ଝିଅର ପାଠପଢ଼ା ପାଇଁ ମା’ର କୋହଭରା ନିବେଦନ: ‘ନିରାଶା’କୁ ନିରାଶ କରନି, ପଢ଼ିବାକୁ ସୁଯୋଗ ଦିଅ

‘ଦୁଇ ହାତ ଆଙ୍ଗୁଳି ହରାଇବା ସତ୍ତ୍ବେ ମୋ ଝିଅ ସକ୍ଷମ’

ଯଶିପୁର : ମୋ ଝିଅ ‘ନିରାଶା’ର ଆଶା ନିରାଶାରେ ପରିଣତ ନ ହେଉ। ତାକୁ ପଢ଼ିବାକୁ ସୁଯୋଗ ଦିଆଯାଉ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଏମିତି କୋହଭରା କଣ୍ଠରେ ସରକାରୀ ଅଧିକାରୀଙ୍କୁ ମିନତି କରିଛନ୍ତି ଜଣେ ଆଦିବାସୀ ଗରିବ ମହିଳା ରଇବାରୀ ବାନରା।

ଯଶିପୁର ବ୍ଲକ ବାଉଁଶନାଳୀ ପଞ୍ଚାୟତ ମଣ୍ଡାମ ଗାଁର ମହାନ୍ତି ବାନରା ଓ ରଇବାରୀ ବାନରାଙ୍କ ୧୨ ବର୍ଷର ଝିଅ ନିରାଶା ବାନରା। ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା ସତ୍ତ୍ବେ ଶାରୀରିକ ଭିନ୍ନକ୍ଷମ ତା’ ପାଇଁ ଅଭିଶାପ ପାଲଟିଛି। ନିରାଶାକୁ ଯେତେବେଳେ ୩ ବର୍ଷ, ଗରମ ପେଜରେ ହାତ ବୁଡ଼ାଇ ଦେବାରୁ ତାର ଦୁଇଟି ଯାକ କଅଁଳ ହାତ ପୋଡ଼ି ଯାଇଥିଲା। ଗୋଟିଏ ହାତରେ ଆଙ୍ଗୁଳି ସବୁ ମୋଡ଼ି ହୋଇ ଯାଇଥିବାବେଳେ ଅନ୍ୟ ହାତରେ ଆଙ୍ଗୁଳି ନାହିଁ। ତଥାପି ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଛି। ଦୁଇ ହାତକୁ ମିଶାଇ ଲେଖାଲେଖିରେ ସେ ଯେତିକି ଧୂରୀଣ, ଘର କାମରେ ବି ସେତିକି ପ୍ରବୀଣ। ୨୦୨୦ ମସିହାରେ ପଞ୍ଚମ ଶ୍ରେଣୀ ପାଠ ଶେଷ ହେବା ପରେ ଗାଁ ସ୍କୁଲର ଶିକ୍ଷକ ମହାନ୍ତି ଜେରାଇ ଗତବର୍ଷ ତାକୁ ବଲାଣପୋଷି ଆବାସିକ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟରେ ଭର୍ତ୍ତି କରି ହଷ୍ଟେଲରେ ରହିବାର ବ୍ୟବସ୍ଥା କରିଥିଲେ। ହେଲେ, ସେଠାରେ ଦୁଇମାସ ରହିବାପରେ ଶାରୀରିକ ଅକ୍ଷମତା ଦର୍ଶାଇ ତାକୁ ସ୍କୁଲରୁ ବାହାର କରିଦିଆଗଲା।

ପ୍ରଧାନଶିକ୍ଷକ ବିରେନ୍ଦ୍ର ସେଠୀଙ୍କ କହିବାନୁସାରେ, ନିରାଶା ଭିନ୍ନକ୍ଷମତା ପାଇଁ ନିଜ ବ୍ୟକ୍ତିଗତ କାମ କରିବାରେ ଅକ୍ଷମ। ନିଜ ହାତରେ ପାଣି ପିଇବା, ପାଇଖାନା ଯିବା, ନିଜ ଲୁଗାପଟା ସଫା କରି ପାରୁନଥିଲା। ଏସବୁ କାର୍ଯ୍ୟରେ ତାକୁ ଅନ୍ତେବାସୀ ଓ ମାଟ୍ରନ୍‌ମାନେ ବେଶି ଦିନ ସହଯୋଗ କରିବା ସମ୍ଭବ ହୋଇ ନଥିଲା। ତେଣୁ ତାକୁ ଭିନ୍ନକ୍ଷମ ସ୍କୁଲରେ ଭର୍ତ୍ତି କରିବାକୁ ସେ ପରିବାର ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ପରେ ଶିଙ୍ଗାରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ିବା ପାଇଁ ଆବେଦନ କରିଥିଲା ନିରାଶା। କିନ୍ତୁ, ସେଠାରେ ବି ତାକୁ ଭିନ୍ନକ୍ଷମ ଦର୍ଶାଇ ଆଡମିସନ୍‌ ପାଇଁ ମନା କରି ଦିଆଗଲା। ଝିଅର ପାଠପଢ଼ା ପ୍ରତି ଝୁଙ୍କ ଦେଖି ମାଆ ରଇବାରୀ ବାରିପଦାସ୍ଥିତ ଭିନ୍ନକ୍ଷମ ସ୍କୁଲକୁ ଯାଇ କାକୁତିମିନତି ହୋଇଥିଲେ। ସେଠାରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କେବଳ ଅନ୍ଧ, ମୂକ, ବଧିର ପିଲାଙ୍କ ପାଇଁ ପଢ଼ିବାର ସୁବିଧା ଥିବା କହି ଫେରାଇ ଦେଇଥିଲେ। ମୂଲଲାଗି ପେଟ ପୋଷୁଥିବା ରଇବାରୀ ଶେଷରେ ବ୍ଲକ୍‌ସ୍ତରୀୟ ଭିନ୍ନକ୍ଷମ ଶିବିରରେ ପହଞ୍ଚି ନିଜ ଝିଅର ଇଚ୍ଛା କଥା ଜଣାଇ ସରକାରୀ ପଦାଧିକାରୀଙ୍କ ସହଯୋଗ ଲୋଡ଼ିଛନ୍ତି। ଝିଅ ନିରାଶା ଲୁଗାପଟା ସଫା କରିବା ସହିତ ପାଇଖାନା ଯିବା ଓ ନିଜ ବ୍ୟକ୍ତିଗତ କାମ ସହଜରେ କରିପାରେ ବୋଲି ମାଆ ରଇବାରୀ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପିଲାବେଳୁ ବାପା ମହାନ୍ତି ବାନରା ଅନ୍ୟତ୍ର ବିବାହ କରି ପଳାଇ ଯାଇଥିବାବେଳେ ରଇବାରୀ ମୂଲ ଲାଗି ଝିଅକୁ ପଢ଼ାଇବାକୁ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ କାହାପାଖରୁ ତାଙ୍କୁ ସହଯୋଗ ମିଳୁନି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ଏହି କୁନିଝିଅର ପାଠପଢ଼ା ଆଶା ପୂରଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର