ଯୋଡ଼ା ଆଶ୍ୱିନ ହେଲା କାଳ : ପାଳିରେ ନେବାକୁ ପୁଅବୋହୂ ଭିଡ଼ାଭିଡ଼ି, ରାସ୍ତାକଡ଼ରେ ବୃଦ୍ଧା ମା’

ପାତ୍ରପୁର : ଯେଉଁ ମା’ ୧୦ ମାସ ୧୦ ଦିନ କାଳ ଗର୍ଭରେ ରଖି କଷ୍ଟ ସହି ସନ୍ତାନସନ୍ତତିଙ୍କୁ ଜନ୍ମ ଦେଲା ସେହି ମା’ ବୟସର ସାୟାହ୍ନରେ ଆଜି ଅଲୋଡ଼ା ପାଲଟି ଯାଇଛି। ନିଜ ସ୍ବାର୍ଥ ହାସଲ ପାଇଁ ସେମାନେ ଜନ୍ମକଲା ମା’କୁ ରାସ୍ତାରେ ବି ବସାଇ ଦେବାକୁ ଭୁଲି ନାହାନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ଭାଗବଣ୍ଟା ପରେ ମା’କୁ ମଧ୍ୟ ପୂର୍ଣ୍ଣିମାରୁ ପୂର୍ଣ୍ଣିମା ପାଳି କରି ରଖିବାକୁ ପୁଅ ଓ ବୋହୂଙ୍କ ଭିତରେ କଥା ଛିଣ୍ଡିଥିଲା। କିନ୍ତୁ ଚଳିତବର୍ଷ ‌ଯୋଡ଼ା ଆଶ୍ବିନ ପଡ଼ିଯାଇଥିବାରୁ ମା’କୁ କିଏ ରଖିବ ଏହାକୁ ନେଇ ଆରମ୍ଭ ହୋଇଛି କଳି। ଯାହାର ଫଳସ୍ବରୂପ ସେମାନେ ମା’କୁ ଘରୁ ବାହାର କରି ରାସ୍ତା‌କଡ଼ରେ ବସାଇଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ମା’କୁ କିଏ ରଖିବ, ଏନେଇ କୌଣସି ନିର୍ଯ୍ୟାସ ବାହାରି ନଥିବାରୁ ବିଚରା ୮୦ ବୟସର ବୃଦ୍ଧା ସେମିତି ରାସ୍ତା ଉପରେ ବସି ରହିଛନ୍ତି।

ମିଳିଥିବା ସୂଚନାନାନୁସାରେ, ତୁମ୍ବା ଗ୍ରାମର ବୃଦ୍ଧା ବାଇ ପାଢ଼ୀଙ୍କ ଚାରି ପୁଅଙ୍କ ମଧ୍ୟରୁ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ଏବଂ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ଆଉ ଦୁଇ ପୁଅ ହରିଶ୍ଚନ୍ଦ୍ର ଏବଂ କୃଷ୍ଣଚନ୍ଦ୍ର ସପରିବାର ରହୁଛନ୍ତି। ସଂପତ୍ତି ଭାଗବଣ୍ଟା ସରିବା ପରେ ଦୁଇ ବିଧବା ବୋହୂ ଓ ଦୁଇ ପୁଅ ମାନଙ୍କ ମଧ୍ୟରେ ମା’କୁ ପାଳି କରି ଓଡ଼ିଆ ମାସର ପୂର୍ଣ୍ଣିମାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ବାଇ ସାନ ବିଧବା ବୋହୂ ପାଖରେ ଥିଲେ। ଗତକାଲି ପୂର୍ଣ୍ଣିମା ଶେଷ ହୋଇଥିଲା। ଫଳରେ ପାଳି ଅନୁସାରେ ସେ ତାଙ୍କ ବଡ଼ପୁଅ ହରିଶ୍ଚନ୍ଦ୍ରଙ୍କ ପାଖକୁ ଯିବାର ଥିଲା। ହେଲେ ହେଲେ ଯୋଡ଼ା ଆଶ୍ବିନ ପଡ଼ିଥିବାରୁ ମା’କୁ ରଖିବା ପାଇଁ ହରିଶ୍ଚନ୍ଦ୍ର ରାଜି ହେଉନାହାନ୍ତି। ଫଳରେ ଏହାକୁ ନେଇ ଦୁଇ ପୁଅ, ବୋହୂ ଓ ଦୁଇ ବିଧବା ବୋହୂଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଛି। ଯାହାର ପରିଣାମ ସ୍ବରୂପ ବୃଦ୍ଧା ମା’ ବାଇ ଅପରାହ୍‌ଣ ୫ଟାରୁ ରାସ୍ତା ଉପରେ ସେମିତି ଏକ ମଶିଣା ଉପରେ ବସିଥିବା ଦେଖିବାକୁ ମିଳିଛି। ପାଖରେ ତାଙ୍କର ପୁଟୁଳି ଓ ବ୍ୟାଗ୍ ପଡ଼ିଛି। ଗ୍ରାମବାସୀଙ୍କ ଅନୁରୋଧ ପରେ ମଧ୍ୟ ପୁଅ ଓ ବୋହୂମାନେ ତାଙ୍କୁ କେହି ନେବାକୁ ରାଜି ହେଉ ନାହାନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପୁଅ ମାଆକୁ ରଖିବାକୁ କୌଣସି ନିର୍ଣ୍ଣୟ ହୋଇନାହିଁ।

ସମ୍ବନ୍ଧିତ ଖବର