ବାପାଙ୍କ ମୃତ୍ୟୁ ପରେ ଛାଡ଼ି ପଳାଇଲା ମା’

କୁଳିଅଣା: ବୟସ ମାତ୍ର ୧୩ ବର୍ଷ। ହେଲେ ଏହି କଅଁଳ ବୟସରେ କୁନି ଝିଅଟି କାନ୍ଧରେ ପରିବାରର ବୋଝ। ପାଠ ପଢ଼ି ଭଲ ମଣିଷ ହେବାକୁ ଆଖିରେ ଆଖିଏ ସ୍ବପ୍ନ ଥିଲେ ବି ଦୁଃଖର ପାହାଡ଼ ତଳେ ସବୁ ସ୍ବପ୍ନ ଚାପି ହୋଇଗଲାଣି। ଏ କାହାଣୀ ହେଉଛି କୁଳିଅଣା ବ୍ଲକ୍‌ ସରଗଛିଡ଼ା ପଞ୍ଚାୟତ ଘୁଣ୍ଟୁବଣି ଗ୍ରାମର ମଧୁସ୍ମିତା ମୁର୍ମୁଙ୍କର। ୨୦୧୭ ମସିହାରେ ବାପା ମୁକୁନ୍ଦଙ୍କ ଅକାଳ ବିୟୋଗ ହେଲା। ବାପାଙ୍କ ମୃତ୍ୟୁ ପରେ ମା’କୁ ଭରସା କରିଥିଲେ ମଧୁସ୍ମତା ଓ ତାଙ୍କ ସାନ ଭଉଣୀ ପାନମଣୀ (୧୦)। ହେଲେ ମା’ ବି ସେମାନଙ୍କୁ ଛାଡ଼ି କେଉଁଆଡ଼େ ପଳାଇଲେ।

ଘରେ ୨ ଭଉଣୀଙ୍କ ସହ ଶଯ୍ୟାଶାୟୀ ଜେ‌ଜେବାପା ଗୋପୀନାଥ। ଏମିତି ସ୍ଥିତିରେ ସାନଭଉଣୀ ପାନମଣି ଶୁଳିଆପଦା ବ୍ଲକ୍‌ ପୁରୁଣାପାଣି ଗ୍ରାମର ମାମୁ ଘରେ ରହି ପଞ୍ଚମ ଶ୍ରେଣୀରେ ପଢ଼ୁଛି। ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମଧୁସ୍ମିତା ପରିବାରର ବୋଝ ମୁଣ୍ଡାଇଛନ୍ତି। ଜେଜେବାପାଙ୍କ ଦେଖାଶୁଣା କରିବା ସହ ରୋଷେଇବାସ ଆଉ ପାଠପଢ଼ା, ଏ ଭିତରେ ଘାଣ୍ଟି ହେଉଛି ଏହି କୋମଳମତି ଶିଶୁକନ୍ୟା। ସରକାରୀ ଯୋଜନାରେ ମାସକୁ ୩୫ କେଜି ଚାଉଳ ମିଳୁଥିବାରୁ ସେଥିରେ ପେଟ ପୁରୁଛି।

ତେବେ ପାଠପଢ଼ା ପ୍ରତି ମଧୁସ୍ମିତାଙ୍କ ଆଗ୍ରହ ଦେଖି ସରଗଛିଡ଼ା କ୍ଲଷ୍ଟର୍‌ର ସିଆର୍‌ସିସି ଦୀପକ କୁମାର ବାରିକ କୁଳିଅଣା  ଗୋଷ୍ଠୀ ଶିକ୍ଷାଧିକାରୀ ଶାମ୍ୟାଶଙ୍କର ଶତପଥିଙ୍କୁ ଜଣାଇଥି‌ଲେ। ଶ୍ରୀ ଶତପଥି କୁନି ଝିଅଟିର ପାଠପଢ଼ା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି। ହେଲେ ଝିଅଟି ଛାତ୍ରୀ ନିବାସରେ ରହି ପାଠ ପଢ଼ିଲେ ବୁଢ଼ା ଜେଜେବାପାକୁ ଦେଖିବ କିଏ। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପିଲାଟିର ଭବଷ୍ୟତ ସୁଧାରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର