ଯାଜପୁର/ବ୍ୟାସନଗର: ମା’ମାନଙ୍କୁ ଓଡ଼ିଶା ବିକାଶରେ ଅଂଶୀଦାର କରିବା ‘ସୁଭଦ୍ରା’ ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାରେ ମା’ମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର, ୫ ବର୍ଷରେ ୫୦ ହଜାର ଟଙ୍କା ଦିଆଯାଉଛି। ମା’ମାନେ ଏହି ଅର୍ଥକୁ ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ନ କରି ବିଭିନ୍ନ ବ୍ୟବସାୟରେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ୟାସନଗର ଚାନ୍ଦମା ପଡ଼ିଆଠାରେ ଆୟୋଜିତ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବା ଅବସରରେ ପରାମର୍ଶ ଦେଇଛନ୍ତି। ନାରୀ ଶକ୍ତି ଓ ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଏହି ଯୋଜନା କରାଯାଇଛି। ଏଥିପାଇଁ ମା’ମାନଙ୍କୁ ବ୍ୟବସାୟ କରିବାର ବିଭିନ୍ନ କୌଶଳ ଶିଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ସର୍ବବୃହତ୍ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ ଅଧୀନରେ ମୁଖ୍ୟମନ୍ତ୍ରୀ ୧୮ ଲକ୍ଷ ୧୯୩ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନାରେ ପୂର୍ବରୁ ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇସାରିଛନ୍ତି। ଆଜିକୁ ମିଶାଇ ୪ଟି ପର୍ଯ୍ୟାୟରେ ୯୮,୩୦,୯୩୪ ଲକ୍ଷ ମହିଳା ସହାୟତା ପାଇଲେ। ମା’ମାନଙ୍କ ଦକ୍ଷତା ବିକାଶ ଲାଗି ନିକଟରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଆଇଆଇଏମ୍ ସମ୍ୱଲପୁର ସହିତ ଅନୁବନ୍ଧିତ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏଥିରେ ଯୋଡ଼ି ହେବେ। ମା’ମାନେ ବ୍ୟବସାୟ କରିବାର କଳା କୌଶଳ ଶିଖିଲେ, ସେମାନେ ସଫଳ ଉଦ୍ୟୋଗୀ ହୋଇପାରିବେ। ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହିତ ନିଜ ଅଧିକାର ପ୍ରତି ସଚେତନ ହୋଇପାରୁଛନ୍ତି। ‘ସୁଭଦ୍ରା’ ଓଡ଼ିଶାର ମା, ଭଉଣୀମାନଙ୍କ ଜୀବନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହି ଯୋଜନା ମହିଳା ସଶକ୍ତୀକରଣର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି। ଯାଜପୁର ଜିଲ୍ଲା ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା। ସ୍ୱାଧୀନତା ସଂଗ୍ରାମଠାରୁ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ଯାଜପୁରର ସ୍ୱତନ୍ତ୍ର ପରିଚୟ ରହିଛି। ‘ସୁଭଦ୍ରା’ ଯୋଜନାରେ ଜିଲ୍ଲାର ସମୁଦାୟ ୪.୯୪ ଲକ୍ଷରୁ ଅଧିକ ମା’ ଓ ଭଉଣୀ ସାମିଲ ହୋଇଛନ୍ତି। ତନ୍ମଧ୍ୟରୁ ୩. ୭୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତିର ଅର୍ଥରାଶି ପାଇଛନ୍ତି। ଆଜି ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତିରେ ଯାଜପୁର ଜିଲ୍ଲାରୁ ୭୯ ହଜାରରୁ ଅଧିକ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଗଲା ବୋଲି ସେ କହିଥିଲେ।
୧୮ଲକ୍ଷ ମହିଳାଙ୍କୁ ମିଳିଲା ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଅର୍ଥ
‘ସୁଭଦ୍ରା’ ଯୋଜନାରେ ୧ କୋଟି ହିତାଧିକାରୀ ସାମିଲ
ଯାଜପୁରରେ ୬୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ‘ସୁଭଦ୍ରା’ ଏକ ଯୋଜନା ନୁହେଁ, ଏହା ଆଗାମୀ ଦିନରେ ମହିଳାମାନଙ୍କ ଜୀବନଧାରଣର ଏକ ମାଧ୍ୟମ ହେବ ବୋଲି କହିଥିଲେ। ରାଜ୍ୟରେ ମହିଳାମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମା’ ସୁଭଦ୍ରାଙ୍କ ଶକ୍ତିରେ ଓଡ଼ିଶାର ସମସ୍ତ ମା’ ଭଉଣୀମାନେ ଶକ୍ତିଶାଳୀ ହୁଅନ୍ତୁ ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, କୋରେଇ ବିଧାୟକ ଆକାଶ ଦାସନାୟକ ପ୍ରମୁଖ ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ଜୀବନର ମାନଦଣ୍ଡ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ। ମହିଳା, ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ‘ସୁଭଦ୍ରା’ ଅର୍ଥ ବଣ୍ଟନ ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାରେ ୬୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ବ୍ୟାସନଗର ସହରରେ ୬୯.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ୟାସ ସରୋବର ପ୍ରକଳ୍ପ ଓ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ୟାସନଗରର ନୂତନ ଟାଉନ୍ହଲକୁ ଲୋକାର୍ପିତ କରିଥିଲେ। ଏଥିସହିତ ଯାଜପୁର ସହରରେ ୫୬୨ କୋଟି ଟଙ୍କାରେ ନିର୍ମିତ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍ଘାଟନ କରିଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗ ଦେଇଥିଲେ।