ଲୋକସଭାରେ ଗୃହୀତ ‌େହଲା ମୋଟର ଯାନ ସଂଶୋଧନ ବିଲ୍: ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଟର ଯାନ ସଂଶୋଧନ ବିଲ୍‌-୨୦୧୯ ଗୃହୀତ ହୋଇଛି। ସଂଶୋଧିତ ବିଲ୍‌ରେ କ୍ଷତିପୂରଣ ଓ ବୀମା ବ୍ୟବସ୍ଥାର ସଂଶୋଧନ କରାଯାଇଛି। ବିଲ୍‌କୁ ବିଜେଡି ସମର୍ଥନ କରିଛି। ବିଜେଡି ପକ୍ଷରୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଜି ଆଲୋଚନାରେ ଭାଗ ନେଇଥିଲେ। ସଡ଼କ ସୁରକ୍ଷା ପାଇଁ ଇଲେକ୍ଟ୍ରୋନିକ୍ସ ମନିଟରିଂ ବ୍ୟବସ୍ଥା ତଥା ଜାତୀୟ ଓ ରାଜ୍ୟ ରାଜପଥରେ ସିସିଟିଭି କ୍ୟାମେରା ଓ ସ୍ପିଡ୍ ଡିଟେକ୍ଟର ନିୟୋଜିତ କରିବା ଭିତ୍ତିଭୂମି ସମ୍ପର୍କିତ ଖର୍ଚ୍ଚ କିଏ ବହନ କରିବ ସେନେଇ ସଂଶୋଧିତ ବିଲ୍‌ରେ କୌଣସି ସ୍ପଷ୍ଟତା ନଥିବାରୁ ମୁର୍ମୁ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ଏବଂ ଦେଶରେ ୨୫ ଲକ୍ଷ ଡ୍ରାଇଭର ମାନଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଚନ୍ଦ୍ରାଣୀ କହିଥିଲେ। ଡ୍ରାଇଭିଂ ଲାଇସେନ୍ସ ପାଇଁ ବିଲ୍ ସଂଶୋଧନ ଦ୍ବାରା ନ୍ୟୁନତମ ଦଶମ ଶ୍ରେଣୀ ପାସ୍ ଯୋଗ୍ୟତା ହଟାଇଦେବା ଦ୍ବାରା ନିମ୍ନସ୍ତର ଶିକ୍ଷାଗତ ଯୋଗ୍ୟତା ତଥା ବେରୋଜଗାର ଯୁବକଙ୍କୁ ଚାକିରୀ ସୁଯୋଗ ମିଳିବାରେ ସହାୟକ ହେବ ବୋଲି ସେ ବିଲ୍‌କୁ ସ୍ବାଗତ କରିଥିଲେ। କେନ୍ଦ୍ର ସରକାର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ ବୋଲି ମୁର୍ମୁ କହିଛନ୍ତି। । ରାତି ୧୨ଟାରୁ ସକାଳ ୪ଟା ସମୟ ଅବଧିରେ ଜାତୀୟ ରାଜପଥମାନଙ୍କରେ ଅଧିକ ମାତ୍ରାରେ ଦୁର୍ଘଟଣା ହେଉଥିବା ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରି ଚନ୍ଦ୍ରାଣୀ କହିଥିଲେ ରାଜପଥ ମାନଙ୍କରେ ବ୍ୟାପକ ମାତ୍ରାରେ ଚେକିଙ୍ଗ ହେବା ଦରକାର। ହିଟ୍ ଆଣ୍ଡ ରନ୍ ମାମଲାରେ ମୃତକଙ୍କ ପାଇଁ ୨୦ ହଜାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଗୁରୁତର ଆହତଙ୍କ ପାଇଁ ୧୨୫୦୦ ରୁ ୫୦ ହଜାର ଟଙ୍କା ବ୍ୟବସ୍ଥା କରିବା ଆଜିର ଦିନରେ ଯଥେଷ୍ଟ ନୁହେଁ । ଏହି ଅର୍ଥରାଶିକୁ ବୃଦ୍ଧି କରିବା ପାଇଁ ସେ ଦାବି କରିଥିଲେ। ଆଲୋଚନା ବେଳେ ଚନ୍ଦ୍ରାଣୀ ମୁର୍ମୁ ରାଜ୍ୟରେ ରାସ୍ତାର ବିକାଶ, ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁଭଳି ବୈପ୍ଳବିକ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ମଧ୍ୟ କହିଥିଲେ।

ସମ୍ବନ୍ଧିତ ଖବର