ବ୍ରହ୍ମପୁର: ୨୦୨୩ ମସିହା ଅକ୍ଟୋବର ୨୫ ତାରିଖରେ ବ୍ରହ୍ମପୁର ଟାଉନ୍ ଥାନା ଅଧୀନ ବିଜିପୁର ଅଞ୍ଚଳର ଏସ୍.ଗାଙ୍ଗାମ୍ମା (୩୫) ତାଙ୍କ ପୁଅ ଏସ.ରୋହିତ କୁମାର (୮)ଙ୍କୁ ପୋଖରୀକୁ ଠେଲି ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆଜି ଗଞ୍ଜାମ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ଏହି ମାମଲାର ବିଚାରଣା ସହ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମୋଟ ୧୫ ଜଣଙ୍କ ସାକ୍ଷ୍ୟ, ସିସି କ୍ୟାମେରା ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ବିଚାରପତି ରୂପଶ୍ରୀ ଚୌଧୁରୀ ଆଜି ଗାଙ୍ଗାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ଏକବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।
ବିଜିପୁର ବଡ଼ସାହିରେ ଏସ୍.ଆପ୍ପାରାଓ, ପତ୍ନୀ ଗାଙ୍ଗାମ୍ମା ଓ ଏକମାତ୍ର ପୁଅ ରୋହିତ ରହୁଥିଲେ। ଆପ୍ପାରାଓ ଜଣେ ଗାଡ଼ି ମେକାନିକ୍। ୨୦୨୩ ଅକ୍ଟୋବର ୨୫ରେ ରୋହିତ ପୋଖରୀରେ ବୁଡ଼ିଯାଇଥିବା ନେଇ ପତ୍ନୀଙ୍କଠୁ ସୂଚନା ପାଇ ଆପ୍ପାରାଓ ପହଞ୍ଚିଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରୋହିତଙ୍କୁ ଗାଙ୍ଗାମ୍ମା ହିଁ ହତ୍ୟା କରିଥିବା ନେଇ ଆପ୍ପାରାଓ ଟାଉନ୍ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୫୬୪/୨୩ରେ ଏକ ହତ୍ୟା ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ପୋଖରୀ ନିକଟରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ସଂଗ୍ରହ ହୋଇଥିଲା। ଯେଉଁଥିରେ ଗାଙ୍ଗାମ୍ମା ପୁଅ ରୋହିତକୁ ଟେକି ନେଇ ପୋଖରୀ ଭିତରେ ଠେଲି ଦେଉଥିବା ଜଣାପଡ଼ିଥିଲା। ଘରୋଇ କଳହରୁ ମାନସିକ ଭାରସାମ୍ୟ ହରାଇ ପୁଅକୁ ହତ୍ୟା କରିଥିବା ନେଇ ଗାଙ୍ଗାମ୍ମା ଜେରା ବେଳେ ସ୍ବୀକାର କରିଥିଲେ। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତ ଅଧିକାରୀ ସୁରେଶ ତ୍ରିପାଠୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଆଜି ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଉପରୋକ୍ତ ରାୟ ପ୍ରକାଶ ପାଇଛି। ଗାଙ୍ଗାମ୍ମା ଗିରଫ ପରଠୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ରାୟ ପ୍ରକାଶ ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରିଥିଲେ।