ହକି ବିଶ୍ବକପ୍‌ ପୂର୍ବରୁ ରାଜକୀୟ ପର୍ଯ୍ୟଟନ ସହ ଏମ୍‌ଓୟୁ

ବିଦେଶୀ ପର୍ଯ୍ୟଟକଙ୍କୁ ଟାଣିବ ପ୍ୟାଲେସ୍‌ ଟୁରିଜିମ୍‌

ଭୁବନେଶ୍ବର : ଆପଣ ରାଜା ହୋଇନପାରନ୍ତି, କିନ୍ତୁ ରାଜା ଭଳି ଜୀବନଟେ ଜିଇଁ ପାରିବେ। ରାଜା ଘରେ ଖାଇବେ। ରାଜ ଉଆସରେ ‌ଶୋଇବେ। ବ୍ୟବସ୍ଥିତ ଢଙ୍ଗରେ ଖୁବ୍‌ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ। ରାଜସ୍ଥାନ ଭଳି ଓଡ଼ିଶାରେ ବି ରାଜକୀୟ ପର୍ଯ୍ୟଟନର ମଜା ନେଇପାରିବେ ପର୍ଯ୍ୟଟକ। ଦିନକୁ ଦିନ କ୍ରୀଡ଼ା ପର୍ଯ୍ୟଟନର ହବ୍‌ ପାଲଟୁଥିବା ରାଜଧାନୀରେ ଆଗକୁ ହକି ବିଶ୍ବକପ୍‌ ଆୟୋଜନକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ନେଉଛି ‘ହେରିଟେଜ୍‌ ପ୍ୟାଲେସ୍‌ ହୋମ୍‌ ଷ୍ଟେ ସୋସାଇଟି ଅଫ୍‌ ଓଡ଼ିଶା’। ବିଶେଷକରି ହକି ବିଶ୍ବକପ୍‌ ସମୟରେ ୧୫ ହଜାର ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହେବା ନେଇ ପର୍ଯ୍ୟଟନ ବିଭାଗ ଆକଳନ କରିଥିବାରୁ ସେମାନଙ୍କୁ ଦୃଷ୍ଟିରେ ରଖି ଓଟିଡିସି ସହ ଏମ୍‌ଓୟୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଦେଶୀ ପର୍ଯ୍ୟଟକମାନେ ରାଜସ୍ଥାନରେ ପ୍ୟାଲେସ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଓଡ଼ିଶାରେ ଏହି ସମୟରେ ରାଜକୀୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ।

ସୋସାଇଟି ଆଇନ୍‌ରେ ପଂଜୀକରଣ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏମ୍‌ଓୟୁ ତଥା ବୁଝାମଣାପତ୍ର ସ୍ବାକ୍ଷର ହେବ। ସ୍ବାକ୍ଷରିତ ହେଲେ ଆଗାମୀ ଦିନରେ ଓଟିଡିସି ରାଜକୀୟ ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ର ବ୍ୟବସ୍ଥା କରିବ। ଗତବର୍ଷ ଅକ୍ଟୋବର ମାସରେ ୧୬ଟି ରାଜପ୍ରାସାଦର ଦାୟାଦମାନଙ୍କୁ ଏକାଠି କରି ପର୍ଯ୍ୟଟନ ବିଭାଗ ବୈଠକ କରି ଏ ବାବଦରେ ଖସଡ଼ା ପ୍ରସ୍ତୁତ କରିଥିବା ବେଳେ ଏହା ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ୧୭୦୦ ଖ୍ରୀଷ୍ଟାବ୍ଦରେ ଗଢ଼ି ଉଠିଥିବା କେନ୍ଦ୍ରାପଡ଼ାର ଆଳି ରାଜପ୍ରାସାଦଠୁ ନେଇ ୧୮୬୦ରେ ସ୍ଥାପିତ ଢେଙ୍କାନାଳ ପ୍ୟାଲେସ୍‌, ତାଳଚେର ପ୍ୟାଲେସ୍‌, ଢେଙ୍କାନାଳ ବୋରପଡ଼ାର ଗଜଲକ୍ଷ୍ମୀ ପ୍ୟାଲେସ୍‌, କଳାହାଣ୍ଡି ପ୍ୟାଲେସ୍‌, କଟକର ଡାଲିଯୋଡ଼ି ପ୍ୟାଲେସ୍‌, ବାଲେଶ୍ବରର ନୀଳଗିରି ପ୍ୟାଲେସ୍‌ରେ ରାଜକୀୟ ଜୀବନ ଜୀଇଁବା ସହ ପର୍ଯ୍ୟଟନସ୍ଥଳୀ ଉପଭୋଗ କରିବାପାଇଁ ରାଜ ପରିବାର ପକ୍ଷରୁ ବ୍ୟବସ୍ଥା ହୋଇଛି ବୋଲି ହେରିଟେଜ୍‌ ପ୍ୟାଲେସ୍‌ ହୋମ୍‌ ଷ୍ଟେ ସୋସାଇଟି ଅଫ୍‌ ଓଡ଼ିଶାର ଆବାହକ ଜଗଦ୍ଦୀଶ ମର୍ଦରାଜ କହିଛନ୍ତି।

ରାଜପ୍ରାସାଦରେ କେଉଁଠି ରାଜବାଟି, ରାଣୀମହଲ, ପୁରୁଣା ମନ୍ଦିର ଓ ‌ରାଜାଘର ଘୋଡ଼ାଶାଳ ଦେଖିବାର ସୁଯୋଗ ମିଳିବ ତ ଆଉ କେଉଁଠି ରାଜପ୍ରାସାଦର ପଲଙ୍କରେ ଶୋଇବା ସହ ହାତୀ ଦାନ୍ତରେ ନିର୍ମିତ କାରିଗରୀ ଦେଖି ଚମତ୍କୃତ ହେବାର ଅବସର ଜୁଟିବ। ତେବେ କେବଳ ରାଜ ଦରବାର ଭିତରେ ରହି ଯେ ସବୁ ଉପଭୋଗ କରିବେ ସେ କଥା ନୁହେଁ, ବରଂ ସେହି ରାଜ ଦରବାର ନିକଟବର୍ତୀ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ପାଇଁ ଟୁର୍‌ ପ୍ୟାକେଜ୍‌ର ବ୍ୟବସ୍ଥା କରାଯିବ।

ହକି ବିଶ୍ବକପ୍‌ ସମୟରେ ‌ବିଦେଶୀ ପର୍ଯ୍ୟଟକ ଆଖପାଖରେ ରହିବାକୁ ପସନ୍ଦ କରିବେ। ତେଣୁ ଭୁବନେଶ୍ବରଠାରୁ ୬୦-୭୦ କିଲୋମିଟର ପରିଧି ମଧ୍ୟରେ ଥି‌ବା ଢେଙ୍କାନାଳ ପ୍ୟାଲେସ୍‌, କଟକର ଡାଲିଯୋଡ଼ା ପ୍ୟାଲେସ୍‌ ଏବଂ ବୋରପଡ଼ାର ଗଜଲକ୍ଷ୍ମୀ ପ୍ୟାଲେସ୍‌ରେ ପର୍ଯ୍ୟଟକମାନେ ରହିପାରିବେ ବୋଲି ଶ୍ରୀ ମର୍ଦରାଜ ସୂଚନା ଦେଇଛନ୍ତି। ଢେଙ୍କାନାଳ ପ୍ୟାଲେସ୍‌ ରାଜ ପରିବାରର ଦାୟାଦ ଅମରଜ୍ୟୋତି ସିଂହଦେଓଙ୍କ କହିବା ମୁତାବକ, ଭାରତ ସରକାରଙ୍କ ନୀତି ଅନୁଯାୟୀ ୧୯୫୦ ମସିହା ପୂର୍ବରୁ ଗଢ଼ା ଯାଇଥିବା ରାଜପ୍ରାସାଦଗୁଡ଼ିକ ଐତିହ୍ୟ ପ୍ରାସାଦ ଭାବେ ଘୋଷିତ ହୋଇଛି। ସଂପ୍ରତି ରାଜସ୍ଥାନ ଓ ଅନ୍ୟ ରାଜ୍ୟର କିଛି କିଛି ସ୍ଥାନରେ ରୟାଲ୍‌ ଟୁରିଜିମ୍‌କୁ ସ୍ବତନ୍ତ୍ର ମାନ୍ୟତା ମିଳିଥିବା ବେଳେ ଓଡ଼ିଶାରେ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର