ବ୍ରହ୍ମପୁର/ଗଞ୍ଜାମ: ଗଞ୍ଜାମ ବ୍ଲକ୍ ପାଳିବନ୍ଧ ଗାଁରେ ଗୋଟିଏ ପରିବାରର ୩ଜଣ କୀଟନାଶକ ପିଇ ଜୀବନ ହାରିଛନ୍ତି। ସେମାନେ ହେଲେ ମାମି ରେଡ୍ଡି (୪୨), ପୁଅ ଏସ୍. ରାକେଶ ରେଡ୍ଡି (୧୯) ଓ ଝିଅ ଏସ୍. ମୀନା ରେଡ୍ଡି (୧୮)। କେଉଁ ପରିସ୍ଥିତିରେ ସେମାନେ କୀଟନାଶକ ପିଇଲେ ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛନ୍ତି।
କାରଣ ଅସ୍ପଷ୍ଟ, ସାଇଣ୍ଟିଫିକ୍ ଟିମ୍ର ତନାଘନା
ଚାରିବର୍ଷ ପୂର୍ବେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିଲା
ପାଳିବନ୍ଧ ଗାଁର ଏସ୍. ରବିନାରାୟଣ ରେଡ୍ଡି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ପୁଅ ରାକେଶ ଡିପ୍ଲୋମା ପଢ଼ୁଥିଲେ। ଝିଅ ମୀନା ମଧ୍ୟ ଗଞ୍ଜାମର ଏକ କଲେଜରେ ପାଠ ପଢ଼ୁ୍ଥିଲେ। ଗତ ୪ବର୍ଷ ତଳେ ବିଜୟୱାଡ଼ାରେ ଏକ ଦୁର୍ଘଟଣାରେ ବାପା ରବିନାରାୟଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମା’ ମାମି ବିଭିନ୍ନ ସ୍ଥାନରେ କାମ କରି ପୁଅ ଓ ଝିଅଙ୍କ ପାଠପଢ଼ା, ଘରଖର୍ଚ୍ଚ ତୁଲାଉଥିଲେ। ଗତକାଲି ରାତିରେ ଝିଅ ମୀନା ଘର ବାହାରକୁ ଆସି ବାନ୍ତି କରିଥିଲେ। ପଡ଼ୋଶୀ ଘର ଭିତରକୁ ଯାଇ ଦେଖିବା ବେଳକୁ ମା’ ଓ ପୁଅ ମଧ୍ୟ ବାନ୍ତି କରି ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବୋଲି ମୃତ ରାକେଶଙ୍କ ବଡ଼ବାପା ଏସ୍. ନାଗେଶ୍ବର ରେଡ୍ଡି କହିଛନ୍ତି।
ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବିଳମ୍ବିତ ରାତିରେ ଆଇସିୟୁରେ ମୀନାଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ‘ସେଲିପସ୍’ ନାମକ ଏକ କୀଟନାଶକ ଔଷଧ ଖାଇଥିବା ଡାକ୍ତର ଅନୁମାନ କରୁଛନ୍ତି। ତେବେ କେଉଁ କାରଣରୁ ମା’, ପୁଅ ଓ ଝିଅ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସେଭଳି କୌଣସି ପାରିବାରିକ ସମସ୍ୟା କି କଳହ ନଥିଲା ବୋଲି ରାକେଶଙ୍କ ସମ୍ପର୍କୀୟ କହିଛନ୍ତି। ସେମାନେ ଜାଣିଶୁଣି କୀଟନାଶକ ଖାଇଛନ୍ତି ନା ତାଙ୍କର ଖାଦ୍ୟରେ କେହି ଏହା ମିଶାଇ ଦେଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଗାଁ ଶ୍ମଶାନରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି।