ଇ-ହସ୍ପିଟାଲ ପାଇଁ ଏମ୍‌ଓୟୁ : କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବିରେ ପରୀକ୍ଷାମୂଳକ ଭାବେ ଚାଲିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍‌ ସିଷ୍ଟମ୍‌ ବ୍ୟବସ୍ଥା ବା ଓଇଏଚ୍‌ଏମ୍‌ଆଇଏସ୍‌ ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ଇ-ସ୍ୱାସ୍ଥ୍ୟସେବା ଯେମିତିକି ଇ-ନିରାମୟ, ଇ-ବ୍ଲଡ୍‌ବ୍ୟାଙ୍କ, ଇ-ଭିଆଇଏନ୍‌ ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

ଏହି ବ୍ୟବସ୍ଥା ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି ମେଡିକାଲ କଲେଜରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ପରବର୍ତୀ ସମୟରେ ରାଜ୍ୟ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି। ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍‌ସ କମ୍ପ୍ୟୁଟିଂ ବା ସିଡିଏସି ନୋଇଡା ଏଥିପାଇଁ ବୈଷୟିକ ସହାୟତା ପ୍ରଦାନ କରିବ।

ଓଇଏଚ୍‌ଏମ୍‌ଆଇଏସ୍‌ ଜରିଆରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ତଥା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସଂପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରୀକୃତ ଦ୍ୱାରା ରେକର୍ଡ ହୋଇ ରହିବ। ଅନଲାଇନ୍‌ ବ୍ୟବସ୍ଥାରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କିତ ସୂଚନା, କେଉଁ ଡାକ୍ତର ପୂର୍ବରୁ କ’ଣ ପରାମର୍ଶ ଦେଇଛନ୍ତି, ରୋଗୀ କେଉଁ ପରୀକ୍ଷା କରାଇଛନ୍ତି ଓ ଏହାର ରିପୋର୍ଟ ପ୍ରଭୃତି ସଂପର୍କିତ ସୂଚନା ସ୍ୱୟଂଚାଳିତ ପଦ୍ଧତିରେ ସହଜରେ ଜଣାପଡ଼ିବ। ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ କାଗଜପତ୍ରରେ ରେକର୍ଡ ଲେଖିବା ପାଇଁ ଆଉ ସମୟ ବିନିଯୋଗ କରିବାକୁ ପଡ଼ିବ ନାହିଁ।

ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅତ୍ୟାବଶ୍ୟକ ଔଷଧ ତାଲିକାଭୁକ୍ତ ତଥା ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଔଷଧ ଅନୁଯାୟୀ ଡାକ୍ତରୀ ପ୍ରେସକ୍ରିପସନ୍‌ ଲେଖାଯାଉଛି କି ନାହିଁ ଜାଣିବା ପାଇଁ କରାଯାଉଥିବା ପ୍ରେସ୍‌କ୍ରିପସନ୍‌ ଅଡିଟ୍‌ ବ୍ୟବସ୍ଥାର ସହଜରେ ଯାଞ୍ଚ ହୋଇପାରିବ। ଏହି ବ୍ୟବସ୍ଥାରେ ରୋଗୀ ଅନ୍‌ଲାଇନରେ ନିଜ ନାମ ପଞ୍ଜୀକରଣ କରାଇ ନିଜ ସ୍ୱାସ୍ଥ୍ୟ ସଂପର୍କିତ ରେକର୍ଡକୁ ଅନ୍‌ଲାଇନ ଓ ମୋବାଇଲ ଆପ୍‌ ଜରିଆରେ ଡାଉନ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର