ଭୁବନେଶ୍ବର : କଲେଜ ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷାକୁ ସୁଦୃଢ଼ କରାଯିବ। ଅଧିକରୁ ଅଧିକ ପିଲା କିଭଳି ବୈଷୟିକ କ୍ଷେତ୍ରରେ ଦକ୍ଷ ହୋଇପାରିବେ, ସେନେଇ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ (ଟିସିଆଇଟି) ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଟିସିଆଇଟିର ସିଇଓ ଅନିତା ରାଜନଙ୍କ ଉପସ୍ଥିତିରେ ସ୍ବାକ୍ଷର ହୋଇଥିବା ଏହି ଏମ୍ଓୟୁ ମାଧ୍ୟମରେ ରାଜ୍ୟର ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯିବ।
ଟିସିଆଇଟିର ଟାଟା ଷ୍ଟ୍ରାଇଭ୍ ଡିଜିଟାଲ୍ ସ୍କିଲ୍ ଟ୍ରେନିଂ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ପାଇଁ ଭିନ୍ନଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମ ରହିଛି। ଇଞ୍ଜିନିୟରିଂ ଓ ପ୍ରଫେସନାଲ୍ ପାଠ୍ୟକ୍ରମ ପଢ଼ାଯାଉଥିବା କଲେଜରେ ପିଲାଙ୍କୁ ଡିଜିଟାଲ୍ ଓ ଆଇଟି କ୍ଷେତ୍ରରେ ସୁଦୃଢ଼ କରିବାକୁ ପାଠ୍ୟକ୍ରମ ଉପଲବ୍ଧ ଅଛି। ସେହିପରି ବିଜ୍ଞାନ ଓ ଗଣିତରେ ସ୍ନାତକ ପାଠ୍ୟକ୍ରମ ଦିଆଯାଉଥିବା କଲେଜର ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ସଚେତନତାମୂଳକ ପାଠ୍ୟକ୍ରମ ଦିଆଯିବ। ବିଶେଷକରି ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ବର୍ଷର ପିଲାଙ୍କ ପାଇଁ ଏହି ପାଠ୍ୟକ୍ରମ ରହିଛି। ସେମାନଙ୍କୁ ପାଠ୍ୟକ୍ରମ ସହ ଭବିଷ୍ୟତରେ କ’ଣ କରିବେ, ସେଥିପ୍ରତି ମଧ୍ୟ ମାର୍ଗଦର୍ଶନ ମିଳିବ। ଏହାଦ୍ୱାରା ରାଜ୍ୟର ୫ ହଜାର କଲେଜ ଛାତ୍ରଛାତ୍ରୀ ଉପକୃତ ହେବେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପାଠ୍ୟକ୍ରମ ଶେଷ କଲେ, ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟ୍ରାଇଭ୍ ପକ୍ଷରୁ ନିଯୁକ୍ତି ଲାଗି ପ୍ରଶିକ୍ଷଣ ମିଳିବ।
ମୋ’ କଲେଜ ଅଧ୍ୟକ୍ଷ ଶ୍ରୀ ଦାସ ନାୟକ କହିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଡିଜିଟାଲର। ପ୍ରତ୍ୟେକ ଛାତ୍ରଛାତ୍ରୀ ବୈଷୟିକ କ୍ଷେତ୍ରରେ ନିଜର ଜ୍ଞାନ ବୃଦ୍ଧି କରିବା ସହ ବୈଷୟିକ ଦକ୍ଷ ହେବା ଦରକାର। ଏହି ଏମ୍ଓୟୁ ମାଧ୍ୟମରେ କଲେଜ ଛାତ୍ରଛାତ୍ରୀ ବିନା ମୂଲ୍ୟରେ ଡିଜିଟାଲ ବିଷୟରେ ଅଧିକ ଜାଣିପାରିବେ। ଆଗାମୀ ଦିନରେ ସେମାନଙ୍କ ପାଇଁ ନିଯୁକ୍ତିର ମାର୍ଗ ପ୍ରଶସ୍ତ ହୋଇପାରିବ। ଟିସିଆଇଟିର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି।