ସମ୍ବଲପୁର: ଏଣିକି ସମ୍ମୁଖ ଦ୍ବାର ଦେଇ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରବେଶ କରି ପାରିବେ ଭକ୍ତ। ସମ୍ମୁଖରେ ଥିବା ୧ ନମ୍ବର ଦ୍ବାରରେ ପ୍ରବେଶ କରି ସେହି ସମ୍ମୁଖ ପାର୍ଶ୍ବରେ ଥିବା ୨ ନମ୍ବର ଦ୍ବାର ଦେଇ ପ୍ରସ୍ଥାନ କରିବେ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଅନୁମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଥିବା ସଭାପତି ସଂଜୟ କୁମାର ବାବୁ ସୂଚନା ଦେଇଛନ୍ତି। ତେବେ ମନ୍ଦିର ପ୍ରବେଶ ଓ ମାଁଙ୍କ ଦର୍ଶନ ପାଇଁ ଥିବା ଅନ୍ୟ ସମସ୍ତ କୋଭିଡ୍ କଟକଣା ପୂର୍ବ ଭଳି ବଳବତ୍ତର ରହିବ।
ହାତ ବିଶୋଧନ କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହେବ ବୋଲି ଶ୍ରୀ ବାବୁ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ମାଁଙ୍କ ଦର୍ଶନ ସମୟ ମଧ୍ୟ ପୂର୍ବ ଭଳି ସୀମିତ ରହିବ। ଭକ୍ତମାନେ ସକାଳ ୬ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ସଂଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ମାଁ ସମଲେଶ୍ବରୀଙ୍କ ଦର୍ଶନ ପାଇ ପାରିବେ। ବିଶୋଧନ ଓ ସଫେଇ କାର୍ଯ୍ୟ ପାଇଁ ପ୍ରତି ଗୁରୁବାଦ ଦିନ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ।