ଭୁବନେଶ୍ବର, (ହରପ୍ରିୟା ପୃଷ୍ଟି): ମା’ କେବଳ ଗୋଟିଏ ଶବ୍ଦ ନୁହେଁ। ଏହା ଏକ ବିରାଟ ଦାୟିତ୍ବ। ମା’ ଗଢ଼େ ସୁସ୍ଥ ସମାଜ। କିନ୍ତୁ ମାତୃତ୍ବ ଆଜି ସଂକଟରେ। ପରିବର୍ତ୍ତିତ ସମୟରେ ମାତୃତ୍ବ ଲାଭ କରିବାକୁ ବହୁ ମହିଳା ଆଜି ତ୍ରସ୍ତ। ଜୀବିକା ଚାପରେ ବଳି ପଡ଼ିଯାଉଛି। କର୍ମଜୀବୀ ମହିଳାଟିଏ ଶିଶୁକୁ ଲାଳନପାଳନ କରିବାକୁ ଯାଇ ପଡ଼ୁଥିବା ବିଭିନ୍ନ ସମସ୍ୟା କାରଣରୁ ମା’ ହେବାକୁ ଭୟ କରୁଛି। ସେହିଭଳି ଜୀବନଶୈଳୀରେ ଘଟୁଥିବା ପରିବର୍ତ୍ତନ ବି ଏଥିପାଇଁ ବହୁମାତ୍ରାରେ ଦାୟୀ ବୋଲି କୁହାଯାଉଛି। ତେଣୁ ଆଗକୁ ଏସବୁ ସାମାଜିକ ଚିନ୍ତାର କାରଣ ହେବାକୁ ଯାଉଛି। ମ‌ାତୃତ୍ବକୁ ଉପଯୁକ୍ତ ସମ୍ମାନ ଓ ସ୍ବୀକୃତି ନ ମିଳିଲେ, ଆଗାମୀ ଦିନରେ ଏହା ସାମାଜିକ ସଂକଟ ହେବ ବୋଲି ଜଳଜଳ ହୋଇ ଦେଖାଗଲାଣି। ଏହା କେବଳ ଭାରତର ସମସ୍ୟା ନୁହେଁ, ସମଗ୍ର ବିଶ୍ବରେ ଏଭଳି ବ୍ୟବସ୍ଥା ବଳବତ୍ତର ହେବାରେ ଲାଗିଛି।

Advertisment

ମହିଳାମାନେ ଆଉ ଆଗ ଭଳି ଘରର ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି। ସେମାନେ ଆଉ ପୁରୁଷଙ୍କ ଉପରେ ନିର୍ଭରଶୀଳ ନୁହନ୍ତି। ପରିବାର ଚଳାଇବାକୁ ପଦାକୁ ଗୋଡ଼ କାଢ଼ିସାରିଛନ୍ତି। ପ୍ରାୟ ସବୁ କ୍ଷେତ୍ରରେ ପୁରୁଷଙ୍କ ଭଳି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। କ୍ୟାରିଅର୍‌ ପାଇଁ ସେମାନେ ବି ବ୍ୟସ୍ତ। ଏହି କ୍ୟାରିଅର୍‌ ଚିନ୍ତା ହିଁ ଆଜି ମାତୃତ୍ବକୁ ସଂକଟକୁ ଠେଲି ଦେଉଥିବା ପରିଲକ୍ଷିତ ହେଉଛି। ଏନେଇ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସେବା ମହାପାତ୍ର କୁହନ୍ତି ଯେ ବର୍ତ୍ତମାନ ବହୁ ମହିଳା ଚାକିରି କରୁଛନ୍ତି। ତେଣୁ ଶୀଘ୍ର ସନ୍ତାନ ଜନ୍ମ ଦେବାକୁ ଚାହୁନାହାନ୍ତି। ଅନେକ ସମୟରେ ସେମାନେ ବିଭିନ୍ନ ଉପାୟରେ ଗର୍ଭ ନଷ୍ଟ କରୁଛନ୍ତି। ପରେ ଏହା ବଡ଼ ବିପଜ୍ଜନକ ହୋଇପଡ଼ୁଛି। ଡେରିରେ ସନ୍ତାନ କରିବାକୁ ଇଚ୍ଛା କରୁଥିବା ମହିଳାମାନଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ମାନସିକ ଚିନ୍ତା ଓ ଶାରୀରିକ ସମସ୍ୟା କାରଣରୁ ସେମାନେ ସୁସ୍ଥ ସନ୍ତାନ ଜନ୍ମ ଦେବା ସମ୍ଭବ ହେଉନାହିଁ। ତେଣୁ ଏଭଳି ସମସ୍ୟା ବଢ଼ିଲେ, ଭବିଷ୍ୟତରେ ଆମେ ସୁସ୍ଥ ସମାଜ ଆଶା କରିବା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଶ୍ୟାମା କାନୁନ୍‌ଗୋଙ୍କ କହିବା କଥା ମହିଳାମାନେ ଉପଯୁକ୍ତ ବୟସରେ ମା’ ହେବା ଆବଶ୍ୟକ। କିନ୍ତୁ ଚାକିରି କରୁଥିବା ବା କର୍ମଜୀବୀ ମହିଳାମାନେ ‌ବିଭିନ୍ନ କାରଣରୁ ଉପଯୁକ୍ତ ବୟସରେ ମା’ ହୋଇପାରୁନାହାନ୍ତି। ଉପଯୁକ୍ତ ବୟସ ଗଡ଼ିଗଲେ, ଗର୍ଭାଶୟ ଓ ଡିମ୍ବାଣୁରେ ସମସ୍ୟା ଦେଖାଦେଉଛି। ତେଣୁ ସୁସ୍ଥ ଶିଶୁ ଜନ୍ମ ନେବାରେ ଆଶଙ୍କା ଦେଖାଦିଏ। ଏହାକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଫଳରେ ମହିଳାଜଣଙ୍କ ବିନା ଭୟ ବା ଦ୍ବନ୍ଦ୍ବରେ ମା’ ହେବାକୁ ଇଚ୍ଛା କରିବ।

ଏ ସମ୍ପର୍କରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସହୟୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟଙ୍କ କହିବା କଥା ମାତୃତ୍ବ ଲାଭ ପାଇଁ ପୂର୍ବରୁ ଯେଉଁ ପ୍ରସ୍ତୁତି ରହିବା କଥା, ସେସବୁ ଏବେ ନାହିଁ। ଏଥିପାଇଁ ଆଧୁନିକ ଜୀବନ‌ଶୈଳୀ ହିଁ ଦାୟୀ। ପୂର୍ବରୁ ଯୌଥ ପରିବାର ଥିଲା। ତେଣୁ ମା’ଟି ଉପରେ ପରିବାର ଚଳାଇବାର ଚାପ କମ୍‌ ରହୁଥିଲା। ମା’ କେବଳ ପିଲାଟିକୁ ପାଳିବା ଭାର ବହନ କରୁଥିଲା। କିନ୍ତୁ ଆଜି ଯୌଥ ପରିବାର ନାହିଁ। ବି‌ଶେଷକରି କର୍ମଜୀବୀ ମହିଳାମାନେ ସହରରେ ସ୍ବାମୀ ସହ ବା ଏକୁଟିଆ ରହୁଛନ୍ତି। ତେଣୁ ସେମାନେ ଶୀଘ୍ର ବା ଉପଯୁକ୍ତ ବୟସରେ ମା’ ହେବାକୁ ଇଚ୍ଛା କରୁନାହାନ୍ତି। ଚାକିରି ବା କ୍ୟାରିଅର୍‌ ସେମାନଙ୍କ ପାଇଁ ବଡ଼ କଥା ହେଉଛି। ବସ୍ତୁବାଦୀ ଦୁନିଆର ଜୀବନ‌ଶୈଳୀ ମହିଳାମାନଙ୍କୁ ଏଭଳି ଚାପଗ୍ରସ୍ତ କରୁଛି।

କେବଳ ସେତିକି ନୁହେଁ, କିଛି କର୍ମକ୍ଷେତ୍ରରେ ଗ୍ଲାମର୍‌ର ଚାହିଦା ବେଶି ଦରକାର ଥିବାରୁ ମହିଳାମାନେ ଶୀଘ୍ର ମା’ ହେବାକୁ ମନ ବଳାଉ ନାହାନ୍ତି। ମା’ ହେବା ପରେ ସ୍ତନ୍ୟପାନ କରାଇବାକୁ ପଡ଼ିବ। ଏହାଦ୍ବାରା ଗ୍ଲାମର ନଷ୍ଟ ହେବା ସମ୍ଭାବନା ଥିବାରୁ ବହୁ ଯୁବତୀ କ୍ୟାରିଅର୍‌ ଚିନ୍ତାରେ ମା’ ହେବାକୁ ପଛଘୁଞ୍ଚା ଦେଉଛନ୍ତି। ଏଭଳି ଧାରା ବା ଟ୍ରେଣ୍ଡ୍‌ ଆଗାମୀ ପିଢ଼ି ପାଇଁ ବଡ଼ ଭୟଙ୍କର ହେବ। ଏଣୁ ସବୁସ୍ତରରେ ମାତୃତ୍ବକୁ ସମ୍ମାନ ଓ ସ୍ବୀକୃତି ଦେବାକୁ ପଡ଼ିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ସହଯୋଗ ମିଳିବା ଆବଶ୍ୟକ। ମା’ ହେବା ପରେ କାହାର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ ନାହିଁ ବୋଲି ବିଶ୍ବାସ ଓ ଭରସା ଜନ୍ମାଇବା ଆବଶ୍ୟକ ବୋଲି ଶ୍ରୀମତୀ ରାଉତରାୟ ମତପୋଷଣ କରିଛନ୍ତି।