ଯାଜପୁରସଦର: ପାରିବାରିକ କଳହ କାରଣରୁ ନିଜ ଜନ୍ମିତ ଶିଶୁପୁତ୍ରକୁ ବିକିଦେଇଛି ମା’। ଏ ବିଷୟରେ ଶିଶୁର ବାପା ଓ ଜେଜେମାଆ ଜାଣିବା ପରେ ଘଟଣା ସାମନାକୁ ଆସିଛି। ପୁଅକୁ ଫେରିପାଇବା ଲାଗି ବାପା ଏବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତଦନ୍ତ କରାଯାଇଛି।

Advertisment

ବାପା ଓ ଜେଜେମାଆଙ୍କ ଅଭ‌ିଯୋଗ ପରେ ଖୋଳତାଡ଼
ମା’ ଫେରାର, ଥାନାରେ ଏତଲା ଦେଲା ଶିଶୁ ସୁରକ୍ଷା ବିଭାଗ

ସୂଚନା ଅନୁସାରେ ଯାଜପୁର ଟାଉନ ଥାନା ବଡ଼ସୁଆର ପଞ୍ଚାୟତ ତୋଟାସାହି ଗ୍ରାମର ପ୍ରଶାନ୍ତ ପରିଡ଼ା ୧୧ ବର୍ଷ ତଳେ ଛତିଶିଦେବିଲି ଅଞ୍ଚଳର ପୂଜା ପରିଡ଼ାଙ୍କୁ ବିବାହ କରିଥିଲେ। ଏହା ପରେ ତାଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ୪ ବର୍ଷ ତଳେ ଦାମ୍ପତ୍ୟ କଳହ କାରଣରୁ ପତ୍ନୀ ଶାଶୂଘର ଛାଡ଼ି ପିଲାକୁ ନେଇ ଅନ୍ୟତ୍ର ରହୁଥିଲେ। ଏବେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ସ୍ତ୍ରୀ ଘରକୁ ଫେରିଥିଲେ ମଧ୍ୟ ସାଙ୍ଗରେ ନେଇଥିବା ପୁଅ ସାଇରାମ (ବର୍ତ୍ତମାନ ୭ ବର୍ଷ)କୁ ଆଣି ନଥିଲେ। ଏ ସଂକ୍ରାନ୍ତରେ ସାଇରାମର ବାପା ଓ ଜେଜେମାଆ ପୂଜାଙ୍କୁ ପ୍ରଶ୍ନ କରିବାରୁ ସେ ପୁଅକୁ ଯାଜପୁରରୋଡ୍‌ ଅଞ୍ଚଳରେ ୧୮ ହଜାର ଟଙ୍କାରେ ବିକ୍ରି ‌କରି ଦେଇଥିବା କହିଥିଲେ। ଏହା ଜାଣିବା ପରେ ବାପା ଓ ଜେଜେମାଆ ପୁଅକୁ ଖୋଜି ଆଣିବାକୁ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ 

ପରାମର୍ଶକ୍ରମେ ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ କମିଟି ଓ ଚାଇଲ୍‌ଡ ଲାଇନ୍‌ ପରିବାର ପାଖରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟ ବଡ଼ସୁଆର ତୋଟାସାହି ସମେତ ଛତିଶିଦେବିଲି ଅଞ୍ଚଳରେ ଥିବା ପୂଜାଙ୍କ ବାପଘର ଗ୍ରାମକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି। ଥାନାରେ ଲିଖିତ ଅଭିଯୋଗ ପରେ ପୂଜା ଫେରାର ହୋଇଯାଇଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସେ ନିଜ ପୁଅକୁ ବିକ୍ରି କଲେ ଏବଂ ପିଲାଟି ବର୍ତ୍ତମାନ କେଉଁଠି ଅଛି ତାହା ଜଣାପଡ଼ିନାହିଁ।