ରାଜ୍ୟ ସରକାର ଓ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର : ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସମ୍ପତ୍ତି ମୁଦ୍ରୀକରଣ ଓ ପୁନଃବିନିଯୋଗ ପାଇଁ ଆଜି ଓଡ଼ିଶା ସରକାର ଏବଂ ବିଶ୍ବବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହା ସାର୍ବଜନୀନ ସମ୍ପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ। ଏହା ମାଧ୍ୟମରେ ସାର୍ବଜନୀନ ସମ୍ପତ୍ତିର ଏକ ବୃହତ ରାଶି ବେସରକାରୀ ପୁଞ୍ଜିବିନିଯୋଗକୁ ବ୍ୟାପକ କରିବ। ଏହି ପ୍ରଚେଷ୍ଟା ଘରୋଇ ପୁଞ୍ଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ।

ଏହି ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସମ୍ପତ୍ତିଗୁଡ଼ିକର ମୁଦ୍ରୀକରଣ ଓ ସେଥିରେ ଘରୋଇ ପୁଞ୍ଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ବୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ। ଏହା ମଧ୍ୟ ଖୋଲା ବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁ ଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମା‌ନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର