ରାସ୍ତା ତଳକୁ ଖସିଲା ମୋଟର ବାଇକ୍‌; ୨ ମୃତ

ରାଉରକେଲା: ଆଜି ସନ୍ଧ୍ୟା ସାଢ଼େ ୫ଟା ସମୟରେ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ନିକଟ ମଣ୍ଡପ ଗାଁ ଠାରେ ପିଡବ୍ଲୁଡି ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମଣ୍ଡପ ଗ୍ରାମରେ ଚାଲିଥିବା ଏକ ବିବାହ ସମାରୋହରୁ ଫେରୁଥିବାବେଳେ ଦୁଇଜଣ ଯୁବକ ଏକ ବାଇକ୍‌ରେ ରାଉରକେଲା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ବାଇକ୍‌ର ଦ୍ରୁତ ଗତି ଯୋଗୁଁ ବାଇକ୍ ଚାଲକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଯାହା ଫଳରେ ବାଇକ୍‌ରେ ବସି ଥିବା ଉଭୟ ଯୁବକ ରାସ୍ତାକଡ଼ରେ ୧୦ଫୁଟ୍‌ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବିଶ୍ରା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ରାଉରକେଲା ଉଦିତନଗରର ଓରାମପଡ଼ା ନିବାସୀ ଆସିମ ବୁଡ (୨୫) ଓ ଦୀପକ ବୁଡ (୨୨)। ବିଶ୍ରା ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଏକ ସଡ଼କ ଦୁର୍ଘଟଣା ମାମଲା ରୁଜୁ କରି ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର