ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶକ୍ରମେ ଧନ୍ଦାମୂଳକ ଶିକ୍ଷା ଓ ଜାତୀୟସ୍ତରୀୟ ସ୍ବେଚ୍ଛାସେବୀ ସଂଗଠନ ‘ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ’ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜିମାନା ଦ୍ବାରା ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ ସହାୟତାରେ ରାଜ୍ୟରେ ଥିବା ୨୩୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲୁଥିବା ବିଭିନ୍ନ ଧନ୍ଦାମୂଳକ ଶିକ୍ଷାକୁ ନେସନାଲ ସ୍କିଲ୍ କ୍ବାଲିଫିକେସନ୍ ଫ୍ରେମ୍ୱାକ୍(ଏନ୍ଏସ୍କ୍ୟୁଏଫ୍) ଅନୁଯାୟୀ ରୂପାନ୍ତରିତ କରାଯିବ। ଏହି ସହାୟତା ଉକ୍ତ ସଂସ୍ଥା ଦ୍ବାରା ନିଃଶୁଳ୍କ ଭାବେ କରିବା ପାଇଁ ସହବନ୍ଧିତ ହୋଇଛି। ଏନ୍ଏସ୍କ୍ୟୁଏଫ୍ ସମକକ୍ଷ ବୈଷୟିକ ଶିକ୍ଷାର ରୂପାନ୍ତର କରି ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ହିସାବରେ ପରିଗଣିତ ହୋଇପାରିବ। ରାଜିନାମା ସ୍ବାକ୍ଷର ସମୟରେ ଧନ୍ଦାମୂଳକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍ ସିଲ୍, ଉପ ନିର୍ଦେଶକ ସୁନିଲ କୁମାର ଜେନା, ପରାମର୍ଶଦାତା ଅନୁଜା ମହାପାତ୍ର, ଆକାଉଣ୍ଟସ୍ ଅଫିସର ଧୀରେନ୍ଦ୍ର କୁମାର ଦାସ, ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ ଇଣ୍ଡିଆର ଓଡ଼ିଶା ମୁଖ୍ୟ ପ୍ରଣତି ଦାସ, ଗଣଶିକ୍ଷା ବିଭାଗର ଡେକ୍ସ ଅଫିସର ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଷୟିକ ସହାୟତା ଦ୍ବାରା ସର୍ବେକ୍ଷଣ, କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତି, ଶିକ୍ଷକ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରାଯିବ।