ପାଳଲହଡ଼ା : ଗୁଣିଗାରେଡ଼ି ଏବେ ବି କିଛି ଲୋକଙ୍କ ମନରେ ବସାବାନ୍ଧି ରହିଛି। ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ ନାହିଁ। ଏଭଳି ଦୁଃଖଦ ଘଟଣା ଘଟିଛି ପାଳଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ବର୍ଣ୍ଣମୁହାଣ ଗାଁରେ।
ସୂଚନା ଅନୁଯାୟୀ, ବର୍ଣ୍ଣମୁହାଣ ଗାଁର କେଳା ନାୟକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ପ୍ରାୟ ୩୦ ବର୍ଷ ତଳେ ବାସନ୍ଦ କରିଥିଲେ। କେଳା ଗାଁର ପୁରୁଣାସାହିରେ ଥିବା ଭିଟାମାଟି ଛାଡ଼ି ନୂଆସାହିରେ ଘରକରି ପରିବାର ସହିତ ରହୁଛନ୍ତି। ପୁରୁଣାସାହିରେ ସାନଭାଇ କୈଳାସ ଓ ଭରତଙ୍କ ସହ ରହୁଥିଲେ ତାଙ୍କ ମା’ ମୁକ୍ତା ନାୟକ। ମଙ୍ଗଳବାର ଦିନ ମୁକ୍ତାଙ୍କର ପାଖାପାଖି ଶହେ ବର୍ଷ ବୟସରେ ପରଲୋକ ହୋଇଥିଲା। ଖବରପାଇ କେଳା ତାଙ୍କ ପାଖରେ ପହଞ୍ଚିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କ ମୃତଦେହ ଛୁଇଁବା ପାଇଁ ବାରଣ କରିଥିଲେ। କେଳା ଯଦି ମା’ଙ୍କ ଶବ ଛୁଇଁବେ ବା ସଂସ୍କାରରେ ସାମିଲ୍ ହେବେ, ସେମାନେ ଏଥିରେ ସହଯୋଗ କରିବେ ନାହିଁ ବୋଲି କହିଥିଲେ। ଏହାପରେ ଗ୍ରାମବାସୀଙ୍କ କଥା ମାନି କୈଳାସ ଓ ଭରତ ମା’ଙ୍କ ଶବ ସଂସ୍କାର କରିଥିଲେ। କେଳା ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରି ଆସିଥିଲେ।