ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ହେବ: ମୋଦୀ
ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ: ଧର୍ମେନ୍ଦ୍ର
ଭୁବନେଶ୍ବର : ନୂଆଦିଲ୍ଲୀ ଠାରେ ଶନିବାର ବ୍ରାଜିଲର ରାଷ୍ଟ୍ରପତି ଜେଏର୍ ବୋଲସୋନାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ-ବ୍ରାଜିଲ ସମ୍ମିଳନୀ ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ସାଇବର ସୁରକ୍ଷା, ସ୍ବାସ୍ଥ୍ୟ, ଔଷଧ ପ୍ରଭୁତି ବିଭିନ୍ନ କ୍ଷେତ୍ରରେ ମୋଟ ୧୫ଟି ବୁଝାମଣା ହୋଇଯାଇଛି। ତାହା ମଧ୍ୟରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଉର୍ଜା ଓ ଖଣି ମନ୍ତ୍ରୀ ଆଡମିରାଲ୍ ବେଂଟୋଙ୍କ ମଧ୍ୟରେ ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମ୍ଓୟୁର ଆଦାନପ୍ରଦାନ ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ତୈଳ, ଗ୍ୟାସ, ସ୍ବାସ୍ଥ୍ୟ ଏବଂ ଔଷଧ, ସାଇବର ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଗୋଧନର ସଂରକ୍ଷଣ ଓ ସମ୍ବର୍ଦ୍ଧନା ତଥା ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ହେବ। ଆଜି ଦୁଇ ଦେଶ ମଧ୍ୟରେ ଅନେକ ମହତ୍ତ୍ବପୂର୍ଣ୍ଣ ବୁଝାମଣା ହୋଇଛି। ପରମ୍ପରାଗତ କ୍ଷେତ୍ର ବାଦ୍ ନୂଆ ନୂଆ କ୍ଷେତ୍ରରେ ମଧ୍ୟ ଦୁଇ ଦେଶର ସମ୍ପର୍କ ମଜବୁତ୍ ହୋଇଛି। ନିବେଶ ଓ ଅପରାଧିକ ମାମଲାରେ ଆଇନଗତ ସହାୟତା କ୍ଷେତ୍ରରେ ଏହି ବୁଝାମଣା ଦୁଇ ଦେଶର ସହଯୋଗକୁ ନୂଆ ଆଧାର ଦେବ। ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ମଜବୁତ୍ ହେବାରେ ଲାଗିଛି। ଉଭୟ ଦେଶର ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୩ରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କର ପ୍ଲାଟିନମ୍ ଜୁବୁଲି ହେବ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଆକ୍ସନ ପ୍ଲାନ୍ ଉଭୟ ଦେଶର ଋଣନୈତିକ ସହଯୋଗ, ଲୋକଙ୍କୁ ଯୋଡ଼ିବା ଏବଂ ବ୍ୟବସାୟ ଉଦ୍ୟୋଗକୁ ଆଗକୁ ବଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିେଲ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ଓ ବ୍ରାଜିଲ ମଧ୍ୟରେ ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏମ୍ଓୟୁ ଫଳରେ ଉର୍ଜା କ୍ଷେତ୍ର ସମେତ ରଣନୈତିକ ସହଯୋଗ ମଜବୁତ୍ ହେବ। ଆଜିର ଜୈବ ଉର୍ଜାରେ ବୁଝାମଣା ସ୍ବାକ୍ଷରିତ ଫଳରେ ଦେଶରେ ଇଥାନଲ୍ର ଉତ୍ପାଦନରେ ଅଭିବୃଦ୍ଧି ହେବ। ଏହା ବାଦ୍ ଦେଶର ସର୍ବବୃହତ ତୈଳ ବିପଣନ କମ୍ପାନି ଆଇଓସିଏଲ ଏବଂ ବ୍ରାଜିଲର ସିଏନପିଇଏମ୍ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହା ଦ୍ବାରା ଦୁଇ କମ୍ପାନି ମଧ୍ୟରେ ସହଯୋଗ ବଢିବ। ଜୈବ ଉର୍ଜା କ୍ଷେତ୍ରରେ ଉତ୍କୃଷ୍ଟ ଭାବରେ ବାୟୋମାସରୁ ବାୟୋଏନର୍ଜି ରୂପାନ୍ତରିତ କରିବାରେ ବ୍ରାଜିଲ ଏକ ଜ୍ବଳନ୍ତ ଉଦାହରଣ। ଆଜି ହୋଇଥିବା ଏମଓୟୁ ଦ୍ବାରା ଭାରତ ବ୍ରାଜିଲ ଠାରୁ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଦ୍ବାରା ଏହି କ୍ଷେତ୍ରରେ ପ୍ରଶିକ୍ଷଣ ନେବ। ଭାରତ ପାଇଁ ଏହା ଲାଭଦାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାପ୍ରକଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Exchange-of-MoU-with-Brazils-H.E.-Admiral-Bento-Min.-of-Energy-Mines.jpg)