ମିସନ୍ ଶକ୍ତିର ମା’ମାନେ ଓଡ଼ିଶାର ବିକାଶ ବାହିନୀ

ମିସନ୍ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ

୩୩୮ଟି ବ୍ଲକ୍‌ସ୍ତରୀୟ ‘ମିସନ୍ ଶକ୍ତି ଭବନ’ ନିର୍ମାଣ ହେବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ମିସନ୍ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିସନ୍ ଶକ୍ତି ମହାସଂଘର ନିଜସ୍ବ ଘର ‘ମିସନ୍ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ। ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିସନ୍ ଶକ୍ତି ହେଉଛି ଓଡ଼ିଶାର ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ। ଆଜି ଏକ ଐତିହାସିକ ଦିବସ। ବ୍ଲକ୍ ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିସନ୍ ଶକ୍ତି ଭବନ ଗଠନ ହେବ, ସେଥିରେ ମା’ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢ଼ନ୍ତୁ, ମୁଁ ଆପଣମାନଙ୍କ ସାଥୀରେ ଅଛି।’

କୋଭିଡ୍ ସମୟରେ ମିସନ୍ ଶକ୍ତିର ମା’ମାନେ ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ମା’ମାନେ କୋଭିଡ୍ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିସନ୍ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ଜୀବନଜୀବିକାଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି। ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର – କୋରାପୁଟର ବୋରିଗୁମା ଠାରୁ ଆରମ୍ଭ କରି କଟକର ନିଆଳି ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା’ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ। ମୋର ବିଶ୍ବାସ, ଦିନେ ଆପଣମାନଙ୍କ ଭିତରୁ ବଡ଼ ବଡ଼ ଉଦ୍ୟୋଗୀ ବାହାରିବେ। ମୁଁ ସବୁବେଳେ କହି ଆସିଛି, ମା’ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ। ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିସନ୍ ଶକ୍ତିର ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଥିଲେ,

ଯେକୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିସନ ଶକ୍ତିକୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାର୍ଯ୍ୟକ୍ରମରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିସନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମୋରଡା ମିସନ୍ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିସନ ଶକ୍ତି ମହାସଂଘର ସମ୍ପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିସନ୍ ଶକ୍ତି ମହାସଂଘର ସମ୍ପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିସନ୍ ଶକ୍ତି ମହାସଂଘର ସମ୍ପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିସନ ଶକ୍ତି ମହାସଂଘର ସମ୍ପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସ୍ବତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀ ଆମମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଆଚାର ବ୍ୟବସାୟ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିସନ୍ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ପରିଚାଳନା କରିଥିଲେ। ମିସନ୍ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସାରା ଦେଶରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳାମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ। ଗତ ଦୁଇ ବର୍ଷରେ ମିସନ୍ ଶକ୍ତିର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି। ୨୦୨୧-୨୨ ବର୍ଷ ପାଇଁ ମିସନ୍ ଶକ୍ତିର ମା’ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ମିସନ୍ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର