ଦକ୍ଷତା ବିକାଶ ପାଇଁ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ ସହ ବୁଝାମଣା

ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ସମ୍ମିଳନୀ ଗୃହରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆର ସହ ସଂସ୍ଥାପକ ତଥା ନିର୍ଦେଶକ ରାଜ ଗିଲଦା ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାଧ୍ୟମିକ ଶିକ୍ଷା ମିସନ୍‌ ମାଧ୍ୟମରେ ୩୧୪ଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ପ୍ରଚଳିତ ହୋଇଛି। ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ଭାଷାର ମାନ୍ୟତା ବି ଦିଆଯାଇଛି। ଏଥିରେ ସମୁଦାୟ ୨୫,୫୦୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ମାଧ୍ୟମିକସ୍ତରରେ ବିଶ୍ୱସ୍ତରୀୟ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ସମତୁଲ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧି କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ। ଏଥିସହ ପିଲାମାନଙ୍କ ଦକ୍ଷତା ବିକାଶ ଓ ରୋଜଗାରକ୍ଷମ କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ ଇତି ମଧ୍ୟରେ ୧୬ଟି ରାଜ୍ୟ ସହ ବୁଝାମଣା କରିସାରିଛି। ଗୁଣାତ୍ମକ ଧନ୍ଦାମୂଳକ ଶିକ୍ଷା ଯୋଗାଇସେବା କ୍ଷେତ୍ରରେ ଏହା ସହାୟକ ହେଉଛି। ୧୭ତମ ରାଜ୍ୟ ଭାବେ ଓଡ଼ିଶାରେ ଏହି ସଂସ୍ଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି।

ସମ୍ବନ୍ଧିତ ଖବର