ଘରୋଇ ଅଶାନ୍ତିର କରୁଣ ପରିଣତି : ଦେଢ଼ ବର୍ଷର ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଘରୋଇ ସମସ୍ୟାକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତିର କରୁଣ ପରିଣତି ଘଟିଛି। ନିଜର କୁନି ଝିଅକୁ ହତ୍ୟା ପରେ ମା’ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନିପୁର ମହାନ୍ତିସାହିରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସଂଧାନ ଆରମ୍ଭ କରିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ମା’ ସାବିତ୍ରୀ ଗୌଡ଼(୨୩) ତା’ର ୧ବର୍ଷ ୭ମାସର ଝିଅକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ସୂଚନା ଦେଇଛନ୍ତି।

ଭାବିନିପୁର ମହାନ୍ତି ସାହିର କୁଳମଣି ଗୌଡ଼ ଗତ ପ୍ରାୟ ଅଢ଼େଇ ବର୍ଷ ତଳେ ରମ୍ଭା ବେଲପଡ଼ାର ସାବିତ୍ରୀଙ୍କୁ ବାହା ହୋଇଥିଲେ। ବାହାଘର କିଛିଦିନ ପରେ ଶ୍ବଶୁର ଘର ଲୋକଙ୍କୁ ଛାଡ଼ି ସାବିତ୍ରୀ ସ୍ବାମୀଙ୍କ ସହିତ ଅଲଗା ରହିବା ପାଇଁ ଚାହୁଁଥିଲେ। ଇତିମଧ୍ୟରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଝିଅ ଜନ୍ମ ପରେ ସ୍ବାମୀ କୁଳମଣି ପତ୍ନୀଙ୍କୁ ବୁଝାସୁଝା କରି ରଖିଥିଲେ। କୁଳମଣି ମିସ୍ତ୍ରି ଭାବେ କାମ କରୁଥିବା ‌ବେଳେ ଲକ୍‌ଡାଉନ୍‌ ଯୋଗୁଁ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। ଏଭଳି ସ୍ଥିତିରେ ସାବିତ୍ରୀ ଅଲଗା ରହିବା ପାଇଁ ପୁଣି ଥରେ ସ୍ବାମୀଙ୍କ ଉପରେ ଚାପ ପକାଇଥିଲେ। ଯାହାକୁ ନେଇ ବିଗତ ଦିନରେ ଉଭୟଙ୍କ ମଧ୍ୟରେ ବହୁବାର ଝଗଡ଼ା ହୋଇଥିଲା ବୋଲି ପୁଲିସ କହିଛି। ଆଜି ସକାଳେ ସ୍ବାମୀ କୁଳମଣି ଓ ଅନ୍ୟମାନେ ବିଲକୁ କାମ କରିବାକୁ ଯାଇଥିଲେ। ମଧ୍ୟାହ୍ନରେ ପରିବାରବର୍ଗ ଫେରିଥିଲେ। ସାବିତ୍ରୀ କାନ୍ଦୁଥିବା ବେଳେ ଝିଅ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। କୁଳମଣି ଘଟଣା ସମ୍ପର୍କରେ ପଚାରିବାରୁ ଝିଅର ପାଟିରେ ହାତ ଦେଇ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସାବିତ୍ରୀ ସ୍ବୀକାର କରିଥିଲେ।

ଏହାପରେ ସାବିତ୍ରୀ ନିଜର ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପରିବାରବର୍ଗ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ସଦର ଥାନା ପୁଲିସ କେସ୍ ନମ୍ବର ୧୩୭/୨୦ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର