୭ ହଜାର ଟଙ୍କାରେ ପୁଅକୁ ବିକିଲେ ମା’

ଉଦ୍ଧାର ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ହସ୍ତାନ୍ତର, ୩ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଜଣେ ମହିଳା ତାଙ୍କର ନବଜାତ ଶିଶୁପୁତ୍ରକୁ ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପୁଲିସ୍‌ ଓ ଚାଇଡ୍ଡଲାଇନ୍‌ର ମିଳିତ ଚଢ଼ାଉ ପରେ ଶିଶୁକୁ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ସେଣ୍ଡା ଗ୍ରାମର ରାମ ମାଝିଙ୍କ ସ୍ତ୍ରୀ ବାସନ୍ତୀ ମାଝି ଗତ ୮ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ଦେବାର ଦିନକ ପରେ ତାଙ୍କ ପାଖରେ ନବଜାତ ଶିଶୁଟି ନଥିବା ଆଶା କର୍ମୀ ଜାଣିବାକୁ ପାଇଥିଲେ। ତେବେ ଶିଶୁଟିର ମୃତ୍ୟୁ ହୋଇଯାଇଛି ବୋଲି ମା’ ବାସନ୍ତୀ କହିଥିଲେ। ଅନ୍ୟପକ୍ଷରେ କୌଣସି ଜଣେ ଅଜଣା ବ୍ୟକ୍ତି ଚାଇଲ୍ଡଲାଇନ ନମ୍ବର ୧୦୯୮ରେ ଫୋନ କରି ଶିଶୁକୁ ବିକ୍ରି କରାଯାଇଥିବା ସୂଚନା ଦେଇଥିଲେ। ଏହି ସୂଚନା ଅନୁସାରେ ଚାଇଲ୍ଡଲାଇନର ନିର୍ଦ୍ଦେଶିକା ରୀତାରାଣୀ ରାଉତ, ସିଏସ୍‌ଡିଆର ନିର୍ଦ୍ଦେଶକ ଜଗନ୍ନାଥ ପଣ୍ଡା ଓ ଚାଇଲ୍ଡ ଲାଇନ ସଂଯୋଜକ ପ୍ରଶାନ୍ତ ବେହେରା ଓ କୁଣ୍ଢେଇଗୋଳା ପୁଲିସ ସେଣ୍ଡାକୁ ଯାଇ ତଦନ୍ତ କରିଥିଲେ। ଶେଷରେ ୭ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିବା ବାସନ୍ତୀ ସ୍ବୀକାର କରିଥିଲେ। ସେଣ୍ଡାରେ ଘରଭଡ଼ା ନେଇ ରହୁଥିବା ଅନୁଗୋଳ ଜିଲ୍ଲା ମାମୁରିଆ ଅଂଚଳର ଦିଲ୍ଲୀପ ଦେହୁରୀ ଓ ସ୍ତ୍ରୀ ସୋନାଲୀଙ୍କ ମଧ୍ୟସ୍ଥତାରେ ବ୍ରାହ୍ମଣୀ ନୂଆପଡା ଗ୍ରାମର ଖୁଲଣା ବେହେରାଙ୍କୁ ବିକ୍ରି କରିଥିବା କହିଥିଲେ। ପୁଲିସ ଓ ଚାଇଲ୍ଡ ଲାଇନ୍‌ ଚଢ଼ଉ କରି ବ୍ରାହ୍ମଣୀ ନୂଆପଡ଼ା ଗ୍ରାମସ୍ଥିତ ଖୁଲଣାଙ୍କ ଘରୁ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ସିଡବ୍ଲୁସିଙ୍କୁ ଅବଗତ କରାଇ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଚାଇଲ୍ଡ ଲାଇନ ନିର୍ଦେଶିକାଙ୍କ ଏତଲା କ୍ରମେ କୁଣ୍ଢେଇଗୋଳା ପୁଲିସ ଏକ ମାମଲା ରୁଜୁ କରି ଦିଲ୍ଲୀପ, ତାଙ୍କ ପତ୍ନୀ ସୋନାଲୀ ଦେହୁରୀ ଓ ଖୁଲଣାଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର