ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ କଙ୍କୋରଡା ଗ୍ରାମ ବ୍ରାହ୍ମଣସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ଗତକାଲି ବିଳମ୍ବିତ ରାତିର ଘଟଣା। ମାନସିକ ଭାରସାମ୍ୟ ହରାଇ ଜଣେ ମହିଳା ନିଜ ୬ ବର୍ଷର ଶିଶୁକନ୍ୟାକୁ କୂଅକୁ ଠେଲି ଦେଇଥିଲେ। ତେବେ ଚିତ୍କାର ଶୁଣି ତୁରନ୍ତ ଗ୍ରାମବାସୀ ପହଞ୍ଚି ସୁରକ୍ଷିତ ଭାବେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Advertisment

ସୂଚନା ପ୍ରକାରେ, ମହିଳାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶର ଓଙ୍ଗୋଲରେ କାମ କରିବାକୁ ମାସକ ପୂର୍ବରୁ ଯାଇଥିବା ଜଣାପଡ଼ିଛି। ମହିଳା ଜଣକ ନିଜର ଶିଶୁକନ୍ୟା ସହ ସ୍ଵାମୀ ଓ ପରିବାର ଠାରୁ ଅଲଗା ରହୁଥିଲେ। ଗତକାଲି କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଶିଶୁଟି ଶୋଇଥିବା ବେଳେ ଟେକି ନେଇ ଗାଁ ଦାଣ୍ଡରେ ଥିବା କୂଅକୁ ଠେଲି ଦେଇଥିବା କୁହାଯାଉଛି। ଶିଶୁଟିର ଚିତ୍କାର ଶୁଣି ତୁରନ୍ତ ସାହିପଡ଼ିଶା ପହଞ୍ଚି ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିଥିଲେ। ଘଟଣା ପରେ ମହିଳା ଜଣକ କୌଣସି ସ୍ଥାନକୁ ପଳାଇଥିବା ବେଳେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡ଼ିଛି। ମହିଳାଙ୍କ ଏଭଲି କାଣ୍ଡ ପଛରେ କାରଣ ସ୍ପଷ୍ଟ ହୋଇନାହିଁ।