ପୁରୀ : ସରକାରୀ, ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସବୁଠି ଓଡ଼ିଆ ଫଳକ ଲାଗିବ। ସରକାରୀ ଅଧିକାରୀମାନେ ବି ଫାଇଲ୍‌ପତ୍ର ଓଡ଼ିଆରେ ଲେଖିବେ। ଏହି ନିୟମକୁ ଉଲ୍ଲଙ୍ଘନ କଲେ, ଅପରାଧ ଭାବେ ଧରାଯିବ। ସେହି ଅନୁଯାୟୀ ଜରିମାନା ଆଦାୟ କରାଯିବ। ଦୁଇବର୍ଷ ତଳେ କ୍ୟାବିନେଟ୍‌ ନିଷ୍ପତ୍ତି ପରେ ବିଧାନସଭାରେ ଏହି ବିଲ୍‌ ପାସ ହୋଇଥିଲା। ଆସନ୍ତାକାଲି ମାତୃଭାଷା ଦିବସ। ମାତୃଭାଷା ଦିବସ ଏହି ବିଲ୍‌କୁ ପୁଣିଥରେ ମନେପକାଇ ଦେଇଛି। କିନ୍ତୁ କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଓ ବିଧାନସଭାରେ ପାରିତ ଏହି ବିଲ୍‌ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଭଳି ଲାଗୁନି। କାରଣ ବ୍ୟବସାୟିକ ପ୍ରତିଷ୍ଠାନ ହେଉ କି ଶିକ୍ଷାନୁଷ୍ଠାନ ଅବା ସରକାରୀ କାର୍ଯ୍ୟାଳୟ, ସବୁଠି ଇଂରାଜୀ ଭାଷାର ଅବାଧ ପ୍ର‌ୟୋଗ ଚାଲିଛି। ଆଜି ବି ସବୁଠି ମାଳମାଳ ଇଂରାଜୀ ଫଳକ ଝୁଲୁଛି। ଓଡ଼ିଶା ବିଧାନସଭାରେ ପାରିତ ବିଲ୍‌ ଅନୁଯାୟୀ, ଉପରୋକ୍ତ ନିୟମକୁ ଉଲ୍ଲଙ୍ଘନ କଲେ ଜରିମାନା ବ୍ୟବସ୍ଥା କରାଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରେ ‌ତେବେ ସେମାନଙ୍କୁ ପ୍ରଥମ ଥର ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ। ତଥାପି ଦ୍ବିତୀୟ ଥର ଭୁଲ୍‌ କଲେ ୫ହଜାର ଟଙ୍କାରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରିବାର ନିୟମ ରହିଛି। ୨୦୧୮ ମସିହା ମେ’ ପହିଲାରୁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ‘ସମ୍ବାଦ’ ଟିମ୍‌ ଆଜି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହ ଶିକ୍ଷାନୁଷ୍ଠାନ ବୁଲିଥିଲା। ସବୁଠି ମାଳମାଳ ଇଂରାଜୀ ଫଳକ ଝୁଲୁଥିବା ଦେଖିବାକୁ ମିଳିଥିଲା। ଇଂରାଜୀ ଅପେକ୍ଷା ବଙ୍ଗଳା ଭାଷାରେ ଅଧିକ ଫଳକ ଥିବା ଦେଖିବାକୁ ମିଳିଥିଲା। ବେଳାମାର୍ଗ ବୁଲି ହୋଟେଲ୍‌ମାନଙ୍କ ସ୍ଥିତି ଅନୁଧ୍ୟାନ ବେଳେ ସବୁଠୁ ଇଂରାଜୀ ଫଳକ ବଡ଼ ବଡ଼ ଅକ୍ଷରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। ନିୟମ କହୁଛି, ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ଓଡ଼ିଆ ଫଳକ ମାରିବେ। କିନ୍ତୁ ଅନେକ କୁନି କୁନି ଅକ୍ଷରରେ ନଦିଶିଲା ଭଳି ଓଡ଼ିଆ ଫଳକ ମାରିଥିବା ଦେଖିବାକୁ ମିଳିଥିଲା।

Advertisment

publive-image

ବଡ଼ଦାଣ୍ଡ ଅବସ୍ଥା ବି ସମାନ। ସେହିଭଳି ଜାଭିୟର୍‌ ଭଳି ଶିକ୍ଷାନୁଷ୍ଠାନମାନେ ବି ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ସରକାରୀ ଫାଇଲ୍‌ କଥା ନକହିବା ଭଲ। ଆଜି ବି ସବୁ ଇଂରାଜୀରେ ଉଲ୍ଲେଖ ରହୁଛି। ଏଥିରୁ ଆମ ପ୍ରଶାସନ ଓଡ଼ିଆ ଭାଷା ସଂଶୋଧନ ଆଇନକୁ କେତେ ମାନୁଛନ୍ତି, ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏ ସଂପର୍କରେ ସୁସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ଭାଷା ଭାବ ପ୍ରକାଶର ବଳିଷ୍ଠ ମାଧ୍ୟମ। ମାତୃଭାଷା ଗୋଟିଏ ଜନସମୁଦାୟର ଅମୂଲ୍ୟ ନିଧି। ଭାଷାର ଆକର୍ଷଣ ଧର୍ମ ଓ ସଂପ୍ରଦାୟଠାରୁ ଊର୍ଦ୍ଧ୍ବରେ। ମା’ର ମମତା ଯେପରି, ମାତୃଭାଷାର ମମତା ମଧ୍ୟ ସେପରି। ଓଡ଼ିଶାର ଇତିହାସ, ପରମ୍ପରା ଓ ଐତିହ୍ୟ ନିର୍ମାଣରେ ଓଡ଼ିଆ ଭାଷାର ବଳିଷ୍ଠ ଭୂମିକା ରହିଛି। ମାତୃଭାଷା ହେଉଛି ବ୍ୟକ୍ତିର ସ୍ବାଭିମାନ। ଯେଉଁ ବ୍ୟକ୍ତିର ମାତୃଭାଷା ଯେତେ ପରିମାର୍ଜିତ ସେ ସେତେ ଶିକ୍ଷିତ ଓ ଉନ୍ନତ। କିନ୍ତୁ ଆଜିର ସମାଜ ନିଜ ମାତୃଭାଷାକୁ ଭୁଲି ପାଶ୍ଚାତ୍ୟ ଭାଷା ପଛରେ ଦୌଡ଼ିଛନ୍ତି। ଏହା ଦୁର୍ଭାଗ୍ୟଜନକ। ସରକାରୀ ଯେଉଁ ନିୟମ ଲାଗୁ କରିଛନ୍ତି, ତାକୁ କଡ଼ାକଡ଼ି ପାଳନ କରିବା ଦରକାର। ତାହାଲେ ଯାଇ ଏ ସମାଜ ଚେତିବ।

publive-image

ଏ ସଂପର୍କରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ. ଦିଲୀପ କୁମାର ସ୍ବାଇଁ କହିଛନ୍ତି, ମା’, ମାଟି ଓ ମାତୃଭାଷା ମଣିଷ ଜୀବନର ଏକ ବିରଳ ପ୍ରାଣପ୍ରବାହ। ନିଜ ବୁନିଆଦିକୁ ନେଇ ବିକଶିତ ହେବାର ପରମ୍ପରା ଆମେ ମାତୃଭାଷା ମାଧ୍ୟମରେ ପାଇଥାଉ। ଆଜିର ବଜାରବାଦ ଓ ବିଶ୍ବାୟନ ବ୍ୟବସ୍ଥାରେ ମାତୃଭାଷା ବିପନ୍ନ ହେଉଥିବା ବେଳେ ଆମକୁ ଅଧିକ ପ୍ରତିବଦ୍ଧତାର ସହ ଏହାକୁ ଲୋଡ଼ିବାକୁ ପଡ଼ିବ। ମାତୃଭାଷା ମାଧ୍ୟମରେ ବିଶ୍ବଭାଷା ଜଗତ ଆଡ଼କୁ ଆମେ ପ୍ରଲମ୍ବିତ ହେବା ଉଚିତ୍‌। ସରକାରୀସ୍ତରରେ ବି ଏ ଦିଗରେ ଯଥେଷ୍ଟ ଯତ୍ନବାନ ହେବା ଦରକାର।