ଭୁବନେଶ୍ବର: ରୋଗରୁ ମୁକ୍ତି ପରେ ପୁନର୍ବାସ ମଧ୍ୟ ରୋଗୀ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଏମ୍ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍ଭି ନିର୍ତାର) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଏବଂ ଏସ୍ଭି ନିର୍ତାର, କଟକ ନିର୍ଦ୍ଦେଶକ ଡା. ପିପି ମହାନ୍ତି ଏଥିରେ ସ୍ୱାକ୍ଷର କରିଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି, ଅସ୍ତ୍ରୋପଚାର କିମ୍ବା ଜଟିଳ ରୋଗରୁ ମୁକ୍ତି ମିଳିଲେ ମଧ୍ୟ ଅନେକ ସମସ୍ୟା ରହିଯାଏ। ଏହି ବୁଝାମଣା ପରେ ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ଅର୍ଥୋପେଡିକ୍ସ, ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରି, ପେଡିଆଟ୍ରିକ୍ସ(ଶିଶୁରୋଗ) ଭଳି ବିଭିନ୍ନ ବିଭାଗ ସହିତ ଏସ୍ଭି ନିର୍ତାରର ଫିଜିଓଥେରାପି, ଅକୁପେସ୍ନାଲ ଥେରାପି, ସ୍ପିଚ୍ ଥେରାପି ଭଳି ବିଭିନ୍ନ ବିଭାଗ ଅନ୍ତର୍ଗତରେ ଚିକିତ୍ସିତ ରୋଗୀଙ୍କ ରେଫରାଲ୍ ଉପରେ କାର୍ଯ୍ୟ କରିବ।
ହୃଦ୍ରୋଗ, ମାନସିକ ରୋଗ, କର୍କଟ ଆଦି ବିଭାଗ କ୍ଷେତ୍ରରେ ମଧ୍ୟ ପୁନର୍ବାସ ବ୍ୟବସ୍ଥା ଯୋଗାଇ ଦେବ। ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ, ଗବେଷଣା ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ ହେବ। ଏସ୍ଭି ନିର୍ତାର ଛାତ୍ରଛାତ୍ରୀ ଏମ୍ସକୁ ଆସି କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ଭଳି ବିଷୟ ମଧ୍ୟ ଏହି ବୁଝାମଣାରେ ସ୍ଥାନ ପାଇଥିବା ଡା. ବିଶ୍ବାସ ସୂଚନା ଦେଇଛନ୍ତି। ଏମ୍ସ ଏବଂ ଏସ୍ଭି ନିର୍ତାର ମିଳିତ ଭାବେ କୃତ୍ରିମ ଅଙ୍ଗ ତିଆରିରେ ମଧ୍ୟ କାର୍ଯ୍ୟ କରିବେ। ଚୁକ୍ତିନାମା ସ୍ବାକ୍ଷରିତ ବେଳେ ଦୁଇ ଜଣ ଡିନ୍ ଡାକ୍ତର ପି ଆର ମହାପାତ୍ର, ସତ୍ୟଜିତ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡ଼ା, ଆସୋସିଏଟ୍ ଡିନ୍ ଭାଗିରଥୀ ଦ୍ୱିବେଦୀ, ପିଆର୍ ସେଲ୍ ମୁଖ୍ୟ ପ୍ରଭାସ ରଂଜନ ତ୍ରିପାଠୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ଏସ୍ଭି ନିର୍ତାର ଅଧ୍ୟାପିକା(ଅକୁପେସନାଲ୍ ଥେରାପି) ପ୍ରଜ୍ଞା ସିଂ ଏବଂ ତାଲିମ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।