ଶିଶୁର ବାପା ଲଗାଇଥିବା ସିସିଟିଭିରେ କଏଦ ହେଲା ମା ର ଅତ୍ୟାଚାର

ଗୋପ: ଜନ୍ମଦାତ୍ରୀ ମା ପାଲଟିଲା ପିଶାଚ । ନିଜ ରକ୍ତ ମାଂସରେ ଗଢା ୧୦ ମାସ ଗର୍ଭ ଯନ୍ତ୍ରଣା ସହିତ ଯାହାକୁ ଜନ୍ମ ଦେଇଥିଲା ତାକୁ ଆଜି ସେ ସବୁ ଦିନ ନିମନ୍ତେ ମାରିଦେବାକୁ ଚଳାଇଥିଲା ଷଡଯନ୍ତ୍ର । ନିଜର ୧୫ ମାସର ଶିଶୁକୁ ହାତ ଗୋଡ ବାନ୍ଧି ଛାତିରେ ଛିଡା ହୋଇ ମାରିବାକୁ ଚାଲିଥିଲା ପ୍ରୟାସ । ଶିଶୁର ପିତାଙ୍କ ଦ୍ୱାରା ଲଗାଯାଇଥିବା ସିସିଟିଭି ରେ ଏଭଳି ଲୋମହର୍ଷଣକାରୀ ତଥା ହୃଦୟବିଦାରକ ଦୃଶ୍ୟ କଏଦ ହୋଇଛି । ମାଆର ବାତ୍ସଲ୍ୟ ମମତା ଆଗରେ ବନ୍ଧା ପଡିଗଲା ପାରିବାରିକ କଳହ । ପ୍ରଥମେ ଦୃଶ୍ୟରେ ମାଆ ଜଣକ ନିଜ ଛୁଆର ହାତ ବାନ୍ଧି ପିଟୁଥିବା ବେଳେ ପରେ ଗୋଡ ମଧ୍ୟ ବାନ୍ଧିଦେଇ ପିଟିଥିଲା । ଶିଶୁମାନେ କୌଣସି ସ୍ଥାନରେ ଅସୁରକ୍ଷିତ ହେଲେ ସେ ମାଆ ପାଖକୁ ଦୌଡି ଆସେ ନିଜର ସୁରକ୍ଷା ନିମନ୍ତେ କିନ୍ତୁ ଏଠି ଏହାର ଫଳ କିନ୍ତୁ ଓଲଟା ।

ଏହି ଛୁଆଟି ଯେତେ କାନ୍ଦିଲେ ବି ଶୁଣିଲାନି ମାଆର ମମତା । ପିଟି ପିଟି ଲହୁଲୁହାଣ କରିଦେଲା ନିଜର ଜନ୍ମଦାତ୍ରୀ ମାଆ । ଏହି ଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଥାନା ଅନ୍ତର୍ଗତ ସୋରଭା ପଂଚାୟତର ପାଇକସାହି ଗ୍ରାମରେ । ଏହି ଗ୍ରାମର ଚକ୍ରଧର ନାୟକ ଗତ ତିନି ବର୍ଷ ତଳେ ପୂଜାରାଣୀ ନାୟକଙ୍କୁ ବିବାହ କରିଥିବାବେଳେ ନିଜର ସ୍ତ୍ରୀ ସବୁ ସମୟରେ ନିଜ ବୃଦ୍ଧ ପିତା ମାତାଙ୍କୁ ବାଡେଇବା ସହିତ ବାରମ୍ବାର ସେମାନଙ୍କୁ ଖାଇବା ପିଇବାକୁ ନଦେଇ ଅତ୍ୟାଚାର କରୁଥିଲା । କିଛି ଦିନ ପରେ ବୃଦ୍ଧ ଦମ୍ପତି ପୁଅକୁ ସବୁକଥା କହିବା ପରେ ନିଜ ସ୍ତ୍ରୀକୁ ଏକଥା ପଚାରିବାରେ ସେ ଘର ଛାଡି ଚାଲିଯାଇଥିଲା ଏବଂ ନିଜ ସ୍ୱାମୀ ନାମରେ ଏକ ଏତଲା ଦାୟର କରିଥିଲା । ଚକ୍ରଧର ଏହି କେସ୍ ରେ ଜାମିନରେ ଆସି ପୁନର୍ବାର ନିଜର ପରିବାରକୁ ସୁରୁଖୁରୁରେ ଚଳାଉଥିବା ବେଳେ ଶ୍ୱଶୁର ଘରରେ ରହୁଥିବା ତାଙ୍କର ସ୍ତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମଦେଇଥିଲେ । ଫଳରେ ଗ୍ରାମଲୋକ ଏବଂ ଶ୍ୱଶୁର ଘର ପରିବାର ଚକ୍ରଧର ଉପରେ ଚାପ ପ୍ରୟୋଗ କରିବା ସହିତ ପୁନଃ ସ୍ତ୍ରୀକୁ ଆଣି ପାଇକସାହି ସ୍ଥିତ ତାଙ୍କ ଘରେ ରଖିଥିଲେ ।

ହେଲେ ପୂଜାରାଣୀ ପୁଣି ବୃଦ୍ଧ ପିତାମାତାଙ୍କ ଉପରେ ଅତ୍ୟାଚାର କରିବା ସହିତ ନିଜ ଶିଶୁକୁ ମଧ୍ୟ ଅତ୍ୟାଚାର କରିବାକୁ ପଛାଇନଥିଲା । ଗ୍ରାମଲୋକ ଏହାକୁ ନେଇ ଚକ୍ରଧରକୁ ଖବର ଦେବା ପରେ ଚକ୍ରଧର ନିଜ ସ୍ତ୍ରୀର ଅଜାଣତରେ ଏକ ସିସିଟିଭି ଲଗାଇଥିଲା । ପ୍ରତି ୧୦ରୁ ୧୫ ଦିନରେ ଥରେ ଆସୁଥିବା ଚକ୍ରଧରକୁ ଯେତେବେଳେ ଏହି କରୁଣଦୃଶ୍ୟ ସମ୍ପର୍କରେ ନିଜର ପିତାମାତା ଓ ଗ୍ରାମବାସୀ ଜଣାଇଲେ ଚକ୍ରଧର ସିସିଟିଭି ଯାଂଚ କରିବା ପରେ ଉକ୍ତ କରୁଣ ତଥା ଲୋମହର୍ଷଣକାରୀ ଦୃଶ୍ୟ ଦେଖି ତାଙ୍କର ହୋସ୍ ଉଡିଯାଇଥିଲା । ପରେ ଏହାକୁ ନେଇ ଚକ୍ରଧର ଗୋପ ଥାନାରେ ଏତଲା ଦେବା ପରେ ଗୋପ ଥାନାଧିକାରୀ ସୁଧିର କୁମାର ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଏକ ଟିମ୍ ପାଇକସାହି ଗ୍ରାମରେ ପଂହଚି ଉକ୍ତ କୋମଳମତି ଶିଶୁକୁ ଉଦ୍ଧାର କରିଥିଲେ ତତସହିତ ଅଭିଯୁକ୍ତ ପୂଜାରାଣୀ ନାୟକ ଙ୍କୁ ଗିରଫ କରିଛନ୍ତି ।

ଗୋପ ଥାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏକ ଏତଲା ଦେବା ପରେ ଗୋପ ଥାନା ଅଧିକାରୀ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କରିଛନ୍ତି । ଅନ୍ୟ ପକ୍ଷରେ ସ୍ୱାମୀ ଚକ୍ରଧର ନାୟକଙ୍କ ଏତଲାକୁ ଭିତିକରି ୨୨୨/୨୦ରେ ପୁଲିସ ଏକ ମାମଲା ରୁଜୁ କରି ପୂଜାରାଣୀକୁ କୋର୍ଟ ଚାଲାଣ କରିବ ବୋଲି ମଧ୍ୟ ଗୋପ ଥାନାଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟ ପକ୍ଷରେ ଏହାକ ନେଇ ଗୋପ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ଭଳି ଏକ ନାରକୀୟ କାଣ୍ଡକୁ ଲୋକମାନେ ତୀବ୍ର ନିନ୍ଦା କରିବା ସହିତ ଏହି ପିଶାଚ ମାଆ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର