ସମସ୍ତଙ୍କ ପାଇଁ ନିଜ ମା’ ବଡ଼: ସୌମ୍ୟ

ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର : ୬୦ ଦଶକର କଥା। ବଡ଼ ଭାଇ ରାଉରକେଲାରେ ଚାକିରି କରୁଥିଲେ। ଦୁଇ ବଖରା ଏକ ଛୋଟ ଘରେ ଆମେ ରହୁଥାଉ। ଆମ ପଡ଼ୋଶୀ ଥିଲେ ସିକନ୍ଦର ଆଲାମଙ୍କ ଭାଇ। ସେ ନୂଆ ନୂଆ ପୁଲିସ ଚାକିରି କରିଥା’ନ୍ତି। ଭାଇଙ୍କ ସହ ତାଙ୍କ ନିବିଡ଼ ସମ୍ପର୍କ ଥିଲା। କିଛି ଦିନ ପରେ ସେ ବିବାହ କଲେ। ମୁସଲିମ୍‌ ସଂପ୍ରଦାୟର ହୋଇଥିବାରୁ ତାଙ୍କ ପତ୍ନୀ ଆମ ଘରକୁ ଆସିବା ବେଳେ ବୋଉ ଅପ୍ରସ୍ତୁତ ଅନୁଭବ କଲା। ମୁହଁରେ ହସୁଥି‌ଲେ ହେଁ ଠାକୁର ଘର ପାଖରେ ଭଦ୍ର ମହିଳା ଚାଲିଗଲେ ବୋଉକୁ ଅଧିକ ଅଡ଼ୁଆ ଲାଗୁଥିଲା। ହଠାତ୍‌ ସହରରେ ଦଙ୍ଗା ଆରମ୍ଭ ହେଲା। ଅଘଟଣ ଆଶଙ୍କା କରି ପୁଲିସ ବାବୁ ତାଙ୍କ ସ୍ତ୍ରୀକୁ ଆମ ଘରେ ଛାଡ଼ି ଦେଇଗଲେ। କିଛି ସମୟ ଭିତରେ ଦଳେ ଲୋକ ପୁଲିସ ବାବୁଙ୍କ ଘରକୁ ଆସି ଭଙ୍ଗାଭଙ୍ଗି କଲେ। ବୋଉ ସେ ଭଦ୍ର ମହିଳାଙ୍କୁ ଆଣି ଆମ ଖଟ ତଳେ ଲୁଚାଇ ଦେଲେ। ତାଙ୍କ ପାଖେପାଖେ ରହି ଖାଇବା ପିଇବାକୁ ଦେଲେ। ଦଙ୍ଗା ଶେଷ ହେବା ଯାଏ ବୋଉ ସେ ଭଦ୍ର ମହିଳାଙ୍କୁ ପାଖରେ ରଖିଲେ। ଯେଉଁ ମହିଳା ଘରକୁ ଆସିଲେ ବୋଉ ଅଡ଼ୁଆ ଅନୁଭବ କରୁଥିଲା, ବିପଦ ବେଳେ ତାଙ୍କୁ ଆଣି ଘରେ ସୁରକ୍ଷିତ ରଖିବା; କେବଳ ଜଣେ ମା’ ହିଁ କରିପାରେ। ଏବେ ଅନେକ ନିଜକୁ ବଡ଼ ହିନ୍ଦୁ ବୋଲି କହୁଛନ୍ତି। କିନ୍ତୁ ମୋ ବୋଉଠାରୁ ଭଲ ହିନ୍ଦୁ ମୁଁ ଏପର୍ଯ୍ୟନ୍ତ ଦେଖିନାହିଁ। ‘ସମ୍ବାଦ’ ପକ୍ଷରୁ ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ଏଇ ଅନୁଭୂତି କଥା କହୁ କହୁ ଶ୍ରୀ ପଟ୍ଟନାୟକ ଭାବବିହ୍ବଳ ହୋଇପଡ଼ିଥିଲେ।

ସେ ଆହୁରି କହିଲେ, ସମସ୍ତଙ୍କ ପାଇଁ ତା’ ମା’ ବଡ଼। ଏମିତି କୌଣସି ବ୍ୟକ୍ତି ନାହିଁ, ଯିଏ ତା’ ମା’କୁ ଭଲ ପାଏ ନାହିଁ। କିନ୍ତୁ ଦୁଃଖର କଥା ଯେ କିଛି ପିଲା ମା’କୁ ଅସମ୍ମାନ ଓ ହତ୍ୟା କରିବାକୁ ପଛାଉ ନାହାନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଅନ୍ୟ ପ୍ରଦେଶ ଭଳି ଆମ ରାଜ୍ୟରେ ଜାତି-ଜାତିକୁ ନେଇ ଦଙ୍ଗା ହୁଏ ନାହିଁ।

ଅନ୍ୟତମ ଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ ହୃଦୟକୁ ଛୁଉଁଥିବା ଗପ ମାଧ୍ୟମରେ ମା’ର ଶ୍ରଦ୍ଧା ଓ ସମ୍ମାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ କହିଲେ, ପିଲାଟି ଯେତେ ଦୁର୍ବଳ, ଅପାରଗ, ଅସୁନ୍ଦର ହୋଇଥାଉ ନା କାହିଁକି, ମା’କୁ ତାହା ଦେଖା ଯାଏନାହିଁ। ପିଲାମାନଙ୍କର ଦୁବର୍ଳତାକୁ ମା’ମାନେ କେବେ ଦେଖନ୍ତି ନାହିଁ। ସବୁ ଦୁର୍ବଳତାକୁ ଗୋଟିଏ ସକାରାତ୍ମକ ଦୃଷ୍ଟିରୁ ବିଚାର କରେ ମା’। ସବୁଠୁ ସୁନ୍ଦର ସନ୍ତାନ ମୋର ଏବଂ ମୋ ସନ୍ତାନଠାରୁ ଆଉ କେହି ଗୁଣବାନ ନୁହନ୍ତି ବୋଲି କେବଳ ମା’ ହିଁ କହିପାରେ। ମା’ ଋଣ କେବେ ବି ସୁଝି ହୁଏ ନାହିଁ। ବର୍ଷ ବର୍ଷ ଧରି ମା’ ପାଇଁ ଲେଖିଲେ ବି ପ୍ରକୃତ ଶବ୍ଦ ମିଳେ ନାହିଁ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ନିଜ ମା’ଙ୍କ କଥାକୁ ମନେ ପକାଇ କହିଲେ, ପିଲାବେଳେ ମା’ ମୋତେ ପ୍ରେରଣା ଦେଉଥିଲେ। ଫଳକୁ ଆଶା ନକରି କର୍ମ କରିବାକୁ ସେ ସବୁବେଳେ ମାର୍ଗଦର୍ଶନ ଦେଉଥିଲେ। ମା’ ପାଇଁ ଆଜି ମୁଁ ସଫଳ ହୋଇପାରିଛି। ମା’ର ସ୍ଥାନ କେହି ନେଇପାରିବେ ନାହିଁ।

କାର୍ଯ୍ୟକ୍ରମକୁ ଉପସ୍ଥାପିକା ସୋମା ସଂଯୋଜନା କରିଥିଲେ।

ଲକି ଡ୍ର’ରୁ ମିଳିଲା ୩୦ ଜଣଙ୍କୁ ଆକର୍ଷଣୀୟ ପୁରସ୍କାର
‘ବିଶ୍ବ ମାତୃ ଦିବସ’ ଉପଲକ୍ଷେ ହୋଇଥିବା ବାର୍ତ୍ତା ପ୍ରତିଯୋଗିତାରେ ୨ ଶହରୁ ଅଧିକ ବିଜେତା ହୋଇଥିଲେ। ସମସ୍ତ ବିଜେତାମାନଙ୍କୁ ନିଶ୍ଚିତ ଉପହାର ପ୍ରଦାନ କରାଯାଇଥିଲା। ଆଜି ସଭା ପରେ ବିଜେତାମାନଙ୍କ ମଧ୍ୟରେ ଲକି ଡ୍ର’ କରାଯାଇ ୩୦ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜ୍ଞାନବ୍ରତ ମହାନ୍ତି, ପ୍ରତିଭା ମହାନ୍ତି, କଳ୍ପନା ଦାଶ, ଅନନ୍ତ ଚରଣ ବାବୁ ପାତ୍ର, ଉଷାଶ୍ରୀ ପାଣି, ବେଣୁପାଣି ମହାପାତ୍ର, ରଶ୍ମିରେଖା ନାୟକ, ମମତାଜ୍‌ ବେଗମ୍‌, ସୁଶ୍ରୀ ଅବନ୍ତିକା, ସ୍ବାଗତିକା ନନ୍ଦ, ସୁଚେତା ସେଠୀ, ସୁନନ୍ଦ ମିଶ୍ର, ଜହ୍ନ (ଏମ୍‌ ସିଲି), ବାବନ ସାହୁ, ଲକ୍ଷ୍ମୀଧର ପଣ୍ଡା, ଶୁଭଶ୍ରୀ ମହାନ୍ତି, ରୀନା ବଳିଆରସିଂ, ଅପୂର୍ବା ବାରିକ, ରମେଶ ଚନ୍ଦ୍ର ବାରିକ, ନିବେଦିତା ମହାରଣା, ଜଗଦିଶ୍‌ ଦାସ, ରୋହିଣୀ ନାୟକ, ମଞ୍ଜୁଶ୍ରୀ ବେହେରା, ରଶ୍ମି ବଳବନ୍ତର, ସତ୍ୟ ପ୍ରିୟ କାଣ୍ଡି, ସବିତା ପାଣିଗ୍ରାହୀ, ରଞ୍ଜିତ ରଂଜନ ପାଲ୍‌, ଦିଲ୍ଲିପ ମଲ୍ଲିକ, ପିଏମ୍‌ ଦିବ୍ୟଲକ୍ଷ୍ମୀ, ତୁଷାର କାନ୍ତ ଓଝା ପ୍ରମୁଖଙ୍କୁ କିଚେନ୍‌ ଚିମିନି, ଏଲ୍‌ଇଡି ଟିଭି, ୱାଟର ପ୍ୟୁରିଫାୟର୍‌, ଏୟାର କୁଲର, ହାତଘଣ୍ଟା ଓ ଅନ୍ୟ ଉପହାର ପ୍ରଦାନ କରାଯାଇଥିଲା।

ଅତିଥିମାନଙ୍କ ସହ ସାହିତ୍ୟିକ ଦାଶ ବେନହୁର, ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ମହାପ୍ରବନ୍ଧକ (ବିଜ୍ଞାପନ) ସଂଜୟ ଗୌର, ଫିଲଟରନକ୍ସର ସୁଦିତା ସ୍ବାଇଁ, ଷ୍ଟାର ଜୋଏ ଟିଭିର ଏସ୍‌ଏମ୍‌ ଚିନ୍ମୟ ଦାସ, ଓଡ଼ିଶା ଡିଷ୍ଟ୍ରିବ୍ୟୁଟରର କମଲ ସିଂଘାନିଆ, ନିୟୁ ପ୍ଲାନେଟ୍‌ ଆପ୍ଲାଏନ୍‌ସେସ୍‌ର ଜେଡ୍‌ଏସ୍‌ଏମ୍‌ ନଳିନୀକାନ୍ତ ଦାସ, ସେଲୋ ଏୟାର କୁଲରରୁ ଆଶିଷ ଭଗତ୍‌ ପ୍ରମୁଖ ଉପସ୍ଥିତ ରହି ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରିଥିଲେ।

ମା’ଙ୍କୁ ନେଇ ‘ସମ୍ବାଦ’ର ନିଆରା ପରିକଳ୍ପନା ସମାଜକୁ ପ୍ରେରଣା ଦେଉଛି

ମା’ଙ୍କୁ ନେଇ ‘ସମ୍ବାଦ’ର ଏଭଳି ନିଆରା ପରିକଳ୍ପନା ସମାଜକୁ ପ୍ରେରଣା ଦେଉଛି। ମା’ଙ୍କ ପ୍ରତି ପିଲାମାନଙ୍କର ଥିବା ଦାୟିତ୍ବବୋଧ ଓ ପ୍ରତିବଦ୍ଧତାକୁ ‘ସମ୍ବାଦ’ ଚେତାଇ ଦେଉଛି। ମୁଁ ଲଗାତାର ୭ ବର୍ଷ ଧରି ମାତୃ ଦିବସ ବାର୍ତ୍ତ ପ୍ରତିଯୋଗିତାରେ ଭାଗ ନେଇ ବହୁତ ଖୁସି ଅନୁଭବ କରୁଛି। ମୁଁ ମୋ ମା’ ପାଇଁ ବାର୍ତ୍ତା ଲେଖୁଥିବା ବେଳେ ମୋ ପୁଅ ତୁଷାରକାନ୍ତ ମୋ ପାଇଁ ବାର୍ତ୍ତା ଲେଖିଥିଲା। ପୁଅର ବାର୍ତ୍ତା ଦେଖି ମୋ ଆଖିର ଲୁହକୁ ମୁଁ ସମ୍ଭାଳି ପାରିନଥିଲି। ‘ସମ୍ବାଦ’ ସହ ଯୋଡ଼ି ହୋଇଥିବା ଏହି ଭାବଗତ ସମ୍ପର୍କ ସବୁଦିନ ପାଇଁ ରହିଥାଉ ଏବଂ ‘ସମ୍ବାଦ’ ଏହିଭଳି ସମାଜ ପାଇଁ କାର୍ଯ୍ୟ କରୁ।

ସବିତା ପାଣିଗ୍ରାହୀ, ଢେଙ୍କାନାଳ

ସମ୍ବନ୍ଧିତ ଖବର