‘ସମ୍ବାଦ’ର ସିଓଓଙ୍କ ମାତୃ ବିୟୋଗ, ୮୦ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ପଂଚାୟତର ସରମରା ଗାଁର ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପୁରୁଷୋତ୍ତମ ମହାପାତ୍ରଙ୍କ ପୁତ୍ରବଧୂ ଓ ଅବସରପ୍ରାପ୍ତ ଶିକ୍ଷକ ବୈକୁଣ୍ଠ ମହାପାତ୍ରଙ୍କ ଧର୍ମପତ୍ନୀ ଏବଂ ‘ସମ୍ବାଦ’ର ସିଓଓ (ମୁଖ୍ୟ ପରିଚାଳନା ଅଧିକାରୀ) କମଳାକାନ୍ତ ମହାପାତ୍ରଙ୍କ ମାତା ଶ୍ରୀମତୀ ଭଗବତୀ ମହାପାତ୍ରଙ୍କର ଆଜି (ରବିବାର) ଅପରାହ୍ଣରେ ହୃଦଘାତରେ ପରଲୋକ ହୋଇଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ଚରମରା ସବ-ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ରୂପେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ପରେ ସେ ୨୦୦୫ରେ ଚାକିରିରୁ ଅବସର ନେଇଥିଲେ। ସେ କେବଳ ମାତ୍ର ନିଜକୁ ସରକାରୀ ଚାକିରି ମଧ୍ୟରେ ସୀମିତ କରି ରଖି ନଥିଲେ। ତାଙ୍କ ସ୍ୱର୍ଗତ ଶ୍ୱଶୁରଙ୍କ ନାଁରେ ନାମିତ ପୁରୁଷୋତ୍ତମ ବିଦ୍ୟାମନ୍ଦିରର ସଭାପତି ଭାବରେ ସେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ସେ ମଧ୍ୟ ସେହି ସମୟରେ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସ୍କୁଲରେ ଅବୈତନିକ ସିଲେଇ ଶିକ୍ଷୟିତ୍ରୀ ଭାବରେ ବାଳିକାମାନଙ୍କୁ ଶିକ୍ଷାଦାନ ଦେଉଥିଲେ। ଗ୍ରାମ୍ୟ ମହିଳାମାନଙ୍କର ସଶକ୍ତିକରଣ ଉଦ୍ଦେଶ୍ୟରେ ସେହି ସମୟରେ ଗଠିତ ହୋଇଥିବା ମହିଳା ସମିତିର ସଂପାଦିକା ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ଭଗବତୀ କେବଳ ସରକାରୀ ଚାକିରି, ସମାଜସେବା କ୍ଷେତ୍ରରେ ବ୍ରତୀ ନଥିଲେ; ସେ ଜଣେ ଆଦର୍ଶ ଅମାୟିକ ଓ ଆଧ୍ୟାତ୍ମିକ ସ୍ନେହବତ୍ସଳା ମହିଳା ଭାବରେ ବେଶ ପରିଚିତ ଥିଲେ।

ଭଗବତୀଙ୍କ ୫ଜଣ ଝିଅଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁକାନ୍ତି ମହାପାତ୍ର। ସେ କେନ୍ଦୁଝର ଜିଲ୍ଲାର ଛେନାପତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଏବଂ ତାଙ୍କର ଏକମାତ୍ର ପୁତ୍ର କମଳାକାନ୍ତ ମହାପାତ୍ର ଦୈନିକ ଖବରକାଗଜ ‘ସମ୍ବାଦ’ର ସିଓଓ (ମୁଖ୍ୟ ପରିଚାଳନା ଅଧିକାରୀ) ଭାବରେ ଦାୟିତ୍ୱ ତୁଲାଉଛନ୍ତି।

ଭଗବତୀଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୫ ଝିଅ-ଜ୍ୱାଇଁ, ପୁତ୍ର-ପୁତ୍ରବଧୂ, ନାତି ନାତୁଣୀ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର