ନାବାର୍ଡ-ଜଳ ସଂପଦ ବିଭାଗ ବୁଝାମଣା ସ୍ୱାକ୍ଷରିତ : ଭୂତଳ ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟିର ଯୋଜନା

ଭୁବନେଶ୍ୱର : ଦେଶର ପ୍ରଥମ ରାଜ୍ୟ ଭାବେ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଦିଗରେ ଓଡ଼ିଶା ପଦକ୍ଷେପ ନେଇଛି। ରାଜ୍ୟ ସରକାରଙ୍କ ଯୋଜନାକୁ ଭାରତର ପ୍ରଥମ ପ୍ରକଳ୍ପ ଭାବେ ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନାବାର୍ଡ ମାଧ୍ୟମରେ ଓଡ଼ିଶାକୁ ଏହି ସଂସ୍ଥା ୨୩୨ କୋଟି ଟଙ୍କା ଯୋଗାଇ ଦେବେ। ଏହାକୁ ମିଶାଇ ୧୫ଟି ଜିଲ୍ଲା ପାଇଁ ପାଖାପାଖି ୧୧୧୫ କୋଟି ଟଙ୍କା ବିନିଯୋଗ କରାଯିବ।

ଆଜି ରାଜ୍ୟ ସଚିବାଳୟରେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଓ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଉଲ୍ଲେଖଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବ। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତନ ଚାଲିଛି। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟକୁ ଉତ୍ସାହିତ କରିବା ପାଇଁ ଅନ୍ତର୍ଜାତିକ ସ୍ତରରେ ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡ ଗଠନ କରାଯାଇଛି। ରାଜ୍ୟ ସରକାର ଭୂତଳ ସଂରକ୍ଷଣ ପାଇଁ ଏକ ଯୋଜନା କରି ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ।

ଏଥିରେ କୁହାଯାଇଥିଲା ଯେ ବର୍ଷା ଋତୁରେ ଉପଲବ୍ଧ ହେଉଥିବା ବଳକା ଜଳକୁ ବ୍ୟବହାର କରାଯିବ। ଏଥିପାଇଁ ରାଜ୍ୟରେ ୧୦ ହଜାର ପୋଖରୀର ପୁନରୁଦ୍ଧାର କରାଯିବା ସହିତ ସେଥିରେ ରିଚାର୍ଜ ଷ୍ଟ୍ରକଚର୍‌ କରାଯାଇ ଭୂତଳରେ ଅଧିକରୁ ଅଧିକ ଜଳ ଗଚ୍ଛିତ କରାଯିବ। ଏହାକୁ ପରବର୍ତୀ ସମୟରେ ବ୍ୟବହାର କରାଯାଇ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରାଯିବ। ୧୦୦୦ଟି ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପରେ ଜଳ ଉତ୍ତୋଳନ କରି ଅଣୁ ଜଳସେଚନ ପାଇଁ ବ୍ୟବହାର କରାଯିବ। ଗଚ୍ଛିତ ଜଳକୁ ଅନ୍ତତଃ ପକ୍ଷେ ୧.୬୦ ଲକ୍ଷ ଏକର ଜମିକୁ ଜଳ ଯୋଗାଇ ଦେଇହେବ। ଏହି ପ୍ରକଳ୍ପକୁ ଅନୁମୋଦନ ମିଲିଥିଲା।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ପ୍ରକଳ୍ପ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ କରାଯିବ। ଆଗାମୀ ୫ ବର୍ଷ ଭିତରେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଳକ୍ରିଷ୍ଣନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର