ରାୟଗଡ଼ା: ଦିନେ ସରକାରୀ ସୁବିଧା ସୁଯୋଗ ଅଭାବରୁ ସ୍ବାମୀଙ୍କୁ ହରାଇଥିଲେ। ଅତି ନିକଟରୁ ଦୁଃଖ, ଦୁର୍ଦ୍ଦଶା, ଦୁର୍ଦିନକୁ ଅଙ୍ଗେ ନିଭାଇଥିବା ଦିନ ଆଉ କାହା କାହା ଜୀବନରେ ଯେମିତି ନ ଆସୁ ସେଥିଲାଗି ଲୋକଙ୍କ ସେବାକୁ ନିଜ ଜୀବନର ବ୍ରତ ଭାବେ ଆପଣାଇ ଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୩୦ ବର୍ଷ ହେଲା ଦୁର୍ଗମ ଇଲାକାର ପାହାଡ଼, ପର୍ବତ ଅଞ୍ଚଳରେ ଥିବା ୧୮ ଖଣ୍ଡ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। କାହାକୁ ଭତ୍ତା ତ, କାହାକୁ ମେଡ଼ିକାଲ୍ ଚିକିତ୍ସା ଏବଂ କାହା ପାଇଁ ଆବାସ ଯୋଜନାରେ ଘର ପାଇଁ ଜାରି ରଖିଛନ୍ତି ପ୍ରଚେଷ୍ଟା। ଗରିବ, ଗୁରୁବାଙ୍କ ସେବା କରିବାରେ ଆନନ୍ଦ ମିଳୁଥିବାରୁ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି ୭୫ ବର୍ଷୀୟ ବୃଦ୍ଧା ରୁପୁଲି ଜାକକା।

Advertisment

ରାୟଗଡ଼ା ବ୍ଲକ୍ ହାଲୁଆ ପଞ୍ଚାୟତ ବିଦ୍ୟାଳୟ ସାହିର ରୁପୁଲି ଜାକକା। ସରକାରୀ ସହାୟତା ନ ପାଇ ଦିନେ ସ୍ୱାମୀଙ୍କୁ ହରାଇଥିଲେ। ମନରେ ଜିଲ୍ଲା ପ୍ରଶାସନ ପ୍ରତି କ୍ଷୋଭ ଥିବାରୁ ନିଜ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ ବାପାଙ୍କ ଉପଦେଶରେ ସମାଜସେବା ପାଇଁ ଅଣ୍ଟା ଭିଡିଥିଲେ ରୁପୁଲି। ୩୧ ବର୍ଷ ବୟସରୁ ପ୍ରାୟ ୧୮ ଖଣ୍ଡ ଗାଁରେ ବୁଲି ବୁଲି ନିରନ୍ତର ସେବା ଯୋଗାଇ ଆସୁଛନ୍ତି। ଇତି ମଧ୍ୟରେ ବୟସର ଅପରାହଣରେ ପହଞ୍ଚି ସାରିଥିଲେ ମଧ୍ୟ ଥକି ନାହାନ୍ତି ରୁପୁଲି। ଏ ପର୍ଯ୍ୟନ୍ତ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସେବା ଯୋଗାଇ ଦୁର୍ଗମ ଇଲାକାର ମଦର ଟେରସା ଭାବେ ପରିଚିତ ହୋଇଛନ୍ତି ରୁପୁଲି। ରୁପୁଲିକୁ ନେଇ ଅଞ୍ଚଳବାସୀ ଗର୍ବିତ ମନେ କରୁଥିବା ବେଳେ ସବୁ ଗାଁରେ ରହିଛି ତାଙ୍କ ପ୍ରତି ଅହେତୁକ ଆଦର। ପ୍ରତ୍ୟେହ ନିତ୍ୟକର୍ମ ସାରି ସକାଳ ୯ଟାରୁ ଘରୁ ବାହାରି ଗାଁକୁ ଗାଁ ବୁଲି ସନ୍ଧ୍ୟାରେ ଘରକୁ ଫେରନ୍ତି ରୁପୁଲି।

publive-image

ବାର୍ଦ୍ଧକ୍ୟ ଭତ୍ତା, ମୃତ୍ୟୁ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଆବାସ ଯୋଜନାରେ ଘର ପ୍ରଦାନରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିଥାନ୍ତି। କେବଳ ସେତିକି ନୁହେଁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନଥିବା ତଥା ନାଁ କଟିଥିବା ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇ ସୁବିଧା ଯୋଗାଇଥାନ୍ତି ରୁପୁଲି। ସୁବିଧା ସୁଯୋଗରୁ ବଞ୍ଚିତ କିଛି ଗ୍ରାମବାସୀ ରୁପୁଲିଙ୍କ ନିକଟରେ ମଧ୍ୟ ପହଞ୍ଚିଥାନ୍ତି। କାହାର ଭତ୍ତା, କିଏ ଚାଉଳ ପାଇଲା କି ନାହିଁ, ପୁଣି କାହାର ମୃତ୍ୟୁ ପ୍ରମାଣପତ୍ର ମିଳି ନାହିଁ ସେ ସବୁର ତଦାରଖ କରିବା ପରେ ସବୁ ତାଲିକା ଧରି ସିଧା ପହଞ୍ଚି ଯାଆନ୍ତି ବିଭାଗୀୟ ଅଧିକାରୀଙ୍କ ନିକଟରେ। ଅତି ଶୀଘ୍ର ଅସୁବିଧା ଦୂର ପାଇଁ ଅନୁରୋଧ କରି ସମସ୍ତ ସମସ୍ୟାର ସମାଧାନ କରିବାରେ ପ୍ରମୁଖ ଭୂମିକା ନିଭାଇଥାନ୍ତି ରୁପୁଲି। ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବାରୁ ଅଭିଯୋଗ ପତ୍ର ଲେଖିବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ରଙ୍କ ସହଯୋଗ ନେଇଥାନ୍ତି।

ଦୀର୍ଘ ବର୍ଷ ଧରି ସରକାରୀ ସୁବିଧା ସୁଯୋଗ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ରୁପୁଲି କାମ କରି ଆସୁଥିବାରେ ଜିଲ୍ଲା ପ୍ରଶାସନ ରୁପୁଲିଙ୍କ ପ୍ରଶଂସା କରିଛନ୍ତି। ନିକଟରେ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ‘ଚଇତି’ ରେ ପ୍ରଶାସନ ପକ୍ଷରୁ ତାଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଛି। ଅନ୍ୟର ସୁବିଧା ପାଇଁ ସଂଘର୍ଷ ଜାରି ରଖିଥିବା ରୁପୁଲିଙ୍କ ପରିବାର କହିଲେ ଗୋଟେ ଝିଅ, ନାତି ଓ ନାତୁଣିକୁ ମିଶାଇ ମୋଟ ୪ ଜଣ। ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ନୁହେଁ। ସରକାରଙ୍କ ପକ୍ଷରୁ ମାସକୁ ୨୦ କେଜି ପିଡିଏସ୍ ଚାଉଳ ଏବଂ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ସେତିକିରେ ସଂସାର ରଥ ଗଡୁଥିବା ବେଳେ ଅନ୍ୟର ଦୁଃଖ ଦୂର ପାଇଁ ରୁପୁଲି ପ୍ରୟାସ ଜାରି ରଖିଛନ୍ତି।