ଲକ୍ଷ୍ୟଠାରୁ ବହୁ ଦୂରରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସଫଳ ହେବ ତ?, ଗୋଟିଏ ବର୍ଷରେ ମାତ୍ର ୩ ପ୍ରତିଶତ ବଢ଼ିଛି

ଭୁବନେଶ୍ବର : ରାଜ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି। ଚଳିତବର୍ଷ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରି ନାହିଁ। ଗତ ଦୁଇବର୍ଷ ଭିତରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ମାତ୍ର ୩ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ସରକାର ଦୁଇବର୍ଷ ତଳେ ସାର୍ବଜନୀନ ଚକ୍ଷୁସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସ‌ୁନେତ୍ର’ ଯୋଜନା ଆରମ୍ଭ କରିଥିଲେ ହେଁ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। ଏହି ଗତିରେ ଅସ୍ତ୍ରୋପଚାର ଚାଲିଲେ ଧାର୍ଯ୍ୟ ସମୟ ମଧ୍ୟରେ ସଂପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଲକ୍ଷ୍ୟ ହାସଲ କରିବା ନେଇ ସନ୍ଦେହ ଦେଖା ଦେଇଛି।
ରାଜ୍ୟରେ କେତେ ସଂଖ୍ୟକ ମୋତିଆବିନ୍ଦୁ ଆକ୍ରାନ୍ତ ରହିଛନ୍ତି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭/୧୮ ଓ ୨୦୧୮/୧୯ରେ ୨ଲକ୍ଷ ୭୬ହଜାର ୮୫୩ ଜଣ ମୋତିଆବିନ୍ଦୁ ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ଲକ୍ଷ୍ୟ ଦିଆଯାଇଥିଲା। ୨୦୧୭/୧୮ରେ ୪୭.୯୯ ହାରରେ ୧ଲକ୍ଷ ୩୨ହଜାର ୮୮୭ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିବା ବେଳେ ୨୦୧୮/୧୯ରେ ଏହା ୫୦ ପ୍ରତିଶତ ଛୁଇଁଛି। ଚଳିତବର୍ଷ ୧ଲକ୍ଷ ୩୯ହଜାର ୫୬୫ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ହୋଇଛି। ୨୦୧୭/୧୮ରେ ବୌଦ୍ଧ, ଦେବଗଡ଼ ଜିଲ୍ଲାରେ ଗୋଟିଏ ହେଲେ ଅସ୍ତ୍ରୋପଚାର ହୋଇନାହିଁ। କନ୍ଧମାଳରେ ୩୮, ପୁରୀରେ ୬୪, ମ‌ାଲକାନାଗିରି ୨୬୨, ନୂଆପଡ଼ରେ ୩୮୫, ନବରଙ୍ଗପୁରରେ ୪୮୬, ଜଗତସିଂହପୁରରେ ୫୫୨, କେନ୍ଦୁଝରରେ ୫୭୧, ଝାରସୁଗୁଡ଼ାରେ ୬୧୩ ଓ କୋରାପୁଟରେ ୭୯୭ ଜିଲ୍ଲାରେ ୧ ହଜାର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ ହୋଇପାରି ନାହିଁ। ଯାଜପୁର ଜିଲ୍ଲାରେ ସରକାରୀ ଡାକ୍ତରଖାନାରେ ଗୋଟିଏ ହେଲେ ଅସ୍ତ୍ରୋପଚାର ହୋଇ ନ ଥିବା ବେଳେ ଏନ୍‌ଜିଓ ସହାୟତାରେ ୬୪୪୪ ଅସ୍ତ୍ରୋପଚାର ହୋଇପାରିଛି। ଖୋର୍ଧା ଜିଲ୍ଲାରେ ୩୦ହଜାର ୯୭୭ ଓ ସରକାରୀ ଡାକ୍ତରଖାନାରେ ୨୧୮୯ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏନ୍‌ଜିଓ ସହାୟତାରେ ୧୫ହଜାର ୪୨୦ ଅସ୍ତ୍ରୋପଚାର ହୋଇଛି। ଜିଲ୍ଲାରେ ୨୫ହଜାର ୧୧୧ ଅସ୍ତ୍ରୋପଚାର ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁତ ଦୂରରେ।

୨୦୧୮/୧୯ରେ ବୌଦ୍ଧ, କେନ୍ଦ୍ରାପଡ଼ା ଓ ଦେବଗଡ଼ ଜିଲ୍ଲାରେ ଗୋଟିଏ ହେଲେ ଅସ୍ତ୍ରୋପଚାର ହୋଇନାହିଁ। ପୁରୀରେ ୯୧୫୩ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୧ ପ୍ରତିଶତ ହାରରେ ୮୪ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି। କନ୍ଧମାଳରେ ୩ ପ୍ରତିଶତ, ନୂଆପଡ଼ାରେ ୫ ପ୍ରତିଶତ, ମାଲକାନାଗିରିରେ ୬ ପ୍ରତିଶତ, କେନ୍ଦୁଝରରେ ୭ ପ୍ରତିଶତ ଓ ବରଗଡ଼ରେ ମାତ୍ର ୧୧ ପ୍ରତିଶତ ଅସ୍ତ୍ରୋପଚାର ହୋଇଛି। ତେବେ ସୋନପୁରରେ ୧୫୮ ପ୍ରତିଶତ, ଢେଙ୍କାନାଳରେ ୧୨୨, କଟକରେ ୧୧୦, କଳାହାଣ୍ଡିରେ ୯୯ ପ୍ରତିଶତ, ଖୋର୍ଧାରେ ୯୪ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ମୟୂରଭଞ୍ଜ, ନବରଙ୍ଗପୁର ଓ ବାଲେଶ୍ବର ଜିଲ୍ଲାରେ ତଥ୍ୟ ମିଳିପାରି ନାହିଁ।

୨୦୧୭ ମସିହାରେ ରାଜ୍ୟରେ ସାର୍ବଜନୀନ ଚକ୍ଷୁସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଥିଲା। ମାତ୍ର ସେଭଳି କୌଣସି ଫରକ ଦେଖିବାକୁ ମିଳିନାହିଁ। ଏହି ଯୋଜନାରେ ୨୦୨୨ ମସିହା ସୁଦ୍ଧା ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ସମସ୍ତ ମୋତିଆବିନ୍ଦୁ ଆକ୍ରାନ୍ତଙ୍କ ଅସ୍ତ୍ରୋପଚାର ପାଇଁ ଲକ୍ଷ୍ୟ ରହିଛି। ମାତ୍ର ଅନେକ ଜିଲ୍ଲାରେ ଚକ୍ଷୁ ଡାକ୍ତର ନ ଥିବାରୁ ଏହି ଲକ୍ଷ୍ୟ ହାସଲ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି କେତେକ ଜିଲ୍ଲାରେ ଚକ୍ଷୁ ଡାକ୍ତରଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି। ଏପରିକି କିଛି ଜିଲ୍ଲାରେ ଅସ୍ତ୍ରୋପଚାର ଗୃହରେ ଅନ୍ୟ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଟଙ୍କା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଅର୍ଥ ଦେଉଛନ୍ତି। ମାତ୍ର ତାହା ଖର୍ଚ ନ ହୋଇ ଫେରି ଯାଉଥିବା ନଜରକୁ ଆସୁଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅକ୍ଟୋବର ୨୦୧୭ ମସିହାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଗତବର୍ଷ ଏଥିପାଇଁ ଆବଶ୍ୟକ ବଜେଟ୍ ଦିଆଯାଇଥିଲା। କିଛି ଜିଲ୍ଲାରେ ଡାକ୍ତରଙ୍କ ଅଭାବ ଯୋଗୁଁ ମୋତିଆବିନ୍ଦୁ ଅସ୍ତ୍ରେପଚାର ସମ୍ଭବ ହେଉନାହିଁ। ଆଗାମୀ ଦିନରେ ଅଧିକ ସଂଖ୍ୟାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ। ଅନେକ ଜିଲ୍ଲାରେ ଚକ୍ଷୁ ପରୀକ୍ଷା ପାଇଁ ମୋବାଇଲ ଭ୍ୟାନ୍ କାର୍ଯ୍ୟକାରୀ କରାଯିବ। ଯାହାଫଳରେ ଅଧିକରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା ହୋଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର