ଏଫ୍ଏମ୍‌ୟୁ ଓ ଆଇସିଏଆର-ସିଆଇଏଫ୍‌ଏ ମଧ୍ୟରେ ଏମ୍‌ଓୟୁ: ‘ଧାନ, ପାନ ଓ ମୀନ ପ୍ରକଳ୍ପ ପାଇଁ ସହାୟକ ହେବ’

ବାଲେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସୱାଟର ଆକ୍ବାକଲଚର ଭୁବନେଶ୍ବର ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସହଯୋଗ ଓ ସଂପ୍ରସାରଣକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସଭାରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫ୍ରେସୱାଟର ଆକ୍ବାକଲଚର ଭୁବନେଶ୍ବରର ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ବାଇଁ ବୁଝାମଣା ପତ୍ର ଉଭୟ ଅନୁଷ୍ଠାନ ପାଇଁ ନିଶ୍ଚିତରୂପେ ଲାଭଦାୟକ ହେବ ବୋଲି କହିଥିଲେ।

ସଭା ଆରମ୍ଭରେ ବିଶ୍ବବିଦ୍ୟାଳୟର ବିଏସ୍‌ବିଟି ବିଭାଗର ମୁଖ୍ୟ ଡ.ଭାସ୍କର ବେହେରା ସ୍ବାଗତ ଜଣାଇବା ସହ ଏହି ବୁଝାମଣା ପତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହାକୁ ଏକ ଐତିହାସିକ ଘଟଣା ବୋଲି ମତପ୍ରକାଶ କରିବା ସହିତ ଏହା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। କୁଳସଚିବ କୁକୁମିନା ଦାସ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହା ଏକ ଉନ୍ନତ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ବୁଝାମଣା ପାଇଁ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫ୍ରେସୱାଟର ଆକ୍ବାକଲଚର ସହମତି ପ୍ରକାଶ କରିଥିବା ହେତୁ ବିଶ୍ବବିଦ୍ୟାଳୟ ତରଫରୁ କୃତଜ୍ଞତା ଜଣାଇଥିଲେ। ବିଶ୍ବବିଦ୍ୟାଳୟ ତରଫରୁ ହାତକୁ ନିଆଯାଇଥିବା ଧାନ-ପାନ-ମୀନ ପ୍ରକଳ୍ପର ସଂପୂର୍ଣ୍ଣ ରୂପାୟନ ପାଇଁ ଏହି ବୁଝାମଣା ପତ୍ର ନିଶ୍ଚିତ ଭାବେ ସହାୟକ ହେବ ବୋଲି ନିଜର ଆଶା ପ୍ରକାଶ କରିଥିଲେ। ଡ.ଭାରତ ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର