ସୋସିଆଲ୍‌ ମିଡ଼ିଆ ପ୍ରଭାବ: ଗୌହାଟିରେ ହଜିଲେ ମା’, ଖୋଜି ପାଇଲେ ପୁଅ

ପ୍ରତାପୁର : ରାଜ୍ୟ ବାହାରେ ରହୁଥିବା ପୁଅ ପାଖକୁ ଯାଇଛନ୍ତି ମା’। ହେଲେ ହଠାତ୍ ୪ ଦିନ ତଳେ ଅର୍ଥାତ୍ ଗତ ରବିବାର ଦିନ ନିଖୋଜ ହୋଇଗଲେ। ସେପଟେ ପୁଅ ବ୍ୟସ୍ତବିବ୍ରତ ହୋଇ ଥାନାର ଦ୍ବାରସ୍ଥ ହେଲେ। କିନ୍ତୁ ସୋସିଆଲ୍ ମିଡ଼ିଆ ବରଦାନ ସଦୃଶ ସାବ୍ୟସ୍ତ ହେଲା। ସେଠାକାର କିଛି ଲୋକ ନିଖୋଜ ମା’ଙ୍କୁ ତାଙ୍କ ପରିଚୟ ଓ ଠିକଣା ପଚାରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ। ଯାହାର ସହଯୋଗରେ ହଜିଲା ମା’ଙ୍କୁ ପୁଅ ସୁରକ୍ଷିତ ଭାବେ ଘରକୁ ଆଣିବାରେ ସଫଳ ହେଲେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ତାରସିଂ ଥାନା ଅଧୀନ ବାଙ୍କତରା ଗ୍ରାମର ମୂଳବାସିନ୍ଦା ତଥା ସ୍ବର୍ଗତ କୁଞ୍ଜ ନାୟକଙ୍କ ପତ୍ନୀ ବିଳାସ ନାୟକ ଗତ ରବିବାର ଦିନ ଆସାମର ଗୌହାଟି ସହରରେ ହଠାତ୍ ନିଖୋଜ ହୋଇଯିବା ଓ ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ତାଙ୍କୁ ଠାବ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନାନୁସାରେ, ବିଳାସଙ୍କ ବଡ଼ପୁଅ କାହ୍ନୁଚରଣ ଗୌହାଟିରେ ୨୫ ବର୍ଷ ହେଲା ଅଟୋ ଚଳାଉଛନ୍ତି। ସାନଭାଇ ସତ୍ୟନାରାୟଣ ମାନସିକ ରୋଗୀ। ଫଳରେ ମା’ ବିଳାସ ଓ ସାନଭାଇଙ୍କୁ କାହ୍ନୁଚରଣ ବର୍ଷେ ତଳେ ନିଜ ପାଖକୁ ନେଇ ଯାଇଥିଲେ। ଗତ ୧୫ ତାରିଖ ସକାଳ ୮ଟାରେ ସତ୍ୟନାରାୟଣ ହଠାତ୍ ବାହାରକୁ ଯାଇ ଆଉ ଫେରି ନଥିଲେ। ଫଳରେ ମା’ ବିଳାସ ସାନ ପୁଅକୁ ଖୋଜିବାକୁ ବାହାରି ବାଟବଣା ହୋଇ ଯାଇଥିଲେ। ସତ୍ୟନାରାୟଣଙ୍କୁ ଜଣେ ପଡ଼ୋଶୀ ଠାବ କରି କାହ୍ନୁଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ମା’ ବିଳାସ ଆଉ ଫେରି ନଥିଲେ।
କାହ୍ନୁ ମା’ଙ୍କୁ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ବିବ୍ରତ ହୋଇ ନିକଟ ଥାନାରେ ଲିଖିତ ଏତଲା ଦେଇଥିଲେ। ସେଠାରେ ଆଉ ଏକ ଇଲାକାର ପୁଲିସ ତାଙ୍କୁ ଠାବ କରିଥିଲା। ହେଲେ ଭା‌ଷା ସମସ୍ୟା ଯୋଗୁଁ ବିଳାସ ତାଙ୍କ ଠିକଣା ଠିକ୍ ଭାବେ କହିପାରୁ ନଥିଲେ। ଫଳରେ ଏକ ବୃଦ୍ଧାଶ୍ରମ ଚଳାଉଥିବା ସ୍ବେଚ୍ଛାସେବୀ ସଂଗଠନ ପାଖରେ ନେଇ ବିଳାସଙ୍କୁ ରଖା ଯାଇଥିଲା। ସଂଗଠନ କର୍ମକର୍ତ୍ତା ବିଳାସଙ୍କୁ ତାଙ୍କ ଠିକଣା ପଚାରିବା ସହ ତାଙ୍କ ବାର୍ତ୍ତାର ଭିଡ଼ିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ବିଳାସ ତାଙ୍କ ଘର ବେଲଗୁଣ୍ଠା ଓ ଭଞ୍ଜନଗର ମଧ୍ୟରେ ଥିବା ବାଙ୍କତରା ଗ୍ରାମରେ ବୋଲି କହିବା ସହ ତାଙ୍କ ପରିବାର ବିଷୟରେ ସଂପୂର୍ଣ୍ଣ ତଥ୍ୟ ବର୍ଣ୍ଣନା କରିଥିଲେ। ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ପରେ ବାଙ୍କତରା ଗ୍ରାମର ବିକ୍ରମ ନାମକ ଜଣେ ଯୁବକ ଦେଖି ସଂଗେ ସଂଗେ କାହ୍ନୁଙ୍କ ସହ ଯୋଗାଯୋଗ କରିଥିଲେ। କାହ୍ନୁ ସଂଗେ ସଂଗେ ଆଜି ସକ‌ାଳେ ଉକ୍ତ ସଂସ୍ଥାର ଠିକଣା ‌ଖୋଜି ସେଠାରେ ପହଞ୍ଚି ମାଆ ବିଳାସଙ୍କୁ ଦେଖି ଭାବବିହ୍ବଳ ହୋଇ ପଡ଼ିଥିଲେ। ୪ ଦିନ ପରେ ମା’ଙ୍କୁ ପାଇ ଆଶ୍ବସ୍ତି ଅନୁଭବ କରିଥିଲେ। ମା’ଙ୍କ ସହ ସେଠାରେ ଫଟୋ ଉଠାଇଥିଲେ। ଏଥିପାଇଁ ସେ ସୋସିଆଲ୍ ମିଡ଼ିଆ ଓ ଉକ୍ତ ସଂଗଠନର କର୍ମକର୍ତ୍ତା ଏବଂ ପୁଲିସକୁ ସାଧୁବାଦ ଜଣାଇଛନ୍ତି।
ସମ୍ବନ୍ଧିତ ଖବର