ଅସହା‌ୟ ନବଜାତଙ୍କ ସେବାରେ ୬ ଆୟା, ନିଜର ନ ହେଲେ ବି ମା’ଠୁ ବଳି

ଯାଜପୁର(ଅନିଲ କୁମାର ପଣ୍ଡା): ଜନ୍ମ ହେବା ମାତ୍ରେ ପିଲାଟିଏ ପ୍ରଥମେ ନିଜର ମା’କୁ ଖୋଜେ। ମା’ ହାତ ଧରି ଚାଲିବା ଶିଖେ ମା’ର ପଣତରେ ନିଜର କ୍ଲାନ୍ତି ଦୂର କରେ। ନିଜର ଅଳି ଅର୍ଦଳି ପ୍ରତ୍ୟେକ ନିଜର ମା’ଙ୍କ ପାଖରେ ରଖନ୍ତି । ଝୁଣ୍ଟି ପଡ଼ିଲେ ପାଟିରୁ ବାହାରି ଆସେ ‘ମା’। ମା’ ଯିଏ ତା’ର ପଣତ କାନିରେ ଛୁଆର ସବୁ ଦୁଃଖ ସହି ଯାଏ। କିନ୍ତୁ ସେହି ମା’ ଯେତେବେଳେ ନିଜର ଜନ୍ମିତ ଶିଶକୁ ଜୀବନ୍ତ ଅବସ୍ଥାରେ ମାରି ଦେବାକୁ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଏ ସେତେ‌ବେଳେ ଯଶୋଦାରୂପୀ ମା’ କୋଳେଇ ନିଏ ।

ଆମେ ‌କହୁଛି ଯାଜପୁର ଜିଲ୍ଲାର ସେହି ଆୟାମାନଙ୍କ କଥା ‌ଯେଉଁମାନେ ନିଜ ପରିବାରକୁ ପଛରେ ପକାଇ ଅସହାୟ ନବଜାତଙ୍କୁ ନିଜର ମମତାରେ ଜାବୁଡ଼ି ଧରନ୍ତି। ଯାଜପୁର ଜିଲ୍ଲାରେ ବିଭିନ୍ନ ଉଦ୍ଧାର ହେଉଥିବା ଅସହାୟ ନବଜାତମାନଙ୍କ କଟକର ବସୁନ୍ଧରାକୁ ଲାଳନପାଳନ ପାଇଁ ପଠାଇ ଦିଆଯାଉଥିଲା। କିନ୍ତୁ ଯାଜପୁର ଜିଲ୍ଲା‌ରେ ଅଲୋଡ଼ା ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୨୦୧୭ ନଭେମ୍ବର ମାସରେ ଯାଜପୁର ଊତ୍କଳ ବାଳାଶ୍ରମ ପରିସରରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଖୋଲା ଯାଇଥିଲା।

ସେବେଠାରୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ଶିଶୁକୁ ଜିଲ୍ଲାରେ ମିଳିଥିଲା ମା’ର ପରିଚୟ। ନିଜ ପିଲା ଭଳି କୁନିକୁନି ଶିଶୁଙ୍କ ଉପରେ ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା ଓଜାଡ଼ି ଦିଅନ୍ତି ଏହି କେନ୍ଦ୍ରରେ କାର୍ଯ୍ୟରତ ୬ ଜଣ ଆୟା। ସକାଳରୁ ରାତି ଓ ରାତିରୁ ସକା୍ଳ ୨୪ ଘଣ୍ଟା ସେହି କଅଁଳ ଶିଶୁମାନଙ୍କ ଭଲ ମନ୍ଦ ବୁଝିବା ଠାରୁ ଅଳି ଅର୍ଦ୍ଦଳି ସହି ଗଢ଼ି ‌ ତୋଳୁଛନ୍ତି। କିଛି ଦିନ ପରେ ସରକାରୀ ନିୟମ ଅନୁସାରେ ପିଲା ପୋଷ୍ୟ ହୋଇ ଆଉ କାହା ପାଖକୁ ଚାଲିଯାଉଛନ୍ତି ସତ, ହେଲେ ଯଶୋଦା ମା’କୁ ଝୁରି ହେଉଛନ୍ତି ସବୁ ବେଳେ ଯିଏ ଯେଉଁ ଠାରେ ଥାଉନା କାହିଁକି।

ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ରକୁ ଆସିଥିବା ୪୦ ପିଲାଙ୍କ ମଧ୍ୟରୁ ଆଉ ମାତ୍ର ୬ ଜଣ ମା’ର ସେବା ପାଉଛନ୍ତି। କେନ୍ଦ୍ରରେ ଥିବା ୬ ଜଣ ଆୟା ଦିନରେ ୩ ଜଣ ଓ ରାତିରେ ୩ ଜଣ ସେବା ଯୋଗାଉଛନ୍ତି। ସେମାନେ ହେଲେ ଗୀତା ମହାଳିକ, ରଶ୍ମିପ୍ରଭା ଦ୍ବିବେଦୀ, ମିତା ଦାସ, ଜ୍ୟୋତ୍ସା ବିଶ୍ବାଳ, କବିତା ବେହେରା, ଅମ୍ବିକା ପାଣି କାର୍ଯ୍ୟ କରୁଛନ୍ତି। ଏହି କେନ୍ଦ୍ରର ପରିଚାଳନା ପାଇଁ ହରିପ୍ରିୟା ଦାଶଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ‌ ତେବେ ସେଠାରେ କାର୍ଯ୍ୟରତ ସମସ୍ତ ଆୟା ଉତ୍ତମ ସେବାହ ପାଇଁ ପ୍ରଶାସନ ଠାରୁ ପ୍ରଶଂସା ପାଇଛନ୍ତି।

ସମ୍ବନ୍ଧିତ ଖବର