ତଟ ସୁରକ୍ଷା ଓ ଲୁଣି ବନ୍ଧ ସୁଦୃଢ଼ୀକରଣ ପାଇଁ ଏମ୍ଓୟୁ

ବୈଷୟିକ ଜ୍ଞାନକୌଶଳ ଦେବ ରାଷ୍ଟ୍ରୀୟ ସାମୁଦ୍ରିକ ପ୍ର‌ାଦ୍ୟୋଗିକ ସଂସ୍ଥାନ

ଭୁବନେଶ୍ବର : ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା,ଜଗତସିଂହପୁର, ପୁରୀ, ଗଞ୍ଜାମର ସମୁଦ୍ର ତଟ ସୁରକ୍ଷା ଓ ଲୁଣି ବନ୍ଧ ସୁଦୃଢୀକରଣ ପାଇଁ ଚେନ୍ନାଇସ୍ଥିତ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ବୈଷୟିକ ଜ୍ଞାନକୌଶଳ ଦେବ। ଏନେଇ ଆଜି ଜଳସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ ମଧ୍ୟରେ ଏକ ଏମ୍‌ଓୟୁ ଆଜି ସ୍ବାକ୍ଷର ହୋଇଛି।

ଆଜି ଅପରାହ୍ନରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଏବଂ ରାଷ୍ଟ୍ରୀୟ ସାମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନର ନିର୍ଦ୍ଦେଶକ ଜି.ଏ ରାମଦାସଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ଏମ୍‌ଓୟୁ ସ୍ବାକ୍ଷର ପରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ଓଡ଼ିଶାକୁ ବନ୍ୟା ଓ ବାତ୍ୟାର ଚିର ସହଚର ବୋଲି କୁହାଯାଏ। ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ହେତୁ ଓଡ଼ିଶାରେ ବିଭିନ୍ନ ସମୟରେ ବନ୍ୟା, ବାତ୍ୟା ଲାଗି ରହିଥାଏ। ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ତେଣୁ ୫ବର୍ଷ ପାଇଁ ଅାଜିର ଏହି ବୁଝାମଣାପତ୍ର ସ୍ବାକ୍ଷର ଆଗାମୀ ଦିନରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ସମୁଦ୍ରର ତଟ ସୁରକ୍ଷା ଓ ଲୁଣି ବନ୍ଧ ସୁରକ୍ଷାରେ ସହାୟକ ହେବ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ, ଏହି ଚୁକ୍ତି ନାମା ଅନୁସାରେ ଉକ୍ତ ଅନୁଷ୍ଠାନ ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ସୁରକ୍ଷା ଓ ଲୁଣି ବନ୍ଧଗୁଡ଼ିକର ସୁଦୃଢୀକରଣ ନିମନ୍ତେ ଆବଶ୍ୟକ ହେଉଥିବା ବୈଷୟିକ ଜ୍ଞାନକୌଶଳ, ଡିଜାଇନ ପ୍ରଦାନ କରିବା ସହ କାର୍ଯ୍ୟ ସମ୍ପାଦନ, ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶରେ ସହାୟତା ଯୋଗାଇବେ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷୟକ୍ଷତିର ଆଶଙ୍କା କରିବା ଦିଗରେ ଏହି ଚୁକ୍ତିନାମା ଭବିଷ୍ୟତରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି କାର୍ଯ୍ୟକ୍ରମରେ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ଏନ୍‌ଆଇଓଟିର ବୈଜ୍ଞାନିକ, ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର