ନୀଳଗିରି: ନୀଳଗିରି ଅଞ୍ଚଳର ଜଣେ ମହିଳା ଦାରିଦ୍ର୍ୟର କୁଠାରଘାତ ସହି ନ ପାରି ନିଜର ୫ ଦିନର ଶିଶୁକନ୍ୟାକୁ ବିକିଦେବା ପାଇଁ ଗ୍ରାହକ ଖୋଜିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ପରି ଆଦିବାସୀ ବହୁଳ ଅଞ୍ଚଳରେ ଆଉ ଏକ ଦାରିଦ୍ର୍ୟର ଚିତ୍ର ସାମ୍ନାକୁ ଆସିଛି। ତେବେ ମହିଳାଜଣକ ଶିଶୁକନ୍ୟାକୁ ବିକ୍ରି କରିବାକୁ ଆସିଥିବା ବେଳେ ଖବରପାଇ ତାଙ୍କ ଭିଣୋଇ ଉକ୍ତ ଶିଶୁକୁ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଛନ୍ତି।

Advertisment

publive-image

ଏପରି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତର ଟାଙ୍ଗଣା ଗ୍ରାମରେ ଘଟିଛି। ଗ୍ରାମର ପିଟୁ ସିଂଙ୍କ ପୁଅ ଗଣେଶ ଗରଡିହି ପଞ୍ଚାୟତର କୁଂଚିବଣିଆ ଗ୍ରାମର ଘନ ସିଂଙ୍କ ଝିଅ ଗିତାଙ୍କୁ ଭଲପାଇ ୪ର୍ଥ ବିବାହ କରିଥିଲେ। ବସ୍‌ରେ ହେଲ୍‌ପର କାମ କରୁଥିବା ଗଣେଶ ନିଜ ପରିବାରର ଭରଣପୋଷଣ କରିଆସୁଥିବା ବେଳେ ତାଙ୍କର ପୁତ୍ର ସନ୍ତାନଟିଏ ଅଛି। ତେବେ କିଛିମାସ ବ୍ୟବଧାନ ପରେ ଗୀତା ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଗଣେଶ ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେବାରୁ ନିରୁପାୟ ହୋଇ ଗୀତା ଶେଷରେ ନିଜର ବାପଘର କୁଂଚିବଣିଆକୁ ପଳାଇ ଆସିଥିଲେ। ତେବେ ୪ ଦିନ ପୂର୍ବରୁ ଗୀତା ବାପଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାକୁ ନେଇ ଗୀତାଙ୍କ ବାପଘର ଲୋକେ ମଧ୍ୟ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ତୁରନ୍ତ ଜନ୍ମିତ ଝିଅକୁ ବିକ୍ରି କରି ଦେବାକୁ ବାଧ୍ୟ କରିଥିବା ଗୀତା ପ୍ରକାଶ କରିଛନ୍ତି। ଦାରିଦ୍ର୍ୟର କଷାଘାତ ଭିତରେ ଗୀତା ନିଜ ଝିଅକୁ ଧରି ବିକ୍ରି ପାଇଁ ପୋଡ଼ାଶୂଳ ଛକରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଉକ୍ତ ମହିଳାଙ୍କୁ ଦେଖି ସ୍ଥାନୀୟ ଲୋକେ ରୁଣ୍ତ ହୋଇଯାଇଥିଲେ। ମହିଳାଙ୍କଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ। ଖବରପାଇ ଗୀତାଙ୍କ ଭିଣୋଇ ରଣଜିତ୍ ସିଂ ପୋଡ଼ାଶୂଳ ଛକରେ ପହଞ୍ଚି ଶିଶୁ କନ୍ୟାଙ୍କୁ ଅତି ଆଦରର ସହ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଗୀତାଙ୍କ ସ୍ବାମୀ ୫ମ ଥର ପାଇଁ ଅନ୍ୟତ୍ର ବିବାହ କରିଛନ୍ତି। ଏକଥା ପ୍ରଚାରିତ ହେବାପରେ ସ୍ବାମୀ ଗଣେଶ ଓ ଗୀତାଙ୍କ ବାପା ଘନ ସିଂଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।