ପ୍ରେମ ବିବାହ କରିଥିଲେ। ୨୦୨୧ ନଭେମ୍ବର ୯ ତାରିଖରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ୧୫ ଦିନ ତଳେ ଲକ୍ଷ୍ମୀପ୍ରିୟା ବାପ ଘରକୁ ଯିବାକୁ ଜିଦ୍‌ କରିଥିଲେ। ହେଲେ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ତିନି ମାସ ପରେ ବାପ ଘରକୁ ଯିବାକୁ ଶାଶୂ ଘର ଲୋକେ କହିଥିଲେ। ଗଲା ୫ଦିନ ତଳେ ବି ସେ ବାପଘରକୁ ଯିବାକୁ ଜିଦ୍‌ ଧରି ରାସ୍ତା ଉପ‌ରକୁ ପଳାଇ ଥିଲା। ପୁଣି ଗଲା ୩ ଦିନ ତଳେ ବି ଏପରି ଘଟଣା ଦୋହରାଇଥିଲା। ଏହାକୁ ନେଇ ପାରିବାରିକ କଳହ ଲାଗି ରହିଥିଲା। ସତ୍ୟରଂଜନ କୌଣସି କାମ ନ କରି ଘରେ ରହୁଥିବା ବେଳେ ମା’ଙ୍କୁ ମିଳୁଥିବା ପେନସନ୍‌ରେ ସେମାନେ ଚଳୁଥିଲେ। ପାରିବାରିକ କଳହ ଓ ଅର୍ଥାଭାବ ଯୋଗୁଁ ମା’ ଲକ୍ଷ୍ମୀପ୍ରିୟା ତା’ର ଦେଢ ମାସର ଶିଶୁ ପୁତ୍ରକୁ ଏଭଳି ହତ୍ୟା କରିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ତଦନ୍ତକାରୀ ଅଫିସର ଏସ୍‌ଆଇ ଦେବାଶିଷ ପଣ୍ତା କହିଛନ୍ତି।

ସମ୍ବନ୍ଧିତ ଖବର