ଜିଲ୍ଲାରୁ ଜିଲ୍ଲା ମାଡିଛି କେଳେଙ୍କାରୀ ଚେର

କ୍ରାଇମ୍‌ବ୍ରାଞ୍ଚରେ ଆଉ ଏକ ବୀମା ସଂସ୍ଥା, ୩ ଜିଲ୍ଲାରେ ୩ ଡିଏସ୍‌ପିଙ୍କ ଚଢ଼ଉ

କଟକ : ଟ୍ରକ୍‌ ଭଳି ଟ୍ରାକ୍ଟର୍‌ ବି କରିଛି ‘ମିଛ’ ଦୁର୍ଘଟଣା । ଏକ ବର୍ଷରେ ଗୋଟିଏ ‘ମିଛ’ ଡ୍ରାଇଭର୍‌ ପାଞ୍ଚଟି ଟ୍ରାକ୍ଟରରେ କାର୍ଯ୍ୟ କରିଛି । ପାଞ୍ଚ ଥର ପାଞ୍ଚଟି ଅଞ୍ଚଳରେ ‘ମିଛ’ ଦୁର୍ଘଟଣା ଘଟାଇଛି । କାଗଜ କଲମରେ ଟ୍ରାକ୍ଟର କ୍ଷତିଗ୍ରସ୍ତ ହୋଇଛି। ‘ମିଛ’ ଡ୍ରାଇଭର୍‌ ବି ଆହତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛି। ଏବେ ପାଞ୍ଚଟି ଗାଡ଼ି ମାଲିକ ଲକ୍ଷାଧିକ ଟଙ୍କାର ବୀମା ରାଶି ହାତେଇବାକୁ କୋର୍ଟରେ ଆବେଦନ କରିଛନ୍ତି। କିନ୍ତୁ ‘ମିଛ’ ଦୁର୍ଘଟଣାର ସୂଚନା ପାଇଛି ବୀମା ସଂସ୍ଥା ‘ଆଇସିଆସିଆଇ ଲମ୍ବାର୍ଡ’ । ଏ ସଂକ୍ରାନ୍ତରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ସଂସ୍ଥା ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ‘ଫ୍ୟୁଚର ଜେନେରାଲି’ ସଂସ୍ଥାର ୨୬ ‘ମିଛ’ ଦୁର୍ଘଟଣା ପରେ ପୁଣି ଆଉ ଏକ ‘ମିଛ’ ଡ୍ରାଇଭର୍‌ର କାରନାମା ସମ୍ପର୍କରେ ଅଭିଯୋଗ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଛି।

ଏହି ଘଟଣାରେ ବଡ଼ ଧରଣର କେଳେଙ୍କାରୀ ହୋଇଥିବା ପ୍ରାଥମିକ ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରୁଛି । ଘଟଣାର ଅଧିକ ଖୋଳତାଡ଼ ପାଇଁ କ୍ରାଇମ୍‌ବ୍ରାଞ୍ଚର ତିନି ଜଣ ବରିଷ୍ଠ ଡିଏସ୍‌ପିଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଜାଲିଆତି ଅଭିଯୋଗ ହୋଇଥିବା କେନ୍ଦୁଝର ସମେତ ଚେର ଲମ୍ବିଥିବା ଖୋର୍ଧା ଜିଲ୍ଲାର ଭୁବନେଶ୍ୱର ଏବଂ କେନ୍ଦ୍ରାପଡ଼ାରେ ଚଢ଼ଉ ଆରମ୍ଭ କରିଛି। କେନ୍ଦୁଝର ଜିଲ୍ଲାକୁ ଯାଇଥିବା ଟିମ୍‌ ଉକ୍ତ ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣା ସମ୍ପର୍କିତ ୩ଟି ଥାନାରେ ରୁୁଜୁ ହୋଇଥିବା ମାମଲା ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବ। ଉକ୍ତ ଥାନାର ଇନ୍‌ସ୍ପେକ୍ଟର ଏବଂ ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କୁ ମଧ୍ୟ ତଦନ୍ତ ପରିସରରଭୁକ୍ତ କରାଯିବ। କେଶବ ପାଞ୍ଚ ଥର ଦୁର୍ଘଟଣାରେ ଆହତ ହୋଇଥିବା ଦର୍ଶାଇଥିବା ବେଳେ ଇଞ୍ଜୁରୀ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରାଯିବ। ଏହାବାଦ୍‌ ଆର୍‌ଟିଓ ଅଧିକାରୀ ଏବଂ ଦୁର୍ଘଟଣା ଘଟିଥିବା ସମ୍ପୃକ୍ତ ଟ୍ରାକ୍ଟର ମାଲିକଙ୍କୁ ମଧ୍ୟ ସ୍କାନର୍‌ରେ ରଖାଯାଇଥିବା ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

‘ଫ୍ୟୁଚର ଜେନେରାଲି’ ବୀମା ସଂସ୍ଥା ପକ୍ଷରୁ ୮ ତାରିଖରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଏକ ଅଭିଯୋଗ କରିଥିବା ବେଳେ ପୁଣି ଏବେ ‘ଆଇସିଆସିଆଇ ଲମ୍ବାର୍ଡ’ ଅଭିଯୋଗ କରିଛି । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଡୁମୁରିନାଳିଜଙ୍ଗା ଅଞ୍ଚଳରେ କେଶବ ଚନ୍ଦ୍ର ମହାନ୍ତ ନାମକ ଜଣେ ଟ୍ରାକ୍ଟର ଚାଳକ ୨୦୧୫-୧୬ ବର୍ଷରେ ୫ଟି ଟ୍ରାକ୍ଟରରେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରିବା ସହିତ ପାଞ୍ଚ ଥର ଦୁର୍ଘଟଣା ଘଟାଇଥିବା ଦର୍ଶାଇ ବୀମା ଟଙ୍କା ହାତେଇବା ପାଇଁ ସମ୍ପୃକ୍ତ ଟ୍ରାକ୍ଟର ମାଲିକମାନେ କୋର୍ଟରେ ମାମଲା ଦାୟର କରିଥିଲେ । ‘ଆଇସିଆସିଆଇ ଲମ୍ବାର୍ଡ’ ଏହି ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରିବା ପରେ ପାଞ୍ଚଟି ଦୁର୍ଘଟଣା ଜାଲ୍‌ ବୋଲି ସୁରାଗ ମିଳିଥିବା ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର