ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପାଇଁ ଏମ୍‌ଓୟୁ: ଆଇଓସିଏଲ୍‌-ଇଡ୍‌କୋ ଏମ୍‌ଓୟୁ ସ୍ବାକ୍ଷର, ୧୦୭ କୋଟି ନିବେଶରେ ହେବ

୧୦୭ କୋଟି ନିବେଶରେ ହେବ

ନୂଆଦିଲ୍ଲୀ/ଭୁବନେଶ୍ବର: ପାରାଦୀପଠାରେ ଓଡ଼ିଶା ସରକାର ପ୍ଲାଷ୍ଟିକ୍‌ ଶିଳ୍ପ ପାଇଁ ଏକ ଅତ୍ୟାଧୁନିକ ପାର୍କ ସ୍ଥାପନ କରୁଛନ୍ତି। ଆଜି ଲୋକସେବା ଭବନ ପରିସରରେ ଇଡ୍‌କୋ ଏବଂ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏଥିସହିତ ଦୁଇ ସଂସ୍ଥା ମଧ୍ୟରେ ସେୟାରଧାରକ ରାଜିନାମା ମଧ୍ୟ ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଏହି ରାଜିନାମା ସ୍ବାକ୍ଷର ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଆଇଓସିଏଲ୍‌ ପକ୍ଷରୁ ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ହେଉଥିବା ନିବେଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଓଡ଼ିଶାର ଆନୁଷଙ୍ଗିକ ପଲିମର୍ ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ହେବ। ସ୍ଥାନୀୟ ଉଦ୍ୟୋଗୀଙ୍କୁ ନେଇ ସହାୟକ ଏବଂ ଆନୁଷଙ୍ଗିକ ଶିଳ୍ପର ବିକାଶରେ ଆଇଓସିଏଲ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି। ପ୍ଲାଷ୍ଟିକ ପାର୍କ ସ୍ଥାପନ ହେବା ଦ୍ବାରା ଓଡ଼ିଶାରେ ପେଟ୍ରୋ କେମିକାଲ ଶିଳ୍ପର ବିକାଶରେ ଏହା ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଓସିଏଲ୍‌ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୪୦ କୋଟି ଟଙ୍କା ଯୋଗାଇ ଦିଆଯାଉଛି। ସ୍ଥାନୀୟ ଉଦ୍ୟୋଗୀଙ୍କୁ ଆଇଓସିଏଲ୍‌ ରିହାତି ଦରରେ କଞ୍ଚାମାଲ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିସନ୍‌ରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ। ପାରାଦୀପ ବିଶୋଧନାଗାର କ୍ଷମତା ୧୫ ନିୟୁତ ଟନରୁ ୨୫ ନିୟୁତ ଟନକୁ ବୃଦ୍ଧି କରିବା ଏବଂ ନାପ୍‌ଥା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବା, ବୟନ ଶିଳ୍ପର ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ସ୍ଥାପନରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ପାରାଦୀପ ବିଶୋଧନାଗାରର ସଂପ୍ରସାରଣ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ ରହିଛି। ପାରାଦୀପ ଓ ଭଦ୍ରକ ଅଞ୍ଚଳରେ ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଏବଂ ପଲିପ୍ରପ୍‌ଲିନ୍ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ୨୨ ହଜାର କୋଟି ଟଙ୍କାରା ପ୍ରକଳ୍ପ ଆଗାମୀ ୨ ବର୍ଷ ମଧ୍ୟରେ ସମାପ୍ତ ହେବ। ନାପ୍‌ଥା କ୍ରାକର ୟୁନିଟ୍ ଏବଂ ପାରାଦୀପ ବିଶୋଧନାଗାର ସଂପ୍ରସାରଣ ପ୍ରକଳ୍ପ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ନୀତିଗତ ଅନୁମୋଦନ ପାଇବ। ଏଥିପାଇଁ ଅଢ଼େଇ ହଜାର ଏକର ଜାଗାର ଆବଶ୍ୟକତା ରହିଛି। ସେହିଭଳି ଚଣ୍ଡିଖୋଲ ଅଞ୍ଚଳରେ ପାଖାପାଖି ୧୧ ହଜାର କୋଟି ଟଙ୍କା ବ୍ୟୟରେ ୪ ନିୟୁତ ଟନ୍ କ୍ଷମତା ବିଶି‌‌ଷ୍ଟ ଷ୍ଟ୍ରାଟେଜିକ୍ ଅଏଲ ରିଜର୍ଭ ବା ଅଶୋଧିତ ତେଲ ଭଣ୍ଡାର ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟର ରସାୟନ ଓ ପେଟ୍ରୋରସାୟନ ବିଭାଗର ପ୍ଲାଷ୍ଟିକ୍ ପାର୍କ ସ୍ଥାପନ ଯୋଜନା ଅଧୀନରେ ଏହି ପ୍ରକଳ୍ପ ହେଉଛି। ୧୦୭ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ପରିମିତ ଜମିରେ ଏହି ପାର୍କ ସ୍ଥାପନ ହେବ। ଜାତୀୟ ରାଜପଥଠାରୁ ଅଢ଼େଇ କିମି, ରେଳ ଷ୍ଟେସନ ଠାରୁ ୩ କିମି, ପାରାଦୀପ ବନ୍ଦରଠାରୁ ୧୦ କିମି ଏବଂ ରାଜଧାନୀ ଭୁବ‌ନେଶ୍ବରଠାରୁ ୧୧୫ କିମି ଦୂରରେ ପାର୍କ ଅବସ୍ଥିତ ଥିବାରୁ ‌ଉଦ୍ୟୋଗୀମାନଙ୍କୁ ଉନ୍ନତ ଯୋଗାଯୋଗ ସୁବିଧା ମିଳିବ। ପାରାଦୀପ ପେଟ୍ରୋଲିୟମ କେମିକାଲ୍‌ସ ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଇନଭେଷ୍ଟ୍‌ମେଣ୍ଟ୍‌ ରିଜିୟନ (ପିସିପିଆଇଆର) ପ୍ରକଳ୍ପ ଅଧୀନରେ ଉକ୍ତ ପ୍ରକଳ୍ପ ଆସୁଛି। ଏହି ପ୍ରକଳ୍ପରେ ଅତିକମ୍‌ରେ ବିଭିନ୍ନ ଧରଣର ୨୫ ଉଦ୍ୟୋଗୀ ୫୦୦ କୋଟି ଟଙ୍କା ନିବେଶ କରିବେ। ଫଳରେ ପ୍ରାୟ ୧୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉକ୍ତ ପ୍ରକଳ୍ପରେ ଆଇଓସିଏଲ୍‌ର ୪୯ ପ୍ରତିଶତ ଅଂଶଧନ ରହିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ‌ଏଠାରୁ ପ୍ଲାଷ୍ଟିକ ବୁଣା ଅଖା, ପ୍ଲାଷ୍ଟିକ ପାଇପ, ଇଞ୍ଜେକସନ ମୋଲଡେଡ୍ ଉପକରଣ, ପାଉଚ୍‌, ପ୍ୟାକେଜିଂ ଉତ୍ପାଦ ଓ ଅନ୍ୟ ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ହୋଇପାରିବ। ଉକ୍ତ ପ୍ରକଳ୍ପ ଅଧୀନରେ ପ୍ରକ୍ରିୟାକରଣ ହଲ୍‌ ସପ୍‌ ଫ୍ଲୋର୍‌, ଟୁଲ୍‌ ରୁମ, ଡିଜାଇନ୍ ଓ ଉତ୍ପାଦ ବିକାଶ କେନ୍ଦ୍ର, ‌ତାଲିମ ଓ ଦକ୍ଷତା ଉନ୍ନତୀକରଣ କେନ୍ଦ୍ର, କଞ୍ଚାମାଲ ଷ୍ଟୋର, ଗୋଦାମ ଆଦି ଭିତ୍ତିଭୂମି ଯୋଗାଇ ଦିଆଯିବ। ଏଥିସହିତ ପାର୍କରେ କାମ କରୁଥିବା ଶ୍ରମିକଙ୍କ ପାଇଁ ହଷ୍ଟେଲ, ମ୍ୟାନେଜରମାନଙ୍କ ପାଇଁ ଘର ଏବଂ ଶିଳ୍ପ ଶ୍ରମିକଙ୍କ ପାଇଁ କ୍ୟାଣ୍ଟିନ ଆଦି ରହିବ। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ ପଲିପ୍ରପଲିନ, ମନୋ-ଏଥଲିନ୍ କ୍ଲାଇକଲ ଏବଂ ଅନ୍ୟାନ୍ୟ କଞ୍ଚାମାଲ ରିହାତି ଦରରେ ଏବଂ ଅଗ୍ରାଧିକାର ଭିତ୍ତିରେ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦେବ। ଏଥିସହିତ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ସାମଗ୍ରୀର ବିକ୍ରି କ୍ଷେତ୍ରରେ ମଧ୍ୟ ଆଇଓସିଏଲ ସହାୟତାର ହାତ ବଢ଼ାଇବ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ପ୍ରଦୀପ ଜେନା, ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନ, ଆଇଓସିଏଲର ଅଧ୍ୟକ୍ଷ ଏସ୍‌ ଏନ ବୈଦ୍ୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବା‌ବେଳେ ଇଡ୍‌କୋ ସିଏମ୍‌ଡି ସଂଜୟ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର