ବାଲେଶ୍ବର, (ରୁଦ୍ରରଂଜନ ଶେଜପଡ଼ା): ଏବେ ଏବେ ବିଦାୟ ନେଇଛି ପ୍ରେମ ସପ୍ତାହ। ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ଏହି ଦିବସକୁ ପାଳନ କରିଛନ୍ତି। ପ୍ରେମିକ ପ୍ରେମିକାମାନେ ପରସ୍ପର ପ୍ରତି ସେମାନଙ୍କ ପ୍ରେମ ପ୍ରଦର୍ଶନ କରିଥିବା ବେଳେ କେହି କେହି ପ୍ରିୟଜନଙ୍କ ସ୍ନେହାଶୀର୍ବାଦ ମଧ୍ୟ ଲୋଡ଼ିଛନ୍ତି। ଏହା ହେଉଛି ପ୍ରକୃତ ସମୟ; ଆମେ ଜଣେ ନିଆରା ମହିଳାଙ୍କ ନିଃସର୍ତ୍ତ ମାତୃପ୍ରେମ ବାବଦରେ ଆମ ପାଠକଙ୍କୁ ଜଣାଇବା।
ବାଲେଶ୍ବର ସହର ରାଣୀପାଟଣାରେ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟଟିଏ ଅଛି। ଏଠାରେ ତତ୍ତ୍ବାବଧାରକ ଭାବେ ଜ୍ୟୋତିର୍ମୟୀ ଦାସ କାମ କରନ୍ତି। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୨୦ ବର୍ଷ ହେଲା ସେ ବିଦ୍ୟାଳୟରେ ରହୁଥିବା ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ଭଲମନ୍ଦ କଥା ବୁଝୁଛନ୍ତି। ଏଠାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସେ କେବେ ବି ସେମାନଙ୍କ ବାପାମାଆଙ୍କ ଅନୁପସ୍ଥିତିକୁ ଅନୁଭବ କରିବା ପାଇଁ ଦେଇ ନାହାନ୍ତି। କେତେବେଳେ ମାଆ ହୋଇ ସେମାନଙ୍କ ଅଝଟ ସହିଛନ୍ତି ତ ଆଉ କେତେବେଳେ ବାପା ଭୂମିକାରେ ରହି ସବୁ ଅଭାବ ଅସୁବିଧା ଦୂର କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଜ୍ୟୋତିର୍ମୟୀ ଦିଦି ସତରେ ଯେମିତି ପ୍ରେମମୟୀ ପାଲଟିଯାଇଛନ୍ତି। ତାଙ୍କର ଭଲପାଇବା ଓ ସେବାଯତ୍ନ ପାଇଁ ବେଶ୍ ଖୁସିଥିବା କହିଛନ୍ତି ଅନ୍ତେବାସୀ ଶେଖର ଚନ୍ଦ୍ର ପ୍ରଧାନ ଏବଂ ପଦ୍ମିନୀ ଟୁଡୁ।
ଛାତ୍ରଛାତ୍ରୀଙ୍କ ପ୍ରତି ଜ୍ୟୋତିର୍ମୟୀ ଦିଦିଙ୍କ ମାତୃପ୍ରେମକୁ ଯିଏ ବି ଦେଖେ, ସିଏ ପ୍ରଶଂସା ନ କରି ରହିପାରେନି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନର ସବୁ କର୍ମକର୍ତ୍ତା ତାଙ୍କର ଜଣେ ଜଣେ ପ୍ରଶଂସକ। ଭାଗ୍ୟର ବିଡ଼ମ୍ବନା ସହ ଯୁଝି ହେଉଥିବା ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଭଲପାଇବା ସମସ୍ତଙ୍କୁ ଅଭିଭୂତ କରେ ବୋଲି କହନ୍ତି ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ନିର୍ଦେଶକ ଦିବାକର ସ ଏବଂ ଶିକ୍ଷକ ସୁନୀଲ କୁମାର ବିଶ୍ବାଳ।
ଜ୍ୟୋତିର୍ମୟୀ ଦିଦିଙ୍କ ମାତୃପ୍ରେମ ଆଗରେ ସତରେ ଯେମିତି ସବୁକିଛି ଫିକା ଲାଗେ। ବିଦ୍ୟାଳୟରେ ତାଙ୍କ ଭୂମିକାକୁ ନେଇ ଯିଏ ଯେତେ ପ୍ରଶଂସା କଲେ ବି ତାଙ୍କୁ ଗର୍ବ କେବେ ଛୁଇଁପାରେନି। ସେ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ସବୁଦିନ ଜ୍ୟୋତି ମାଆ ହୋଇ ରହିବାକୁ ଚାହାନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି।
ସୂଚନା ଥାଉକି ଜ୍ୟୋତିର୍ମୟୀଙ୍କ ଘର ବାଲେଶ୍ବର ଜିଲ୍ଲା ଶାସଙ୍ଗରେ। ତାଙ୍କର ଛୋଟ ସଂସାର। ସ୍ବାମୀ ଭଗବାନ ଚନ୍ଦ୍ର ଦାସ ଜଣେ ସମାଜସେବୀ ଏବଂ ଏକମାତ୍ର ଝିଅ ଦେବୀକ୍ରିଷ୍ଣା ଏବେ ମଡର୍ଣ୍ଣ ପବ୍ଲିକ୍ ସ୍କୁଲ୍ରେ ପାଠ ପଢ଼ୁଛନ୍ତି। ସେ ଜଣେ ଭଲ ଛାତ୍ରୀ। ଦେବୀକ୍ରିଷ୍ଣା ସବୁ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି। ଅଭାବ ଅସୁବିଧା ଥିଲେ ମଧ୍ୟ ଜ୍ୟୋତିର୍ମୟୀ ନିଜ ସ୍ବାମୀ ଓ ଝିଅ ସହ ଦିବ୍ୟାଙ୍ଗ ପିଲାମାନଙ୍କ ଗହଣରେ ବେଶ୍ ହସଖୁସିରେ ଜୀବନ ଜିଉଛନ୍ତି।