ଦୁଇ କୋଭିଡ୍ ସେଣ୍ଟର ପାଇଁ ବୁଝାମଣାପତ୍ର : ଗୋଟିଏ ଜାମୁଝରୀରେ, ଅନ୍ୟଟି ଜଟଣୀର ଖୁଦୁପୁରରେ

୮୦୦ ଶଯ୍ୟା ପାଇଁ ଅନୁମତି ଦେଇଥିଲେ ସରକାର

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି କୋଭିଡ କେୟାର ସେଣ୍ଟର ପରିଚାଳନା ପାଇଁ ଆଜି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଓ ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲର ପ୍ରତିନିଧି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଟଣୀର ଖୁଦୁପୁର ଓ ଖୋର୍ଦ୍ଧାର ଜାମୁଝରୀଠାରେ କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ସମ୍‌ ହସ୍ପିଟାଲ ଗ୍ରହଣ କରିଛି। ଖୁଦୁପୁରସ୍ଥିତ କୋଭିଡ କେୟାର ସେଣ୍ଟର ୩୦୦ ଶଯ୍ୟା ବିଶିଷ୍ଟ ଓ ଜାମୁଝରୀସ୍ଥିତ କୋଭିଡ କେୟାର ସେଣ୍ଟର ୫୦୦ ଶଯ୍ୟା ବିଶିଷ୍ଟ ହେବ। ଏହି କେନ୍ଦ୍ର ପରିଚାଳନା ପାଇଁ ପ୍ରତି ଶଯ୍ୟା ପିଛା ଦୈନିକ ୧୦୦୦ ଟଙ୍କା ଲେଖାଏଁ ସମ୍‌ ହସ୍ପିଟାଲ କର୍ତ୍ତୃ ପକ୍ଷଙ୍କୁ ପ୍ରଦାନ କରାଯିବ। ରାଜ୍ୟ ସରକାର ଏହାକୁ ସ୍ବୀକୃତି ଦେଇସାରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଦୁଇଟି କୋଭିଡ କେୟାର ସେଣ୍ଟର ପାଇଁ ଆବଶ୍ୟକ ଭିତ୍ତିଭୂମି, ଯଥା ଅଟ୍ଟାଳିକା, ରୋଗୀଙ୍କ ପାଇଁ ଶଯ୍ୟା ଇତ୍ୟାଦି ଯୋଗାଇ ଦେଇଛନ୍ତି। ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ ସଂକ୍ରମିତ ବିଶେଷକରି କରୋନା ଲକ୍ଷଣ ନ ଥିବା ରୋଗୀମାନଙ୍କ ପାଇଁ ଡାକ୍ତର, ନର୍ସ, ଔଷଧ, ଖାଦ୍ୟ ପ୍ରଭୃତିର ବ୍ୟବସ୍ଥା କରିବେ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଉପ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀମାନେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର