ପାଟଣାଗଡ଼/କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କପାଣି ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜର ଜନ୍ମିତ ୨ ଶିଶୁ ସନ୍ତାନ ଝିଅ ଲିପସା ରଣା(୬) ଏବଂ ପୁଅ ଲିକେଶ ରଣା(୩)ଙ୍କ ବେକରେ ଦଉଡ଼ି ଲଗାଇ ହତ୍ୟା କରିବା ପରେ ନିଜେ ବେକରେ ଦଉଡି ଲଗାଇ ମାଆ ସୁନୀତା ରଣା(୨୬) ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

କପାଣି ଗାଁର ଭିକାରି ରଣା(୩୦) ଗତ ୨୦୧୧ ମସିହାରେ ବେଲପଡ଼ା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ବିଭୀଷଣ ରଣାଙ୍କ ଦ୍ୱିତୀୟା କନ୍ୟା ସୁନୀତାଙ୍କୁ ବିବାହ କରିଥିଲେ। ଭିକାରିଙ୍କ ବାସସ୍ଥାନକୁ ଛାଡ଼ି ଦେଲେ କୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି ନଥିବା ହେତୁ ଦିନ ମଜୁରିଆ ଭାବରେ କାମ କରି ନିଜର ପରିବାର ଭରଣପୋଷଣ କରିଆସୁଥିଲେ। ଭିକାରିଙ୍କ ଘରେ ସ୍ତ୍ରୀ, ୨ ସନ୍ତାନ, ବିଧବା ମାଆ ମହାଦେଇ ଏବଂ ସ୍ୱାମୀ ପରିତ୍ୟକ୍ତା ବଡ଼ ଭଉଣୀ ସଂଯୁକ୍ତା ମଧ୍ୟ ରହୁଥିଲେ। ସୋମବାର ସକାଳୁ ଭିକାରି କାଠ ସଂଗ୍ରହ କରିବାକୁ ବାହାରକୁ ଯାଇଥିବା ବେଳେ ମା’ ଏବଂ ବଡ଼ ଭଉଣୀ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ସକାଳ ପ୍ରାୟ ୯ଟାରେ ଭିତର ପଟୁ କବାଟ ବନ୍ଦ କରି ସୁନୀତା ଉଭୟ ଶିଶୁଙ୍କ ଗଳାରେ ଦଉଡ଼ି ଲଗାଇ ଘର ଛାତରୁ ଝୁଲାଇ ଦେବା ପରେ ନିଜେ ମଧ୍ୟ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ ଭିକାରି କାଠ ସଂଗ୍ରହ କରି ଫେରି ଭିତର ପଟୁ କବାଟ ବନ୍ଦ ଥିବା ଦେଖି ଗାଁ ଦାଣ୍ଡରେ ବସିଥିବା ନିଜର ଜଣେ ସଂପର୍କୀୟଙ୍କୁ ଡାକି କବାଟ ଭାଙ୍ଗିବା ପରେ ଦେଖିଥିଲେ ଏହି ଅଭାବନୀୟ ଦୃଶ୍ୟ। ସୁନୀତା ସହ ନିଜର ଦୁଇ ଅଳିଅଳ ସନ୍ତାନଙ୍କ ନିଶ୍ଚଳ ଶରୀର ଛାତରୁ ଝୁଲୁଥିବାର ଦେଖି ଗାଁ ଲୋକଙ୍କୁ ଖବର ଦେବା ସହ ବେଲପଡ଼ା ଥାନାକୁ ଜଣାଇଥିଲେ। ବେଲପଡ଼ା ଥାନାଧିକାରୀ ଲୋକନାଥ ସାହୁ , ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଅନ୍ୟପଟେ ଏହି ଖବର ପାଇ ଦିନ ପ୍ରାୟ ଗୋଟାଏ ବେଳେ ସୁନୀତାଙ୍କ ମାଆ ନିଜର କିଛି ସଂପର୍କୀୟଙ୍କ ସହ କପାଣିରେ ପହଞ୍ଚି ଏହି ଘଟଣା ପାଇଁ ଭିକାରିଙ୍କ ପରିବାରକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ସୁନୀତାଙ୍କ ବେଳେ ବେଳେ ମସ୍ତିଷ୍କ ବିଭ୍ରାଟ ଘଟୁଥିଲା ବୋଲି ଭିକାରି କହିଛନ୍ତି।