ଆର୍ଯ୍ୟଭୂମି ଭାରତବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହି ଆସିଛି। ଆର୍ଯ୍ୟ ଓ ଅର୍ଯ୍ୟୋତର ବିଶ୍ବାସ ଓ ସଂସାରକ ସମନ୍ବୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା। ପ୍ରଚଳିତ ଶାକ୍ତ ବ୍ରତଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ ଆରାଧ୍ୟଦେବୀ ରୂପେ ପୂଜା ପାଆନ୍ତି।
ମା’ ଦୁର୍ଗାଙ୍କୁ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କେବେ ହେଲେ ମାଟିର ପ୍ରତିମା ହିସାବରେ ଦେଖିନାହାନ୍ତି। ପ୍ରତିମାରେ ଯାହାଙ୍କୁ ପୂଜା ହେଉଛି ସେ ହେଉଛନ୍ତି ପ୍ରତି ଘରେ ଘରେ ଦେହଧାରୀ ମା’। ନିଜ ମା’ଙ୍କ ଉପରେ ଭକ୍ତି ଓ ଭଲ ପାଇବା ଯେତେ ଜୀବନ୍ତ, ଦୁର୍ଗାପୂଜାର ସାର୍ଥକତା ତାଙ୍କ ପାଖରେ ସେତେ ବେଶୀ। ସେ କହିଛନ୍ତି- ଭଗବତୀ ପୂଜା କରିବା ଅର୍ଥ ନିଜ ମା’କୁ ଉପାସନା କରିବା। ମା’ କେବଳ ପୂଜାର ବେଦିରେ ଦଶଭୁଜା ପ୍ରତିମା ନୁହନ୍ତି, ଘରେ ଘରେ ଜୀବନ୍ତ ଦ୍ବିଭୁଜା ଜନନୀ। ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ। ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶ ହାତର କାମ କରନ୍ତି। ମା’ଙ୍କର ଦଶ ହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାରର ଅସ୍ତ୍ର ରହିଛି। ତେଣୁ ମା’ ହେଉଛନ୍ତି ଦଶ ପ୍ରହରଧାରିଣୀ। ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହା ଦ୍ୱାରା ମା’ ଅସତ୍ ବା ଅସୁର ଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି।
ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ- ମା’ ଦୁର୍ଗତିନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା। ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମା’ ଦୁର୍ଗାଙ୍କର ଅନ୍ୟ ଏକ ନାମ ଶାରଦା। କିନ୍ତୁ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ- ଶାରଦା ବା ଶରତ ଆସିଛି ଶୃ ଧାତୁ ଠାରୁ - ଅର୍ଥ ବଧ ଓ ହିଂସା। ହିଂସାତ୍ମକ ଯାହା କିଛିକୁ ନିହତ କରି ମା’ ରକ୍ଷାକୁ ସମ୍ବୁଦ୍ଧ କରି ତୋଳନ୍ତି। ସେ ଅସତ୍ ନିରୋଧୀ ପ୍ରଚଣ୍ଡା। ମା’ ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି। ସମସ୍ତଙ୍କୁ କୋଳରେ ଧରନ୍ତି। ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ। ସେ ବିକ୍ଷୁବ୍ଧତା ଓ ବିଭିନ୍ନତାକୁ ସୁସଂଶ୍ଳିଷ୍ଟ କରିଉଠାନ୍ତି। ତେଣୁ ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ବ ପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ।
ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା’ ହେଉଛନ୍ତି ମହାମାୟା, ବିଶ୍ବପ୍ରସବିନୀ ଓ ବିଶ୍ୱ ପରିବ୍ୟାପ୍ତା। ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମା ରୂପେ, ନିଦ୍ରା ରୂପେ, କ୍ଷୁଧା ରୂପେ, ତୃଷ୍ଣା ରୂପେ, ଶକ୍ତି ରୂପେ, ଲଜ୍ଜା ରୂପେ, ଶାନ୍ତି ରୂପେ ଓ ଶ୍ରଦ୍ଧା ରୂପେ ପୂଜା କରାଯାଏ। ପରମା ପ୍ରକୃତି ସେ। ସେ ନାରାୟଣୀ, ଭଦ୍ରକାଳୀ, ହୈମବତୀ, ଈଶ୍ବରୀ, ବୈଷ୍ଣବୀ ଓ ମାହେଶ୍ବରୀ ପ୍ରଭୃତି। ସେ ଜୀବନ ସଂରକ୍ଷଣକାରିଣୀ। ତେଣୁ ଦୁର୍ଗତି ନାଶିନୀ ଜଗଜ୍ଜନନୀଙ୍କ ଶୁଭାଗମନରେ ପଶୁ ବଳି ପରି ନରକୀୟ କାର୍ଯ୍ୟ ପରିବର୍ତ୍ତେ ନିଜ ଭିତରେ ସ୍ଥାନ ନେଇଥିବା ଈର୍ଷା, ଅସୂୟା, ପରଶ୍ରୀକାତରତା, ଅହମିକା ଭଳି ସଂକୀର୍ଣ୍ଣତା ରୂପକ ମହିଷାସୁରର ବିନାଶ କାମ୍ୟ ଅଟେ ଏହି ଅବସରରେ ମା’ଙ୍କ କରୁଣାଶିଷ ଲାଗି ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/untitled-12-2025-10-01-06-51-42.jpg)