ମାଲକାନଗିରି: ଯାହା ଆକଳନ କରାଯାଉଛି ଯଦି ସତ ହୁଏ, ତେବେ ଆଗକୁ ମୋଟୁ ମାନଚିତ୍ରରୁ ସଂପୂର୍ଣ୍ଣ ଲିଭିଯିବ। ବିସ୍ଥାପନ ଓ ଥଇଥାନକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ଭରି ରହିଛି। ରାଜ୍ୟ ସରକାର ଏଯାଏ ଲୋକଙ୍କ ଥଇଥାନ କିମ୍ବା ସହାୟତା ବାବଦରେ କୌଣସି ଘୋଷଣା କରିନାହାନ୍ତି। ଲୋକଙ୍କ ସମସ୍ୟାକୁ ରାଜ‌ନୀତିକରଣ କରିବା ବଦଳରେ ଓଡ଼ିଶା ଏବଂ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ସବୁସ୍ତରରେ ଦାବି ଉଠୁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆଜି ପୋଲାଭରମ ପ୍ରକଳ୍ପ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲାର ମୋଟୁ ଓ ଆନ୍ଧ୍ରର କାଲୁର ଆଜି ପରିଦର୍ଶନ କଲା ପରେ ମୋଟୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

Advertisment

ଆନ୍ଧ୍ରର ପୋଲାଭରମ ବହୁମୁଖୀ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପ ମାନ୍ୟତା ସହ ୧୫ହଜାର କୋଟିର ଅନୁଦାନ ଦେବାପରେ ରାଜନୀତିର କେନ୍ଦ୍ରସ୍ଥଳ ପାଲଟିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ। ଓଡ଼ିଶା ସ୍ବାର୍ଥର ଦ୍ବାହି ଦେଇ ଅନେକ ସଂଗଠନ ସହ ରାଜନୈତିକ ଦଳ ସିଧାସଳଖ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ବିଜେଡି ପ୍ରତିନିଧି ଦଳ ମୋଟୁ ଅଞ୍ଚଳ ପରିଦର୍ଶନ କରିବା ସହ ଆନୁମାନିକ କ୍ଷୟକ୍ଷତିର ତଥ୍ୟ ଉପସ୍ଥାପନ କରି ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ବର୍ଷିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଭୃଗୁ ବକ୍ସିପାତ୍ର, ଝିହ୍ନ ହିକକା, ରମେଶ ମାଝୀ, ଈଶ୍ୱର ପାଣିଗ୍ରାହୀ, ରଘୁରାମ ପଡ଼ାଲ, ବିଧାୟକ ମନୋହର ରନ୍ଧାରୀ, ରବି ନନ୍ଦ, ମାନସ ମାଡ଼କାମୀ, ପୃଥ୍ବୀରାଜ ସାହୁ ପ୍ରମୁଖ ମୋଟୁ, କାଲେର, ଆଲାମା, ପେଟା, ଓ ବିନାୟକପୁର ଆଦି ଅଞ୍ଚଳ ବୁଲିଥିଲେ। ଗୋଦାବରୀ ପଛୁଆ ପାଣି ଯୋଗୁ ବର୍ତ୍ତମାନ ଏହି ଅଞ୍ଚଳରେ କ’ଣ ପରିସ୍ଥିତି ରହିଛି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଭୌଗୋଳିକ ଏବଂ ବୈଷୟିକ ଦିଗ ଅନୁଧ୍ୟାନ କରିଥିଲେ। ବାସ୍ତବ ଅନୁଭୂତିକୁ ରିପୋର୍ଟ ଆକାରରେ ଦଳର ସୁପ୍ରିମୋଙ୍କୁ ପ୍ରଦାନ କରିବେ ବୋଲି ବିଜେଡି ନେତା କହିଛନ୍ତି।

ବିଜେଡି ଟିମ୍‌ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଲୋକଙ୍କ ଥଇଥାନ ନିମନ୍ତେ ପଦକ୍ଷେପ ନିଅନ୍ତୁ। ପ୍ରକଳ୍ପର ୭୦ପ୍ରତିଶତ କାମ ସରିଛି। କିନ୍ତୁ ପଛୁଆ ପାଣି ଯୋଗୁଁ ‌ମୋଟୁ ଅଞ୍ଚଳ ଏବେଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଲାଣି। ପ୍ରକଳ୍ପକୁ ଆରମ୍ଭରୁ ବିଜେଡି ବିରୋଧ କରିଆସୁଛି। କେବଳ ଓଡ଼ିଶା ନୁହଁ, ଛତିଶଗଡ଼ ମଧ୍ୟ ପ୍ରକଳ୍ପକୁ ବିରୋଧ କରୁଛି। ଅନ୍ୟପଟେ ଏଯାଏ ପ୍ରକଳ୍ପ ନିମନ୍ତେ ଓଡ଼ିଶାରେ ଗ୍ରାମସଭା ହୋଇନାହିଁ। ଓଡ଼ିଶା, ଛତିଶଗଡ଼ରେ ବିଜେପି ସରକାର ରହିଥିଲା ବେଳେ କେନ୍ଦ୍ର ଓ ଆନ୍ଧ୍ରରେ ଏନ୍‌ଡିଏ ସରକାର ରହିଛନ୍ତି। ତେଣୁ ସବୁ ରାଜ୍ୟର ହିତକୁ ଅଗ୍ରାଧିକାର ଦେଇ ପ୍ରକଳ୍ପ ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି ନେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଥିଲା।