୬ମାସର ପୁଅକୁ ବିକିଦେଲେ ମା’, ପ୍ରଶାସନର ଛାନ୍‌ଭିନ୍‌; ପାରାଦୀପରୁ ଉଦ୍ଧାର ହେଲା ଶିଶୁପୁତ୍ର

ଦାରିଦ୍ର୍ୟ ଯୋଗୁ ଲକ୍ଷାଧିକ ଟଙ୍କାରେ ବିକି ଦେଇଥିବା ଅଭିଯୋଗ

ନିଶ୍ଚିନ୍ତକୋଇଲି : କୋରାପୁଟ କି ମାଲକାନଗିରି ନୁହେଁ; ଖୋଦ୍‌ କଟକ ଜିଲ୍ଲା‌ରେ ଶିଶୁ ବିକ୍ରି ଭଳି ଅଭାବନୀୟ ଘଟଣା ଘଟିଛି। ଦାରିଦ୍ର୍ୟ ଯୋଗୁଁ କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଞ୍ଚଳର ଜଣେ ମହିଳା ନିଜ ୬ଦିନର ନବଜାତ ଶିଶୁକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଶିଶୁ ସୁରକ୍ଷା ବିଭାଗ ଘଟଣାର ଛାନ୍‌ଭିନ୍‌ କରି ନବଜାତ ଶିଶୁକୁ ପାରାଦୀପରୁ ଉଦ୍ଧାର କରିଛି।

ସୂଚନା ମୁତାବକ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ବାଲିଆପଦା ପଞ୍ଚାୟତ ଅନ୍ତର୍ଗତ ତେନ୍ତଲପୁର ପଞ୍ଚସରଙ୍ଗ ବଳରାମପୁର ଗ୍ରାମର ପ୍ରତିମା ନାୟକ ମାହାଙ୍ଗା ବ୍ଲକ୍‌ ଉମର ପଞ୍ଚାୟତ ଓସ୍ତପୁର ଗ୍ରାମର କହ୍ନେଇ ପଣ୍ଡାଙ୍କ ପୁଅ ବିଜୟ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ପ‌ସରଙ୍ଗ ବଳରାମପୁର ଗ୍ରାମରେ ଏକ ଭଡ଼ାଘରେ ରହୁଥିଲେ। ପତିପତ୍ନୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଉଭୟେ ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ପୂର୍ବରୁ ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲା ବେଳେ ଗତ ୨୫ ତାରିଖ ଶୁକ୍ରବାର ପ୍ରତିମା ଚତୁର୍ଥ ସନ୍ତାନ ପ୍ରସବ ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେହିଦିନ ପ୍ରତିମା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ପ୍ରତିମା ନବଜାତ ଶିଶୁପୁତ୍ରକୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଏହାକୁ ଆଧାର କରି କଟକ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ସମନ୍ବିତ ଶିଶୁ ବିକାଶ ଯୋଜନାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକମାନେ ଶିଶୁ ସନ୍ତାନକୁ ବିକ୍ରି କରିଦିଆଯାଇଛି ବୋଲି ଖୁଲମ୍‌ଖୁଲା ଅଭିଯୋଗ କରୁଥିଲା ବେଳେ ପ୍ରତିମା ଏହାକୁ ଖଣ୍ଡନ କରିଥିଲେ। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପାରାଦୀପରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ସେ ଶିଶୁପୁତ୍ରକୁ ହସ୍ତାନ୍ତର କରିଛନ୍ତି ବୋଲି କହିଥିଲେ। ଏହିସମୟରେ ସ୍ବାମୀ ବିଜୟ ଘରେ ଅନୁପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ କଟକ ଜିଲ୍ଲା ଶିଶୁ ମଙ୍ଗଳ ସଂଯୋଜକ ନାରାୟଣ ଶୁକ୍ଳା ଓ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଶିଶୁର ବାପା ବିଜୟ ପାରଦୀପଗଡ଼ରୁ ପୁଅକୁ ଆଣି ପୁଲିସ୍‌ ଜିମା ଦେଇଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସଂଯୋଜକ ଶ୍ରୀ ଶୁକ୍ଳା ଶିଶୁପୁତ୍ରକୁ ନେଇଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି କୋର୍ଟରେ ଶିଶୁକୁ ହାଜର କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।

ଅପରପକ୍ଷରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତିମା ନିଜର ଚତୁର୍ଥ ସନ୍ତାନ ପ୍ରସବ କରିଛନ୍ତି ବୋଲି କହୁଥିଲା ବେଳେ ସେଠାରେ ଏ ନେଇ କୌଣସି ପଞ୍ଜୀକରଣ କରାଯାଇ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର