ମା’ ସହ ଜଳିଗଲେ ଦୁଇ ପୁଅ : ବଡ଼ ପୁଅ ମୃତ, ମରଣ ସହ ସଂଘର୍ଷ କରୁଛନ୍ତି ସାନପୁଅ, ମା’

ଅନୁଗୁଳ/ବନ୍ତଳା, : ପର୍ଜଙ୍ଗ ପରେ ଅନୁଗୁଳ ଥାନା ଶାବଳଭଙ୍ଗା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ବାକିଥିବା ଟ୍ୟୁସନ୍‌ ଫି’ ୩୦୦ ଟଙ୍କା ପାଇଁ ଜଣେ ମହିଳା ନିଜ ସହ ୨ଟି ଛୋଟ ପୁଅଙ୍କୁ ନିଅାଁରେ ଜାଳି ଦେଇଛନ୍ତି। ଏଥିରେ ବଡ଼ପୁଅ ପ୍ରାଣ ହରାଇଥିଲାବେଳେ ମହିଳା ଓ ସାନପୁଅ ଜୀବନ ସହିତ ସଂଘର୍ଷ କରୁଛନ୍ତି। ମହିଳାଙ୍କ ଶାଶୂ ଘର ଲୋକ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ବାପଘର ଲୋକ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରି ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ତେବେ, ମହିଳାଙ୍କ ବୟାନଙ୍କ ରେକର୍ଡ କରି ପୁଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ମହିଳା ହେଲେ, ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ମୁଦୁଲି ସାହିର ବଚନ ବେହେରା। ପ୍ରାୟ ୮ବର୍ଷ ତଳେ ଶାବଳଭଙ୍ଗା ଗାଁର ପବିତ୍ର ବେହେରାଙ୍କୁ ସେ ବୈଦିକ ରୀତିରେ ବିବାହ କରିଥିଲେ। ଦୁଇଟି ପୁଅ ରାହୁଲ ବେହେରା(୭) ଓ ବର୍ଷକର ସାନ ପୁଅ ଅଭିମନ୍ୟୁ ବେହେରାଙ୍କୁ ନେଇ ତାଙ୍କର ସଂସାର ଥିଲା।

ଶାଶୂ ଘର ଲୋକଙ୍କ ପକ୍ଷରୁ କୁହାଯାଇଛି ‌େଯ, ବକେୟା ଟ୍ୟୁସନ ଟଙ୍କାକୁ କେନ୍ଦ୍ର କରି ଟ୍ୟୁସନର ଅନ୍ୟ ଜଣେ ଛାତ୍ରୀ କୁଆଡ଼େ ପୁଅ ରାହୁଲଙ୍କୁ କମେଣ୍ଟ୍‌ କରିଥିଲେ। ଏଥିରେ ବଚନ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଛାତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଛାତ୍ରୀ ଜଣକ ଏକଥା ଘରେ କହିବା ପରେ ଘଟଣା ଆହୁରି ତୀବ୍ର ରୂପ ନେଇଥିଲା। ପରେ, ଗାଁ ମହିଳା ସଂଘ ବଚନଙ୍କୁ ସଭାକୁ ଡକାଇ ଏ ସମ୍ପର୍କରେ ପଚାରିଥିଲେ। ମା’ ସାମ୍ନାରେ ରାହୁଲଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରା ଯାଇଥିଲା। କିନ୍ତୁ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ବୈଠକରୁ ବଚନ ସିଧା ଉଠି ଆସିଥିଲେ ବୋଲି ଗାଁ ଲୋକେ କହିଛନ୍ତି। ତା’ ପରେ ଦୁଇ ପିଲାଙ୍କ ହାତ ବାନ୍ଧି କିରୋସିନ ଢାଳି ମା’ ବଚନ ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ଜଳାପୋଡ଼ା ଘଟଣା ଜଣାପଡ଼ିବା ପରେ ଉଭୟ ମା’ ଓ ଦୁଇ ଛୁଆଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥା ସତ୍ତ୍ବେ ବଚନ ଗତ ରାତିରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ନିଜର ବୟାନ ଦେଇଛନ୍ତି। ତିନି ଜଣ ଲୋକ ତାଙ୍କୁ ଜାଳି ଦେଇଥିବା ତାଙ୍କ ବୟାନରୁ ରେକର୍ଡ କରାଯାଇଛି ବୋଲି ଡାକ୍ତର ସୁରୂପ ରଂଜନ ସାହୁ କହିଛନ୍ତି। ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ମା’, ପୁଅ ତିନି ଜଣଙ୍କୁ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ସେଥିରୁ ବଡ଼ ପୁଅ ରାହୁଲ ଆଜି ଅପରାହ୍‌ଣରେ ଆଖି ବୁଜିଥିବା ବେଳେ ବଚନ ଓ ସାନ ପୁଅ ଅଭିମନ୍ୟୁ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ବଚନଙ୍କ ଭାଇ ପର୍ଶୁରାମ ମୁଦୁଲିଙ୍କ ଏତଲା କ୍ରମେ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ ଅଭିଯୋଗରେ ଦଫା ୪୯୮, ୩୦୭‌େର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ବୋଲି ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର