ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲରେ ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ମା’ର ପରିଚୟ ମିଳିଛି। ସମ୍ବଲପୁର ଏସ୍ପି ମୁକେଶ ଭାମୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶିଶୁକନ୍ୟାର ମା’ ହେଉଛନ୍ତି ଜଣେ ଦିନ ମଜୁରିଆ ଓ ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ। ଶିଶୁକନ୍ୟା ଉଦ୍ଧାର ହେବାର ୩ ଦିନ ପରେ ପୁଲିସ ସଂପୃକ୍ତ ମହିଳାଙ୍କୁ ଚିହ୍ନଟ କରିଥିଲା। ତାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ନିଜର ଭୁଲ ସ୍ବୀକାର କରିଥିଲେ। କିନ୍ତୁ ମହିଳାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ମହିଳା ଜଣକ ସୁସ୍ଥ ହେଲା ପରେ ତଦନ୍ତ ଆଗକୁ ବଢ଼ିପାରିବ।
ଏସ୍ପି ଶ୍ରୀ ଭାମୁ କହିଛନ୍ତି, ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ଚିକିତ୍ସା ଭୀମସାରରେ ଜାରି ରହିଛି। ଗତକାଲି ଶିଶୁକନ୍ୟାର ଏକୋଇଶା ଥିଲା। ଏହି ଅବସରରେ ତା’ର ନାମ ‘ବିଜୟିନୀ’ ରଖାଯାଇଥିଲା।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୨ ତାରିଖ ଦିନ ଅପରାହ୍ଣରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଖପାଖର କିଛି ଲୋକ ଯାଇଥିଲେ। ସେଠାରେ ସେମାନେ ପରିତ୍ୟକ୍ତ ନଳକୂପ ଭିତରେ ଜଣେ ନବଜାତ ଶିଶୁର କ୍ରନ୍ଦନ ଶୁଣିଥିଲେ। ଏନେଇ ସେମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍ ଟିମ୍ର କର୍ମଚାରୀଙ୍କ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୦ ଫୁଟ୍ ଭିତରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମେଡିକାଲ ଟିମ୍ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ଡାକ୍ତରଖାନାକୁ ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/4560734d-cc3f-40a3-8b7b-6930313d862c.jpeg)