ପୋଷଣ ସହିତ ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ ମା’ କ୍ଷୀର: ଶିଶୁରୋଗ ବିଶେଷଜ୍ଞ

ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଭୁବନେଶ୍ୱର: ‘‘ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୋଷଣ ଶକ୍ତି ରହିଛି। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପିଲାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଶିଶୁର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଲାଗି ମା’ କ୍ଷୀର ସର୍ବୋତ୍କୃଷ୍ଟ ଆହାର। ତେଣୁ ଏଥିପାଇଁ ପରିବାର ଓ ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଦରକାର’’, କହିଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାଧାନାଥ ଶତପଥୀ।

ଡାକ୍ତର ଶତପଥୀ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସୋସିଆଲ ପେଡିଆଟ୍ରିକ ଆଣ୍ଡ୍ ମାଇନରିଟି ହେଲଥ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ଅଛନ୍ତି। ପୂର୍ବରୁ ସେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲର ଶିଶୁରୋଗ ବିଭାଗ ମୁଖ୍ୟ ଏବଂ ବ୍ରେଷ୍ଟ ଫିଡିଂ ନେଟଓ୍ବର୍କ ଅଫ୍ ଇଣ୍ଡିଆର ରାଜ୍ୟ ସଂଯୋଜକ ଥିଲେ।

ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଉଛି। ଏହି ଅବସରରେ ଡାକ୍ତର ରାଧାନାଥ ଶତପଥୀ କହିଛନ୍ତି ଯେ, ଶିଶୁ ଲାଗି ମା’ କ୍ଷୀରର କୌଣସି ବିକଳ୍ପ ନାହିଁ। ମା’ କ୍ଷୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଅନେକ ପ୍ରକାର ସଂକ୍ରମଣକୁ ପ୍ରତିହତ କରେ। ଶିଶୁର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବାରେ ଏହା ହେଉଛି ଶ୍ରେଷ୍ଠ ପୋଷକ ତତ୍ତ୍ବ। ତେଣୁ ଏ ସମ୍ପର୍କରେ ଓଡ଼ିଶାର ପ୍ରତି ଘରେ ସଚେତନତା ପହଞ୍ଚିବା ଜରୁରୀ।

“ଅଜ୍ଞତାବଶତଃ ହେଉ କିମ୍ବା ଆବଶ୍ୟକ ସଚେତନତା ଅଭାବରୁ ରାଜ୍ୟର ଅନେକ ମହିଳା, ଏପରିକି ପରିବାର ଶିଶୁ ଲାଗି ସ୍ତନ୍ୟପାନର ଗୁରୁତ୍ୱ କେତେ ଅଧିକ, ତାହା ବୁଝିପାରୁ ନାହାନ୍ତି। ଏହା ଏକ ଚିନ୍ତାର ବିଷୟ”, କହିଛନ୍ତି ଡାକ୍ତର ଶତପଥୀ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣର ଆବଶ୍ୟକତା ପୂରଣ କରିଥାଏ ମା’ କ୍ଷୀର। ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହା ଶିଶୁକୁ ପୋଷଣଗତ ଆବଶ୍ୟକତା ପ୍ରଦାନ କରିଥାଏ।

ସ୍ତନ୍ୟପାନର ବିଭିନ୍ନ ସୋପାନ ସମ୍ପର୍କରେ ଡାକ୍ତର ଶତପଥୀ କହିଛନ୍ତି ଯେ, ଶିଶୁଟିଏ ଜନ୍ମ ହେବାର ୧ ଘଣ୍ଟା ଭିତରେ ତାକୁ ମା’ର କଷ କ୍ଷୀର (କୋଲଷ୍ଟ୍ରମ) ଦେବା ନିହାତି ଜରୁରୀ। କାରଣ ସାମାନ୍ୟ ହଳଦିଆ ରଙ୍ଗର ଏହି ବହଳ କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ଶ୍ବେତ ରକ୍ତ କଣିକା ଥିବାରୁ ତାହା ଶିଶୁକୁ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେବା ସହ ତାହାର ପାଚନ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଶିଶୁମାନଙ୍କୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ହିଁ ଦିଆଯିବା ଦରକାର। ସେହିପରି ୬ମାସରୁ ୮ ମାସ ଯାଏଁ ମା’ କ୍ଷୀର ସହିତ ବିଭିନ୍ନ ପନିପରିବା, ଫଳ ଆଦିକୁ ଦର ସିଝା କରି ଖାଇବାକୁ ଦିଆଯିବା ଉଚିତ୍। ଶିଶୁଙ୍କର ଶାରୀରିକ ଓ ମାନସିକ ବିକାଶ ଭଲ ଭାବରେ ହେବା ଲାଗି ଜନ୍ମରୁ ୨ ବର୍ଷ ଯାଏଁ ସେମାନଙ୍କୁ ଅନ୍ୟ ଖାଦ୍ୟ ସହିତ ଆବଶ୍ୟକ ଅନୁଯାୟୀ ମା’ କ୍ଷୀର ଖାଇବାକୁ ଦେବା ଜରୁରୀ। “ଗବେଷଣା ଅନୁଯାୟୀ ସ୍ତନ୍ୟପାନ କରୁ ନଥିବା ଅନେକ ଶିଶୁଙ୍କଠାରେ ପୋଷଣର ଅଭାବ ଦେଖିବାକୁ ମିଳେ। ଏପରିକି କେତେକଙ୍କ କ୍ଷେତ୍ରରେ ଏହା ଷ୍ଟଣ୍ଟିଂ (ବୟସ ଅନୁସାରେ ଉଚ୍ଚତା କମ୍ ହେବା) ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ”, ସେ କହିଛନ୍ତି।

ନିୟମିତ ସ୍ତନ୍ୟପାନ କରାଇବା ଫଳରେ ଶିଶୁ ସହିତ ମା’ମାନଙ୍କ ପାଇଁ ମଧ୍ୟ ଏହା ବିଶେଷ ଉପକାରୀ ହୋଇଥାଏ। କାରଣ ଏହା ମା’ମାନଙ୍କ କ୍ଷେତ୍ରରେ ମେଦବହୁଳତା, ସ୍ତନ କର୍କଟ ଏବଂ ମଧୁମେହ ଭଳି ବିଭିନ୍ନ ରୋଗର ଆଶଙ୍କାକୁ କମ୍ କରେ। ସେହିପରି ସ୍ତନ୍ୟପାନ ମହିଳାଙ୍କ ପାଇଁ ଏକ ପ୍ରାକୃତିକ ଗର୍ଭନିରୋଧକ ଭାବେ କାମ କରେ ବୋଲି ଏହି ଅବସରରେ କହିଛନ୍ତି ଡାକ୍ତର ରାଧାନାଥ ଶତପଥୀ।

ସମ୍ବନ୍ଧିତ ଖବର